ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ସୋହଡ଼ା ପଂଚାୟତ ଅନ୍ତର୍ଗତ ଗୌରାଙ୍ଗପୁରର ପ୍ରସିଦ୍ଧ ଜୟନ୍ତୀରା ଠାରେ ଚୈତନ୍ୟ ମନ୍ଦିର ପରିସରରେ ଚୈତନ୍ୟ ମହାପ୍ରଭୁଙ୍କ ନୂତନ ବିଗ୍ରହ ପ୍ରତିଷ୍ଠାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି। ଆସନ୍ତା ମାସ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟସୂଚୀ ସହ ଏହି ମହାନୁଷ୍ଠାନକୁ ଭବ୍ୟ ଭାବେ ପାଳନ କରାଯିବ। ଏଥିରେ ପ୍ରତିଦିନ ପ୍ରାୟ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଅନୁମାନ ଥିବାରୁ ଯାତାୟାତ, ପାନୀୟ ଜଳ ଓ ବିଦ୍ୟୁତ୍ ସୁବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ନିର୍ଦ୍ଦେଶକ୍ରମେ ବାଲିପଡ଼ା ଠାରୁ ଗୌରାଙ୍ଗପୁର ଚୈତନ୍ୟ ମନ୍ଦିର ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତା ପ୍ରସସ୍ଥିକରଣ ସହ ପିଚ୍? କାମ କରାଯାଉଛି। ସେହିପରି ମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ମରାମତି, ପାନୀୟ ଜଳ ଓ ଇଲେକ୍ଟ୍ରିକ୍ କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ଏହି କାର୍ଯ୍ୟଗୁଡ଼ିକୁ ସାଳସମ୍ପଦ ଯନ୍ତ୍ରୀ ସ୍ୱାଗତ ଦାସ, ବ୍ଲକ ଜେଇ ଦିଲ୍ଲୀପ ପଣ୍ଡା ଓ ଧାମନଗର ଇଲେକ୍ଟ୍ରି ଯନ୍ତ୍ରୀ ଉପସ୍ଥିତ ରହି ତଦାରଖ କରିଥିଲେ। ମନ୍ଦିର ପରିସରରେ ବାଉଣ୍ଡରୀ ନିର୍ମାଣ, ରଙ୍ଗବେରଙ୍ଗର ଚିତ୍ରାଙ୍କନ କାର୍ଯ୍ୟ ସହ ପୂଜାପାଠ ପାଇଁ ବେଦୀ ଓ ଯଜ୍ଞକୁଣ୍ଡ ନିର୍ମାଣ କାମ ମଧ୍ୟ ଜୋରଦାର ଭାବେ ଚାଲିଛି। ସମଗ୍ର ବ୍ୟବସ୍ଥାପନାର ତଦାରଖ ବ୍ରାହ୍ମଣ ଗୌରୀଶଙ୍କର ମିଶ୍ର କରୁଛନ୍ତି। ସୂଚନଯୋଗ୍ୟ ଯେ, ପ୍ରାୟ ୪୦୦ ବର୍ଷ ପୂର୍ବରୁ ଏହି ମଠରେ ଚୈତନ୍ୟ ମହାପ୍ରଭୁଙ୍କ ବିଗ୍ରହର ପୂଜାର୍ଚ୍ଚନା ହୋଇଆସୁଥିଲା। ଦୀର୍ଘବର୍ଷ ଧରି ମୂର୍ତି ନଷ୍ଟ ହୋଇଯାଇଥିବାରୁ ଅଂଚଳବାସୀଙ୍କ ପକ୍ଷରୁ ନୂତନ ବିଗ୍ରହ ପ୍ରତିଷ୍ଠା ପାଇଁ ଏହି ମହାନୁଷ୍ଠାନର ଆୟୋଜନ କରାଯାଇଛି। ଇତିହାସ ଅନୁସାରେ ୧୫୨୬ ମସିହାରେ ସ୍ଥାନୀୟ ବଂଶୀଧର ଗୋସ୍ୱାମୀ ଏଠାରେ ମଠ ସ୍ଥାପନା କରିଥିଲେ। ଚୈତନ୍ୟ ମହାପ୍ରଭୁ ପୁରୀ ଯାତ୍ରା ସମୟରେ ଏଠାରେ ଗୋଟିଏ ଦିନ ବିଶ୍ରାମ ନେଇଥିବାରୁ ଏହା ‘ଚୈତନ୍ୟ ମଠ’ ନାମରେ ପରିଚିତ ହୋଇଥିଲା। ଗୌରାଙ୍ଗ ଦେବଙ୍କ ନାମାନୁସାରେ ଏହି ଗ୍ରାମ ‘ଗୌରାଙ୍ଗପୁର’ ଭାବେ ପରିଚିତ। ଏଥିରେ ମୁଖ୍ୟ ପୋରଧା ବରଦା ପ୍ରସାଦ ମହାପାତ୍ର, ସମାଜସେବୀ ଅରବିନ୍ଦ ପତି, ସନ୍ତୋଷ ଦାଶଅଧିକାରୀ, ତପନ ଦାସ, ହରିହର ଦାସ, ପ୍ରଫୁଲ୍ଲ ଦାସ, ରବୀନ୍ଦ୍ର ଦାସ, ଅମରେଶ ଦାସ, ରଘୁନାଥ ଦାସଙ୍କ ସହିତ ଅଂଚଳବାସୀ ଉପସ୍ଥିତ ଥିଲେ।








