ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୃଷି, କୃଷକ ଓ କୃଷିକ୍ଷେତ୍ରର ସୁରକ୍ଷା ସମେତ ଦେଶର ସଂସଦୀୟ ଗଣତନ୍ତ୍ର, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର ସୁରକ୍ଷା ଓ ନିରାପତା , ସମ୍ବିଧାନ ର ସୁରକ୍ଷା, ସ୍ୱାଧୀନ ବୈଦେଶିକ ନୀତିର ସୁରକ୍ଷା,ଆମ ଦେଶର ସ୍ୱାଧୀନ ପ୍ରତିରକ୍ଷା ନୀତିର ସୁରକ୍ଷା ସମେତ କୃଷକ ସପକ୍ଷବାଦୀ କୃଷି ନୀତି, କେନ୍ଦ୍ର ଓ ରାଜ୍ୟର କୃଷି ବଜେଟ୍ ବୃଦ୍ଧି ଦାବିକରି ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା ୯ ମ ଜିଲ୍ଲା ସମ୍ମିଳନୀ ଧୁଷୁରୀ ସ୍ଥିତ ଧୁଷୁରୀ ଗ୍ରାମ ପଂଚାୟତ କଲ୍ୟାଣ ମଣ୍ଡପ ଠାରେ ଗତ ୨୨, ଅକ୍ଟୋବର ଠାରୁ ଆରମ୍ଭ ହୋଇ ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଏହି ସମ୍ମିଳନୀରେ ଜିଲ୍ଲାର ସମସ୍ତ ଚାଷ ଜମି କୁ ଜଳସେଚନ, ବନ୍ୟା ଓ ମରୁଡି ର ସ୍ଥାୟୀ ପ୍ରତିକାର ଓ କୃଷି ଋଣ ଛାଡ ଦାବିରେ ଆଗାମୀ ଦିନରେ ତୀବ୍ର ଲଢେଇ ହେବା ପାଇଁ ପ୍ରସ୍ତାବ ମାନ ପାରିତ ହୋଇଯାଇଛି । ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ମୋଟ ୯୨ ଜଣ ଚାଷୀ ପ୍ରତିନିଧି ମାନଙ୍କ ମଧ୍ୟରୁ ୨୫ ଜଣ ପ୍ରତିନିଧି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ଏକ ନୂତନ ୧୭ ଜଣିଆ ଜିଲ୍ଲା କମିଟି ସର୍ବସମ୍ମତିକ୍ରମେ ନିର୍ବାଚିତ କରାଗଲା । ଜିଲ୍ଲା ସଭାପତି ଭାବେ ଚାଷୀ ନେତା ଚନ୍ଦ୍ରଶେଖର ନାୟକ ଓ ଜିଲ୍ଲା ସଂପାଦକ ଭାବେ ପ୍ରଫେସର ପ୍ରଭାସ ମହାପାତ୍ର ନିର୍ବାଚିତ ହୋଇଥିଲେ । ଏହି ଉଦଯାପନୀ ଉତ୍ସବରେ ଓଡିଶା କୃଷକ ସଭା ରାଜ୍ୟ ସଭାପତି ଯମେଶ୍ୱର ସାମନ୍ତରାୟ, ରାଜ୍ୟ ଉପସଭାପତି ସିତାଂଶୁ ସେନାପତି, ଅନ୍ୟତମ ଉପସଭାପତି ଅଭିରାମ ବେହେରା, ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ ପ୍ରମୁଖ ଉପସ୍ଥିତ ହୋଇ ନବନିର୍ବାଚିତ କର୍ମ କର୍ତା ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ସଂଗଠନ ର ବରିଷ୍ଠ ନେତା କମ୍ରେଡ ନିରଞ୍ଜନ ପାଣି, ଚନ୍ଦ୍ରମଣି ପଣ୍ଡା, ଅଭିରାମ ବଳ, ନାରାୟଣ ଦାଶ, ଦାମୋଦର ସାହୁ ଓ ନାରାୟଣ ଲେଙ୍କା ଙ୍କୁ ସମ୍ମିଳନୀ କକ୍ଷରେ ଫୁଲ ତୋଡା ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମିଳନୀର ସଫଳତା କାମନା କରି ଭାତୃପ୍ରତିମ ସଂଗଠନ ସିଆଇଟିୟୁ ପକ୍ଷରୁ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ଓଡିଶା କ୍ଷେତମଜଦୂର ୟୁନିୟନ ପକ୍ଷରୁ ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀ, ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ରାଜ୍ୟ ସଂପାଦିକା ସୁରଜିତା ନାୟକ ପ୍ରମୁଖ ବକ୍ତବ୍ଯ ପ୍ରଦାନ କରିଥିଲେ । ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ଶଶିଭୂଷଣ ପଣ୍ଡା, ଚାଷୀ ନେତା ସତ୍ୟମୂର୍ତି ବେହେରା, ରମେଶ ସାହୁ, ପ୍ରତାପ ଦାସ, ବିପ୍ଲବ ଯେନା, ଜୟନୂଲ ଆବେଦିନ ପ୍ରମୁଖ ଆଲୋଚନା କରିଥିଲେ । ଜମି, ଖାଦ୍ୟ ଓ କାମର ଅଧିକାର ର ସୁରକ୍ଷା ଓ କୃଷକ ମାନଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ଭଦ୍ରକ ଜିଲ୍ଲାରେ ସଂଗଠନର ପତାକା ତଳେ ହଜାର ହଜାର କୃଷକ ଏକଜୁଟ ହୋଇ ଲଢେଇ କରିବାକୁ ସମ୍ମିଳନୀରେ ଆହ୍ୱାନ ଦିଆଯାଇଥିଲା । ଆସନ୍ତା ଅକ୍ଟୋବର ୨୬, ୨୭ ଓ ୨୮ ତିନିଦିନ ଧରି ନୟାଗଡ ଜିଲ୍ଲା ରଣପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ଓଡିଶା କୃଷକ ସଭା ର ରାଜ୍ୟ ସମ୍ମିଳନୀ କୁ ସଫଳ କରିବା ପାଇଁ ଜିଲ୍ଲାରୁ ୭ ଜଣ କୃଷକ ପ୍ରତିନିଧି ନିର୍ବାଚିତ ହୋଇଥିଲେ ଓ ଶହ ଶହ ସଂଖ୍ୟାରେ ଏହି ରାଜ୍ୟସ୍ତରୀୟ କୃଷକ ସମାବେଶରେ ଭଦ୍ରକ ଜିଲ୍ଲାର କୃଷକ ମାନେ ସାମିଲ ହେବାକୁ ସମ୍ମିଳନୀରେ ନିଷ୍ପତି ନିଆଯାଇଥିଲା ।








