Home ଜିଲ୍ଲା ପରିକ୍ରମା କାଁପଡ଼ା ବାସୁଳି ନୋଡାଲ ହାଇସ୍କୁଲରେ ଶିକ୍ଷକ ଅଭାବ, ଶିକ୍ଷକ ନିଯୁକ୍ତି ଦାବିରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ...

କାଁପଡ଼ା ବାସୁଳି ନୋଡାଲ ହାଇସ୍କୁଲରେ ଶିକ୍ଷକ ଅଭାବ, ଶିକ୍ଷକ ନିଯୁକ୍ତି ଦାବିରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅବିଭାବକ, ୧ସପ୍ତାହ ପୂର୍ବରୁ ଜଣେ ଶିକ୍ଷକ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଲେ ବିଇଓ

10

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି଼ ବ୍ଲକ କାଁପଡ଼ା ପଂଚାୟର ବାସୁଳି ନୋଡାଲ ହାଇସ୍କୁଲରେ ଶିକ୍ଷକ ଅଭାବ ରହିଛି। ଯାହାଫଳରେ ସ୍କୁଲର ଶିକ୍ଷାଦାନରେ ବାଧାପ୍ରାପ୍ତ ହୋଇଥିବାରୁ ଅବିଭାବକ ଓ ଶିକ୍ଷା ପରିଚାଳନା କମିଟି ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ସକାଳେ ସ୍କୁଲର ଗେଟ ତାଲା ପକାଇ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଶିକ୍ଷକ ପଦବୀ ପୂରଣ ଦାବିରେ ଧାରଣାରେ ବସିଥିଲେ। ବାସୁଳି ନୋଡାଲ ସ୍କୁଲରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୪୧ ଏବଂ ନବମ ଓ ୧୦ମ ଶ୍ରେଣୀରେ ୩୪୩ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏଥିପାଇଁ ୨୨ଜଣ ଶିକ୍ଷକ ଆବଶ୍ୟକ ଥିବା ବେଳେ ମାତ୍ର ୧୨ଜଣ ଶିକ୍ଷକ ପାଠ ପଢ଼ାଉଛନ୍ତି। ଶିକ୍ଷକ ପଦବୀ ପୂରଣ କରିବାକୁ ବିଭିନ୍ନ ସମୟରେ ପରିଚାଳନା କମିଟି ଜିଲାପାଳ, ଜିଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ ଓ ମନ୍ତ୍ରୀଙକ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ। ଅଥଚ ହଠାତ୍ ଜଣେ ଶିକ୍ଷକଙ୍କୁ ବଦଳି କରାଯାଇଥିବାରୁ ଅବିଭାବକ ଓ ପରିଚାଳନା କମିଟି ସଦସ୍ୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘଦିନ ହେବ ସ୍କୁଲରେ ସଂସ୍କୃତ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ପରିଚାଳନା କମିଟି ସଦସ୍ୟ ଓ ଅବିଭାବକ ଧାରଣାରେ ବସିବାକୁ ବାଧ୍ୟ ହୋଇଥିଲେ। ଖବର ପାଇ ସରପଂଚ କୁନ୍ତଳା ମଳିକ ସ୍କୁଲରେ ପହଂଚି ଶିକ୍ଷକ ପଦବୀ ପୂରଣ ନେଇ ବ୍ଲକ ଶିକ୍ଷାଧିକାରୀ ଓ ଜିଲା ଶିକ୍ଷାଧିକାରୀଙ୍କ ସହିତ ଟେଲିଫୋନରେ ଆଲୋଚନା କରିଥିଲେ। ବ୍ଲକ ଶିକ୍ଷାଧିକାରୀ ସୂର୍ଯ୍ୟଶିଖା ମହାନ୍ତି ୧ସପ୍ତାହ ପୂର୍ବରୁ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଜିଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ପଦବୀ ପୂରଣ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ସରପଂଚ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଇଥିଲେ। ମନ୍ତ୍ରୀ ଶ୍ରୀ ସୂରଜ ଖୁବ୍ ଶୀଘ୍ର ୩ଜଣ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ବ୍ଲକ ଶିକ୍ଷାଧିକାରୀ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବିଇଓ ଲକ୍ଷ୍ମୀପ୍ରିୟା ମାଝୀ ଓ ସିଆରସିସି ଶନିଶ୍ଚର ମହାଳିକ ସ୍କୁଲରେ ପହଂଚି ଅବିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିଲା। ଶେଷରେ ମଧ୍ୟାହ୍ନ ୧ଟାରେ ଛାତ୍ରଛାତ୍ରୀମାନେ ଘରକୁ ଫେରି ଯାଇଥିଲେ। ସନ୍ଧ୍ୟାରେ ସ୍କୁଲ ପରିଚାଳନା କମିଟି ଓ ବାସୁଳି କମିଟିର ବୈଠକ ବସିବ। ବୈଠକରେ ଯାହା ନିଷ୍ପତି ହେବ ପୁଣି ସେହି ଅନୁସାରେ ଅବିଭାବକ ଓ ପରିଚାଳନା କମଟି ପକ୍ଷରୁ ପରବର୍ତୀ କାର୍ଯ୍ୟପନ୍ଥା ନିଆଯିବ ବୋଲି ସୂଚନା ଦିଆଯାଇଛି। ପରିଚାଳନା କମିଟି ସଭାପତି ଲମ୍ବୋଦର ଦାସ, ଉପସଭାପତି ବନଲତା ଦାସ, ସଭ୍ୟା ଶକୁନ୍ତଳା ମଳିକ, ରୀନାରାଣୀ ମଳିକ, ବସନ୍ତ କୁମାର ଦାସ, ଅନାଦି ଚରଣ ମଳିକ, ପ୍ରମିଳା ମଳିକ, ସୁଧୀର ମଳିକ, ମାନସୀ ମଲିକ ପ୍ରମୁଖଙ୍କ ସହିତ ବହୁ ଅବିଭାବକ ଓ ଛାତ୍ରଛାତ୍ରୀ ଧାରଣାରେ ସାମିଲ ହୋଇଥିବା ବେଳେ ପୂର୍ବତନ ଜିଲାପରିଷଦ ସଭ୍ୟ କମଳାକାନ୍ତ ଦାସ, ରମାକାନ୍ତ ଦାସ, ସୁବାସ ଚନ୍ଦ୍ର ଦାସ, ବାସୁଦେବ ଦାସ, ସୋମନାଥ ମଲିକ, ଦୁଃଖିରାମ ଦାସ, ମାର୍କଣ୍ଡ ମଳିକ ପ୍ରମୁଖଙ୍କ ସହ ଅନ୍ୟ କେତେତକ ଗ୍ରାମବାସୀ ଧାରଣାର ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.