Home ଜିଲ୍ଲା ପରିକ୍ରମା ତଦନ୍ତ ପାଇଁ ମଧ୍ୟସ୍ଥି ପଠାଇବା ମହଙ୍ଗା ପଡିଲା, ତଦନ୍ତକାରୀ ଅଧିକାରୀ ଏସଆଇ କାର୍ତିକ ଜେନା ନିଲମ୍ବିତ,...

ତଦନ୍ତ ପାଇଁ ମଧ୍ୟସ୍ଥି ପଠାଇବା ମହଙ୍ଗା ପଡିଲା, ତଦନ୍ତକାରୀ ଅଧିକାରୀ ଏସଆଇ କାର୍ତିକ ଜେନା ନିଲମ୍ବିତ, ନକଲି ପୁଲିସ୍ ଗିରଫ

19

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଂଚଳ ଥାନା ଏବେ ବହୁ ବିବାଦକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଗତ କିଛିଦିନ ତଳେ ଏହି ଥାନା ନିକଟ ଏକ ହୋଟେଲରେ ମାସାଧିକ କାଳ ନକଲି ପୁଲିସ୍ ଅଧିକାରୀ ପରିଚୟ ଦେଇ ବିଭିନ୍ନ ଅସାମାଜିକ ତଥା ବେଆଇନ୍ ଚାନ୍ଦା ଓ ଠକେଇରେ ଲିପ୍ତ ରହୁଥିବା ଯୁବକକୁ ପୁଲିସ୍ ସାମାଜିକ ଗଣମାଧ୍ୟମ ଦୃଷ୍ଟିକୁ ଆଣିବା ପରେ ଗିରଫ କରିବାରେ ସଫଳ ହୋଇଥିଲା। ତେବେ ଏଥିନେଇ ଏହି ଥାନାର କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା କରାଯାଇଥିଲା। ଏବେ ପୁଣି ଏକ ନକଲି ପୁଲିସ୍‌ର ଗିରଫଦାରୀରେ ସଂପୃକ୍ତ ଥିବା ଜଣେ ଏସଆଇକୁ ଆଜି ଏସ୍‌ପି ମନୋଜ ରାଉତ ନିଲମ୍ବିତ କରିଛନ୍ତି। ଫଳରେ ଏହି ଥାନାର କାର୍ଯ୍ୟ କରୁଥିବା ଥାନାଧିକାରୀ ଓ ଅନ୍ୟମାନଙ୍କର କାର୍ଯ୍ୟ ଭୂମିକା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବଂ ସାଧାରଣ ଲୋକଙ୍କର ପୁଲିସ୍ ପ୍ରତି ଅବିଶ୍ୱାସ ପ୍ରତିଫଳିତ ହେଉଥିବାବେଳେ ଅପରାଧୀମାନେ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି। ଗତକାଲି ଘଟଣାରୁ ଯାହା ଜଣାଯାଏ ଏହି ଥାନାର ସବ ଇନ୍ସିପେକ୍ଟର କାର୍ତିକ ଜେନାଙ୍କୁ କଲେଇ ପଂଚାୟତ ରସିକାବାଜ ଗ୍ରାମରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ନାମରେ କରିଥିବା ଅଭିଯୋଗ ମୂଳେ ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଥିଲା। ଶ୍ରୀ ଜେନା ଗତକାଲି ପୀଡିତାଙ୍କୁ ଭେଟି ଘଟଣାର ତଦନ୍ତ କରିବେ ବୋଲି ରସିକାବାଜ ଯିବେ ବୋଲି କହିଥିଲେ। କିନ୍ତୁ ଶ୍ରୀ ଜେନା ଧାମନଗର ଖପରପଦା ଗ୍ରାମର ପୀୟୁଷ ତ୍ରିପାଠୀ ନାମକ ଜଣେ ଯୁବକକୁ ନିଜର ବାଇକ୍ ଦେଇ ଉକ୍ତ ଗ୍ରାମକୁ ତଦନ୍ତ ପାଇଁ ପଠାଇଥିଲେ। ପୀୟୁଷ ସେଠାରେ ପହଂଚି ନିଜକୁ ଗ୍ରାମାଂଚଳ ଥାନାର ଜଣେ ଅଧିକାରୀ ଭାବେ ପରିଚୟ ଦେଇ ଡାଏରୀ ଖୋଲି ମହିଳାଙ୍କ ବୟାନ ଲେଖିଥିଲା। ମହିଳା ଜଣକ ପ୍ରଥମେ ତାଙ୍କୁ ବିଶ୍ୱାସ କରି ତଦନ୍ତରେ ସହଯୋଗ କରିଥିଲେ। ମାତ୍ର ନକଲି ପୁଲିସ୍ ଅଧିକାରୀର ପରିଚୟ ଦେଇଥିବା ପୀୟୁଷ ଯେତେବେଳେ ତାଙ୍କୁ ଫୋନ୍ ପେ’ ରେ ୫ ହଜାର ଟଙ୍କା ମାଗିଲା, ସେତେବେଳେ ମହିଳାଙ୍କର ସନ୍ଦେହ ହୋଇଥିଲା। ଏବଂ ପରେ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ପୀୟୁଷ ଧରାପଡିଥିଲା। କିନ୍ତୁ ଗ୍ରାମବାସୀମାନେ ସାଧା ପୋଷାକରେ ଥିବା ପୀୟୁଷର ହାବଭାବ ନେଇ ସନ୍ଦେହ କରି ତାଙ୍କୁ ପୁଲିସ୍‌ର ପରିଚୟ ପତ୍ର ଦେଖାଇବାକୁ କହିଥିଲେ। ଫଳରେ ପୀୟୁଷ ତାହା ନଦେଖାଇ ଗ୍ରାମାଂଚଳ ଥାନାର ଶ୍ରୀ ଜେନାଙ୍କ ନିର୍ଦ୍ଦେଶରେ ଆସିଥିବାର କହିବାରୁ ଗାଁ ଲୋକେ ଘେରିଯାଇ ଅଟକ ରଖି ଏସ୍‌ପି ଶ୍ରୀ ରାଉତଙ୍କୁ ଖବର ଦେଇଥିଲେ। ଫଳରେ ଶ୍ରୀ ରାଉତ ପିସିଆର ଭ୍ୟାନ୍ ପଠାଇ ପୀୟୁଷକୁ ଥାନାରେ ଅଟକ ରଖିଥିଲେ। ଘଟଣାରୁ ଯାହା ଜଣାଯାଏ କିଛିଦିନ ହେବ ଗ୍ରାମାଂଚଳ ଥାନାର ବିଭିନ୍ନ ମାମଲାରେ ତଦନ୍ତକାରୀ ଅଧିକାରୀ ନିଜେ ନଯାଇ ପୀୟୁଷ ଭଳି ଦଲାଲ ମାଧ୍ୟମରେ ହାତ ଚିକ୍କଣ କରିଆସୁଥିଲେ। ଏଭଳି ଦଲାଲଙ୍କ ସକ୍ରୀୟ ଭୂମିକା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ପ୍ରମାଣ ନଥିବାରୁ କେହି ଧରାପଡିନଥିଲେ। ତେବେ ସର୍ବଶେଷ ସମ୍ବାଦରୁ ଯାହା ଜଣାଯାଏ ପୁଲିସ୍ ପୀୟୁଷଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବାବେଳେ ସଂପୃକ୍ତ ମହିଳା ପୀୟୁଷଙ୍କ ନାମରେ ଏକ ମାମଲା ରୁଜୁ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.