Home ଜିଲ୍ଲା ପରିକ୍ରମା ଗଛ କଟାରେ ଶ୍ରୀହୀନ ଧାମନଗର ମହାବିଦ୍ୟାଳୟ

ଗଛ କଟାରେ ଶ୍ରୀହୀନ ଧାମନଗର ମହାବିଦ୍ୟାଳୟ

5

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୭୭ ମସିହାରେ ପ୍ରତିଷ୍ଠିତ ଧାମନଗର ମହାବିଦ୍ୟାଳୟ ଆଜି ନିଜର ସବୁଜ ପରିବେଶ ଓ ପୁରୁଣା ଶୋଭା ହରାଇ ଶ୍ରୀହୀନ ହୋଇପଡ଼ିଛି। ଉନ୍ନତିମୂଳକ କାର୍ଯ୍ୟର ନାମରେ କଲେଜ ପରିସରରୁ ବହୁ ପୁରୁଣା ବଡ଼ ବଡ଼ ଗଛ କଟାଯାଇଥିବାରୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ବର୍ଷ ଧରି ଏହି ଗଛଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ଛାୟା ଓ ଶୀତଳ ପରିବେଶ ଯୋଗାଇ ଆସୁଥିଲା। କିନ୍ତୁ କୌଣସି ପୁନଃରୋପଣ ଯୋଜନା ବିନା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ପର୍ଯ୍ୟାୟକ୍ରମେ ଗଛ କାଟିଦିଆଯାଇଥିବା ଅଭିଯୋଗ ହୋଇଛି। ଆଗକୁ ଖରାଦିନ ଆସୁଛି ଗଛ କଟାଯିବା ପରେ କଲେଜ ପରିସର ତାପଦାହରେ ଜର୍ଜରିତ ହୋଇପଡିବ ଓ ଛାତ୍ରଛାତ୍ରୀମାନେ ଭାରି ଅସୁବିଧାର ସମ୍ମୁଖୀନ ହେବେ।ସୂଚନା ଅନୁସାରେ ମହାବିଦ୍ୟାଳୟ ବିଜ୍ଞାନ ବ୍ଲକର ପୂର୍ବଦିଗରେ ଧାମନଗର-ଦୋବଲ ରାସ୍ତା ସାନ୍ନିଧ୍ୟରେ ଥିବା ପ୍ରାୟ ୨ ଏକର ଜମିରୁ ୪୨ ବର୍ଷରୁ ଅଧିକ ପୁରୁଣା ଗଛ ପ୍ରଥମେ କଟାଯାଇଥିଲା। ପରେ ସମ୍ପୂର୍ଣ୍ଣ ପରିବେଶ ଭିତରେ ଥିବା ଗଛ ସଫା ହୋଇସାରିଲାଣି, ସମୁଦାୟ ଭାବେ ଏହି ସଂଖ୍ୟା ପ୍ରାୟ ୩୦୦ ଛୁଇଁଥିବା ଅଭିଯୋଗ ହୋଇଛି। ଆଗକୁ ଆଉ କିଛି ଗଛ କାଟିବାକୁ ଯୋଜନା ରହିଛି।ଏ ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ବେଜଙ୍କୁ ପଚାରିବାରୁ କୁହନ୍ତି କଲେଜରେ ଉନ୍ନତିମୂଳକ କାର୍ଯ୍ୟ ହେଉଛି। ଗଛ କଟିବା ପାଇଁ ଫରେଷ୍ଟର ବିଭାଗ ଠାରୁ ପରମିସନ ଆଣି ନିୟମ ହିସାବରେ ଗଛ କଟାଯାଇଛି। ଅନ୍ୟପକ୍ଷେ ଗଛ କଟାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ପରିବେଶ ପ୍ରେମୀମାନେ ତୀବ୍ର ନିନ୍ଦା କରିବା ସହ ତୁରନ୍ତ ପୁନଃରୋପଣ ଓ ପରିବେଶ ସନ୍ତୁଳନ ରକ୍ଷା ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.