ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଏନ୍ଏସି ର କଳେବର ବୃଦ୍ଧି ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇ ଥିବା ବେଳେ ଏଥିରେ ବିଭିନ୍ନ ପଂଚାୟତ ର ୱାର୍ଡ ସାମିଲ ନେଇ ସଦ୍ୟ ବିରୋଧର ସ୍ୱର୍ ତୀବ୍ର ହେବାରେ ଦେଖା ଦେଇଛି।ପ୍ରକାଶ ଥାଉକି ଧାମନଗର ଏନଏ ସି ପୌର ପରିଷଦରେ ପରିଣତ କରିବା ପାଇଁ ପ୍ରଶାସନ ପକ୍ଷରୁ ଚାଲିଥିବା କସରତ ଏବେ ଜନ ଅସନ୍ତୋଷର ପରିଧି ଭିତରକୁ ଠେଲି ହୋଇଯାଇଛି। ସରକାରୀ ନିୟମ ଅନୁଯାୟୀ ଜନସଂଖ୍ୟା ବୃଦ୍ଧି କରି ମାନ୍ୟତା ହାସଲ ପାଇଁ ୧୮ ଟି ନୂଆ ରାଜସ୍ୱ ମୌଜା କୁ ମିଶାଇ ବାକୁ ଯୋଜନା ହୋଇଥିବା ବେଳେ ଦଳାଙ୍ଗ ଓ ମୁସ୍ତଫାପୁର ଭଳି ଅଂଚଳରେ ବିରୋଧର ସ୍ୱର ଶାଣିତ ହେବାରେ ଲାଗିଛି। ଓଡ଼ିଶା ପୌର ପରିଷଦ ଆଇନ-୧୯୫୦ ଅନୁଯାୟୀ, କୌଣସି ଅଂଚଳକୁ ପୌର ପରିଷଦ ବା ମ୍ୟୁନିସିପାଲିଟିର ମାନ୍ୟତା ମିଳିବା ପାଇଁ ସେଠାକାର ସର୍ବନିମ୍ନ ଜନସଂଖ୍ୟା ୨୫,୦୦୦ ରୁ ଅଧିକ ହେବା ଆବଶ୍ୟକ। ବର୍ତମାନ ଧାମନଗର ଏନ୍ଏସି ର ଜନସଂଖ୍ୟା (୨୦୧୧ ଜନଗଣନା ଅନୁଯାୟୀ) ମାତ୍ର ୨୨,୯୨୦ ରହିଛି। ଯଦି ପ୍ରସ୍ତାବିତ ୧୮ ଟି ନୂଆ ମୌଜା ଏଥିରେ ସାମିଲ ହୁଅନ୍ତି, ତେବେ ଏହି ସଂଖ୍ୟା ୩୫,୭୬୦ ରେ ପହଂଚିବ, ଯାହା ପୌର ପରିଷଦ ଗଠନ ପାଇଁ ପଥ ପରିଷ୍କାର କରିବ। ଏହି କଳେବର ବୃଦ୍ଧି ପାଇଁ ୨୦୨୩ ଜାନୁଆରି ମାସରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ‘ଆରବୀ ଆସୋସିଏଟସ’ ପକ୍ଷରୁ ଏଓଝ/ଏଜଝ ସର୍ଭେ କରାଯିବା ପରେ ନିକଟରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଦଳାଙ୍ଗ ପଞ୍ଚାୟତ ରେ ୧୦ ୱାର୍ଡ ଧାମନଗର ଏନ ଏ ସି ରେ ସାମିଲ ପାଇଁ ଗ୍ରାମ ସଭା ଡିସେମ୍ବର ମାସ ୩୦ ରେ କରାଯାଇଥିବାବେଳେ ପୁଣି ଶନିବାର ଦିନ ଉକ୍ତ ପଂଚାୟତ ଅଫିସ୍ ରେ ଗ୍ରାମ ସଭାରେ ସରପଂଚ ରଞ୍ଜିତ ଯେନା,ସମିତି ସଭ୍ୟ ସୁରେଶ ସେଠୀ ସମେତ ଶତାଧିକ ଜନସାଧାରଣ ସରକାର ଙ୍କ ନିଷ୍ପତି କୁ ବିରୋଧ କରିଥିଲେ। ପଂଚାୟତର ବାସିନ୍ଦାମାନେ ସ୍ପଷ୍ଟ କରିଛନ୍ତି ଯେ, ସେମାନେ ପଂଚାୟତ ଶାସନରେ ହିଁ ଖୁସି ଅଛନ୍ତି। ସେମାନଙ୍କର ପ୍ରମୁଖ ଯୁକ୍ତି ଗୁଡ଼ିକ ହେଲା, ଗ୍ରାମ ଗୁଡ଼ିକ ଏନ୍ଏସି ମୁଖ୍ୟାଳୟ ଠାରୁ ୪ ରୁ ୫ କିଲୋମିଟର ଦୂର, ଯାହା ପ୍ରଶାସନିକ ସୁବିଧା ପାଇବାରେ ବାଧା ସୃଷ୍ଟି କରିବ। ସେହିପରି ପୌରସଂସ୍ଥାରେ ସାମିଲ ହେଲେ ହୋଲ୍ଡିଂ ଟ୍ୟାକ୍ସ ଓ ୱାଟର ଟ୍ୟାକ୍ସ ଭଳି ନୂଆ ନୂଆ କର ଦେବାକୁ ପଡ଼ିବ। ସହରୀକରଣ ଦ୍ୱାରା ସେମାନଙ୍କର ଚାଷ ଜମି ନଷ୍ଟ ହେବା ସହ ପାରମ୍ପରିକ ଜୀବନଶୈଳୀ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ଲୋକେ କହିଛନ୍ତି। ଖାଲି ଦଳାଙ୍ଗ ନୁହେଁ, ମୁସ୍ତଫାପୁର ,ଭଗବାନପୁର ଓ ରାଧାବଲ୍ଲଭପୁର ପଂଚାୟତରେ ମଧ୍ୟ ବିରୋଧର ନିଆଁ ଜଳିବାକୁ ଆରମ୍ଭ କଲାଣି। ସୂଚନା ଅନୁସାରେ, ସେଠାକାର ବିରୋଧୀ ଦଳର କର୍ମୀ ଓ ଜନ ପ୍ରତିନିଧିମାନେ ମଧ୍ୟ ଏହି ମିଶ୍ରଣ ପ୍ରସ୍ତାବକୁ ଖାରଜ କରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି।ସରକାରି ଦଳ ର କିଛି ସମର୍ଥକ ବିରୋଧ କୁ ନୀରବ ସମର୍ଥନ ବି କରୁଛନ୍ତି। ଯଦି ଗୋଟିଏ ପରେ ଗୋଟିଏ ଗାଁ ଏହିଭଳି ବିରୋଧ କରନ୍ତି, ତେବେ ଧାମନଗର କୁ ପୌର ପରିଷଦ ମାନ୍ୟତା ଦେବା ସରକାରଙ୍କ ପାଇଁ ବାଧା ସୃଷ୍ଟି କରିବ ।
Home ଜିଲ୍ଲା ପରିକ୍ରମା ଧାମନଗର ଏନ୍ଏସି ସମ୍ପ୍ରସାରଣରେ ‘ବ୍ରେକ୍’ ,ପୌର ପରିଷଦ ମାନ୍ୟତା ଆଶାରେ ଦଳାଙ୍ଗର ‘ନା’ ବିରୋଧରେ ସ୍ୱର...








