Home ଜିଲ୍ଲା ପରିକ୍ରମା ଜିଲାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ,ଜଳ ସଂରକ୍ଷଣ ଉପରେ ଜିଲାପାଳଙ୍କ ଗୁରୁତ୍ୱ

ଜିଲାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ,ଜଳ ସଂରକ୍ଷଣ ଉପରେ ଜିଲାପାଳଙ୍କ ଗୁରୁତ୍ୱ

1

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାଣି ପଂଚାୟତ ଓ ଜଳସେଚନ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରାଯାଇପାରିଲେ ଜିଲାର ଚାଷଜମିରେ ଶସ୍ୟ ଉତ୍ପାଦନ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଯଥେଷ୍ଟ ସଫଳତା ମିଳିବ। ଚାଷୀର ଆର୍ଥିକ ସ୍ଥିତି ସୁଦୃଢ ହେବ। ଏଥିସକାଶେ ଜଳସେଚନ ବିଭାଗ କର୍ତୃପକ୍ଷ ଓ ପାଣି ପଂଚାୟତ କର୍ମକର୍ତାମାନେ ପରସ୍ପର ଯୋଗାଯୋଗ ରକ୍ଷା କରିବା ଉଚିତ୍ ବୋଲି ଜିଲାପାଳ ଦିଲ୍ଲୀପ ରାଉତରାଏ ଜିଲାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଅବସରରେ ମତ ପ୍ରକାଶ କରିଛନ୍ତି। ଜିଲା ପରିଷଦ ସମ୍ମିଳନୀ କକ୍ଷରେ ସାଳନ୍ଦୀ କେନାଲ ଡିଭିଜନ ପକ୍ଷରୁ ଆୟୋଜିତ ଜିଲାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଜିଲାପାଳ ଶ୍ରୀ ରାଉତରାଏ ଆହୁରି କହିଲେ ଯେ ଭବିଷ୍ୟତରେ ଜଳର ଘୋର ଅଭାବ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହେବ। ଆଗାମୀ ପିଢି ଏହି ଗୁରୁତର ଜଳସଂକଟର ସମ୍ମୁଖୀନ ହେବେ। ଭବିଷ୍ୟତରେ ଜଳସଂକଟରୁ ରକ୍ଷା ପାଇଁ ଜଳକୁ ଅଯଥା ଅପଚୟ ନକରି ଗଚ୍ଛିତ ରଖିବା ପ୍ରତ୍ୟେକ ବ୍ୟକ୍ତିର କର୍ତବ୍ୟ ହେବା ବୋଲି ସେ କହିଥିଲେ। ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିବା ଶାଳପଡା ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରତାପ କୁମାର ଦାସ ପାଣି ପଂଚାୟତ ପକ୍ଷ ପାଳନର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। ବିଶେଷକରି ଜିଲାରେ ଥିବା ସମସ୍ତ କେନାଲ ଗୁଡିକୁ ଆଧୁନିକ ଜ୍ଞାନ କୌଶଳରେ ସୁଦୃଢୀକରଣ କରି ସମସ୍ତ ଚାଷଜମିକୁ ଜଳ ଯୋଗାଣ ନିମନ୍ତେ ସରକାରଙ୍କ ତରଫରୁ ଡିପିଆର ପ୍ରସ୍ତୁତି ଚାଲିଛି ବୋଲି ସେ କହିଥିଲେ। ସାଳନ୍ଦୀ କେନାଲ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ହିତେଶ କୁମାର ସାହୁ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ, ମୁଖ୍ୟ ଜିଲା ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଭଦ୍ରକ ସାଳନ୍ଦୀ ଜଳସେଚନ ବିଭାଗ, ମାର୍କୋଣା, ଖଇରା ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟସୁନ୍ଦର ମଣ୍ଡଳ, ମନୋଜ କୁମାର ନାୟକ, ଦଶରଥ ମୁର୍ମୁଙ୍କ ସମେତ ଅତିରିକ୍ତ ଜିଲା କୃଷି ଅଧିକାରୀ ଯୋଗ ଦେଇଥିଲେ। ସେହିପରି ଭଦ୍ରକ ପାଣି ପଂଚାୟତର ପ୍ରମୁଖ କର୍ମକର୍ତା ଅନ୍ତର୍ଯ୍ୟାମୀ ତ୍ରିପାଠୀ, ଭରତ ତ୍ରିପାଠୀ, ଶେଷଦେବ ପରିଡା, ଆଖୁଆପଦା ଜଳସେଚନ ବିଭାଗ ଅଧୀନସ୍ଥ ପାଣି ପଂଚାୟତ କର୍ମକର୍ତାମାନେ ଯୋଗ ଦେଇଥିଲେ। ଅନୁଷ୍ଠିତ ଏହି ଉତ୍ସବରେ ବିଭାଜନ ଓ ଜିଲାସ୍ତରରେ ପାଣିର ଉପଯୋଗିତା, ଅପଚୟ ଓ ସୁବିନିଯୋଗ ସଂପର୍କରେ ବକ୍ତୃତା, ସାଧାରଣ ଜ୍ଞାନ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା କୃତି ହାସଲ କରିଥିବା ୨୪ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.