ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଇପାସ ଛକରୁ ସରକାର ନଗର ହଳଦିଡିହ ଛକ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ନେଇ ପ୍ରଶାସନ ପକ୍ଷରୁ ଆଗୁଆ ସୂଚନା ଦିଆଯାଇଥିଲା। ଆଜି ଜିଲା ପ୍ରଶାସନ ପକ୍ଷରୁ ଦୁଇଟି ଜେସିବି ସହ ୩ ପ୍ଲାଟୁନ ପୁଲିସ୍ ଫୋର୍ସ ସହାୟତାରେ ଜବରଦଖଲ ଉଚ୍ଛେଦ ପାଇଁ ସେଠାରେ ପହଂଚିଥିଲା। ଏହି ଜବରଦଖଲ ଉଚ୍ଛେଦକୁ ପ୍ରତିବାଦ କରି ଶତାଧିକ ବ୍ୟବସାୟୀ ରାସ୍ତା ଅବରୋଧ କରିବା ସହ ଜେସିବି ସମ୍ମୁଖରେ ବସି ରହିଥିଲେ। ଏବଂ ପୁଲିସ୍ ସେମାନଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଛି। ବ୍ୟବସାୟୀଙ୍କ ସହ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ, କାଉନ୍ସିଲର ଫରିୟାନ ଖାନ୍ଙ୍କ ସମେତ ଅନ୍ୟ ପ୍ରତିନିଧି ସାମିଲ ଥିଲେ। ଘଂଟା ଘଂଟା ଧରି ପ୍ରଶାସନ ସହ ଆଲୋଚନା ହୋଇଥିଲା। ଆନ୍ଦୋଳନକାରୀ ନିଜ ଜିଦ୍ରେ ଅଟଳ ରହିଥିଲେ। ମାଜିଷ୍ଟ୍ରେଟ୍ ଭାବେ ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଂଟିଆ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ପୁଲିସ୍ ଅଧିକାରୀ ଏଏସ୍ପି ଅରୂପ ଅଭିଷେକ ବେହେରା, ଏଏସ୍ପି ଅଂଶୁମାନ ଦ୍ୱିବେଦୀ ବହୁ ସମୟ ଧରି ଆନ୍ଦୋଳନକାରୀଙ୍କ ପ୍ରତିନିଧି ଭାବେ ଉପସ୍ଥିତ ଥିବା କାଉନ୍ସିଲର ଓ ଯୁବନେତା ଜାହିଦ ଖାନ ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ। ଆନ୍ଦୋଳନକାରୀ ଆଜି ଉଚ୍ଛେଦ ବନ୍ଦ କରିବାକୁ ଦାବି କରି ନାରା ବାଜି ଦେଇଥିଲେ। ଜେସିବି ଉପରେ ଚଢି ପ୍ରତିବାଦ କରିଥିଲେ। ପୁଲିସ୍ ୧୦ ରୁ ଅଧିକ ପ୍ରତିବାଦକାରୀଙ୍କୁ ନେଇ ରିଜର୍ଭ ଗ୍ରାଉଣ୍ଡରେ ଅଟକ ରଖିଥିଲା। ପରେ ବାଇପାସ୍ ମଣ୍ଡପ ନିକଟରୁ ଭଙ୍ଗାରୁଜା ଆରମ୍ଭ ହୋଇଥିଲା।








