ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ଶିଳ୍ପୀ କାରିଗରଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି । ଏହାର ସଦ୍ବିନିଯୋଗ କରି ଅନେକ କ୍ଷେତ୍ରରେ ଶିଳ୍ପୀ ମାନେ ସ୍ୱାବଲମ୍ବୀ ହେଉଥୁବା ବେଳେ ଅନେକ କ୍ଷେତ୍ରରେ ବିଭାଗୀୟ ଅଧିକାରୀଙ୍କ ସ୍ଥାଣୁତା ଯୋଗୁ ସରକାରୀ ଅର୍ଥର୍ ଫେରିଯିବା ପରି ଘଟଣା ଦେଖାଯାଇଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ମହାନ୍ତିପଡା ପଚାଂୟତରେ । ଏହି ପଚାଂୟତର ତ୍ରିସାଲିଆ, କୁଣ୍ଡି, ବଉଳଢିହ, ମହାନ୍ତିପଡା ଆଦି ଗ୍ରାମରେ ୩ ଶହରୁ ଉର୍ଦ୍ଧ ଟୋରାକୋଟା ଶିଳ୍ପୀ ରହିଛନ୍ତି । ଦୀର୍ଘବର୍ଷ ଧରି ଶିଳ୍ପୀ ମାନେ ମାଟିରେ ନିର୍ମିତ ବିଭିନ୍ନ ମୂର୍ତୀ, କଣ୍ଢେଇ, ବ୍ୟବହାର ସାମଗ୍ରୀ ଆଦି ପ୍ରସ୍ତୁତ କରିବା ସହ ବଜାରରେ ବିକ୍ରୟ ବଟା କରି ଦୁଇ ପଇସା ରୋଜଗାର କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଏଠାରେ ସାଧାରଣ ସୁବିଧାକେନ୍ଦ୍ର ‘ସୂଜନିକା’ ଗୃହ ନିର୍ମାଣ ପାଇଁ ରାଜ୍ୟ ସରକାର ଦେଢ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ସୁବିଧା କେନ୍ଦ୍ରରେ ଶିଳ୍ପୀ ମାନଙ୍କର ଦକ୍ଷତା ବିକାଶ ପାଇଁ ଉନ୍ନତ ଯନ୍ତ୍ରପାତି, ବ୍ୟବହାର ଏବଂ ବିକ୍ରୀ ବଟାର ସୁବିଧା ନିମିତ ଏହି ଗୃହ ସହାୟକ ହୋଇ ପାରିବ । ଏଠାରେ ଥିବା ପଚାଂୟତ କାର୍ଯ୍ୟାଳୟ ପାଶ୍ୱର୍ରେ ଥିବା ପ୍ଲଟ୍ ନଂ ୩୧୧୦,ଖାତା ନଂ ୮୧୯ ରେ ଥିବା ଏକ ଏକର ୨୪ ଡିସମିଲ୍ ସରକାରୀ ଜମି ମଧ୍ୟରୁ ୨୩ ଡିସମିଲ୍ ଜମି ଚିହ୍ନଟ ହୋଇ ଗୃହ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କ କ୍ଷେତ୍ରୀୟ ତଦନ୍ତ ପରେ ତହସିଲ୍ କର୍ତୁପକ୍ଷଙ୍କୁ ଜମି ଯୋଗାଇ ଦେବା ନେଇ ଆବେଦନ କରାଯାଇଥିଲା । ମାତ୍ର ତହସିଲ୍ କର୍ତୁପକ୍ଷ ପକ୍ଷରୁ ଅଦ୍ୟାବଧି ଜମି ଯୋଗାଇ ଦିଆଯାଇ ପାରିନାହିଁ । ଫଳରେ ଓଡିଶା ହସ୍ତତନ୍ତ୍ର ଓ ବୟନ ଶିଳ୍ପ ବିଭାଗରୁ ମଞ୍ଜୁର ଅର୍ଥ ଫେରି ଯିବାକୁ ବସିଲାଣି । ଏନେଇ ଶିଳ୍ପୀ ଅବନ୍ତି ସାହୁ, ସୁକାନ୍ତି ମୁଦୁଲି, ନୟନା ବେହେରା, ପାର୍ବତୀ ବେହେରା, ରେବଲତା ସାହୁ, ମଞ୍ଜୁଲତା ମୁଦୁଲି, ଗୌରୀ ରଣା, ବାସନ୍ତି ବେହେରା, ଅରୁନ୍ଧତୀ ରଣା, ମାମିନା ସାହୁ, ଗୀତାଞ୍ଜଳି ବେହେରା,ଗୌରୀ ସାହୁ ପ୍ରମୁଖଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ତାଲିମ୍, ବଜାର ବିକ୍ରୟ, ବାହ୍ୟ ଜ୍ଞାନ ଆହରଣ ସାଙ୍ଗକୁ ଉତ୍ପାଦିତ ଦ୍ରବ୍ୟର ମାନ ବୃଦ୍ଧି ଘଟୁନାହିଁ ବୋଲି କହିଛନ୍ତି । ଉଚ୍ଚ କର୍ତୁପକ୍ଷ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଜମି ପ୍ରଦାନ ସହ ନିର୍ମାଣ କାର୍ଯ୍ୟକୁ ଆଗେଇ ନେବା ଦିଗରେ ପଦକ୍ଷେପ ନେଲେ ଶିଳ୍ପୀ କାରିଗର ମାନେ ଉପକୃତ ହୋଇ ପାରିବେ । ପ୍ରକାଶଥାଉକି ଜିଲ୍ଲାରେ ପ୍ରଥମ ଥର ପାଇଁ ସାଧାରଣ ସୁବିଧା କେନ୍ଦ୍ର ‘ସୂଜନିକା’ପାଇଁ ଅର୍ଥ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି । ଏନେଇ ମା ଘଟଂ ବାସୁଳି ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ସୁକାନ୍ତି ମୁଦୁଲି କହନ୍ତି ଭଲ ଘରଟିଏ ନଥିବାରୁ ଆମ୍ଭେ ମାନେ ଗୋଟିଏ ସ୍ଥାନରେ ବସି ଏକାଗ୍ର ଚିତରେ କାର୍ଯ୍ୟ କରି ପାରୁନାହୁଁ । ଏହାକୁ ଦୃଷ୍ଟିରେ ରଖି ଆମ୍ଭେ ଗୃହ ଯୋଗାଇ ଦେବାକୁ ଦାବି କରିଥିଲୁ । ବଡମ୍ବା ସ୍ୱୟଂ ସହାୟକ ଗୋଷ୍ଠୀର ଅବନ୍ତି ସାହୁ କହନ୍ତି,ଆମ୍ଭେ ମଧ୍ୟବିତ ପରିବାରର ନିର୍ମାଣ କରିବା ପରେ ସାମଗ୍ରୀ ରଖିବା ନେଇ ଘରେ ସୁବିଧା ନାହିଁ, ତେଣୁ ସୂଜନିକା ଗୃହ ଅପରିହାର୍ଯ୍ୟ ଅଟେ । ଅନ୍ୟ ପକ୍ଷରେ ବନ୍ତର ଅତିରିକ୍ତ ତହସିଲ୍ଦାର ପ୍ରସନ୍ନ ମହାନ୍ତି ଯୋଗାଯୋଗ କରାଯାଇଥିବା ବେଳେ ସରକାରୀ ଅର୍ଥ କାର୍ଯ୍ୟରେ ଲାଗିବ, ଶତାଧିକ ମହିଳା ସ୍ୱାବଲମ୍ବୀ ହୋଇ ପାରିବେ,ଖୁବ୍ଶୀଘ୍ର ଜମି ଯୋଗାଇ ଦେବାକୁ ଚେଷ୍ଟିତ ଅଛୁ ।








