Home ଜିଲ୍ଲା ପରିକ୍ରମା ଗୁଆମାଳ ବୀଣାପାଣି ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି, ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲା ସ୍କୁଲ...

ଗୁଆମାଳ ବୀଣାପାଣି ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି, ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲା ସ୍କୁଲ ପରିଚାଳନା କମିଟି

2

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ଗୁଆମାଳ ପଂଚାୟତସ୍ଥିତ ବୀଣାପାଣି ହାଇସ୍କୁଲର ପ୍ରଧାନ ଶିକ୍ଷକ ସରୋଜ କୁମାର ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। ସ୍କୁଲ ପରିଚାଳନା କମିଟିର କର୍ମକର୍ତା ଓ ଗ୍ରାମବାସୀ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।ପ୍ରଧାନ ଶିକ୍ଷକ ସ୍କୁଲର ବିଭିନ୍ନ ପ୍ରକାର ଅନିୟମିତତା କରିଥିବା ସେମାନେ ଅଭିଯୋଗ କରିଛନ୍ତି । ସେମାନେ ଏ ସମ୍ପର୍କରେ ବିଭିନ୍ନ ସମୟରେ ଜିଲାପାଳଙ୍କ ସମେତ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେମାନେ ଶନିବାର ପୁନର୍ବାର ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ, ସଚିବ, ଜିଲାପାଳ ପ୍ରମୁଖଙ୍କ ନିକଟରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି। ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ,ପ୍ରଧାନଶିକ୍ଷକ ଦାସ ନିୟମିତ ସ୍କୁଲକୁ ଆସୁନାହାନ୍ତି । ହାଇସ୍କୁଲରେ ୩ ଜଣ ଶିକ୍ଷକଙ୍କ ଆବଶ୍ୟକତା ଥିବାବେଳେ ପ୍ରଧାନଶିକ୍ଷକ ଶିକ୍ଷାଦାନ ନକରିବା ଯୋଗୁଁ ଶିକ୍ଷା କ୍ଷେତ୍ରରେ ଅବହେଳା ସୃଷ୍ଟି ହେଉଛି । ପ୍ରଧାନଶିକ୍ଷକ ମଧ୍ୟାହ୍ନଭୋଜନ ପରିଚାଳନା ଦାୟିତ୍ୱରେ ଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି । ମଧ୍ୟାହ୍ନଭୋଜନ ଚାଉଳ ମହଜୁଦ ରଖାଯାଇ ବାହାରେ ବିକ୍ରି କରାଯାଉଥିବା ଦର୍ଶାଯାଇଛି । ସ୍କୁଲ ପରିଚାଳନା କମିଟିର ନୂତନ ଚେୟାରମ୍ୟାନଙ୍କୁ ପ୍ରଧାନଶିକ୍ଷକ ଗ୍ରହଣ କରୁନଥିବାରୁ ସ୍କୁଲରେ ବିଭିନ୍ନପ୍ରକାର ସମସ୍ୟା ଉପୁଜୁଛି । ସ୍କୁଲର ଉନ୍ନୟନ ପାଇଁ ଆସୁଥିବା ଅର୍ଥ ବିନିଯୋଗ ନକରି ପ୍ରଧାନଶିକ୍ଷକ ହଡ଼ପ କରୁଛନ୍ତି । ମୋବାଇଲରେ ଘଂଟାଘଂଟା ଗପିବା ସହ ବାହାର ଲୋକଙ୍କୁ ସେ ଡକାଇ ଦୀର୍ଘ ସମୟ ଆଳାପ କରିବା ଯୋଗୁଁ ସ୍କୁଲର ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି । ଏପରିକି ପ୍ରଧାନଶିକ୍ଷକଙ୍କ ଅନିୟମିତତା ବିରୁଦ୍ଧରେ ସ୍ୱର ଉଠାଉଥିବା ଅଭିଭାବକଙ୍କ ବିରୁଦ୍ଧରେ ଥାନାରେ ସେ ଅଭିଯୋଗ କରିଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଧାନଶିକ୍ଷକଙ୍କ ମୋବାଇଲ ସହ ହାଇସ୍କୁଲର ସିସି ଟିଭି କ୍ୟାମେରା ଯାଂଚ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସ୍କୁଲରେ ଆବଶ୍ୟକ ଥିବା ଶିକ୍ଷକ ପଦବୀ ପୂରଣ କରିବାକୁ ସ୍କୁଲ ପରିଚାଳନା କମିଟି ଚେୟାରମ୍ୟାନ ବ୍ରହ୍ମାନନ୍ଦ ନାୟକ, ଝରଣା ରାଉତ, ଶାନ୍ତିଲତା ସାମଲ, ଆରତୀ ପାଣିଗ୍ରାହୀ, ତାପସ ତ୍ରିପାଠୀ, ସହଦେବ ମାଝୀ, ସଙ୍ଗୀତା ପତି, ମିତା, ମାଝୀ ନମିତା ନାୟକ, ସୌମ୍ୟରଞ୍ଜନ ନାୟକ, ତାପସ ସାହୁ ପ୍ରମୁଖ ଦାବି ଜଣାଇଛନ୍ତି । ଏ ସମ୍ପର୍କରେ ପ୍ରଧାନଶିକ୍ଷକ ଦାସଙ୍କୁ ପଚାରିବାରୁ ସେ ଅଭିଯୋଗରେ ସତ୍ୟତା ନାହିଁ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.