Home ଜିଲ୍ଲା ପରିକ୍ରମା ଜିଲା ଆଂଚଳିକ ପରିବହନ କାର୍ଯ୍ୟାଳୟ ସର୍ବଦା ଚର୍ଚ୍ଚାରେ, ଡେପୁଟି କମିଶନରଙ୍କୁ ଅନ୍ଧାରରେ ରଖି ଏମ୍‌ଭିଆଇଙ୍କ ‘ମେରି...

ଜିଲା ଆଂଚଳିକ ପରିବହନ କାର୍ଯ୍ୟାଳୟ ସର୍ବଦା ଚର୍ଚ୍ଚାରେ, ଡେପୁଟି କମିଶନରଙ୍କୁ ଅନ୍ଧାରରେ ରଖି ଏମ୍‌ଭିଆଇଙ୍କ ‘ମେରି ରାଏ’ ନୀତି

88

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଭଦ୍ରକ ଜିଲା ଆଂଚଳିକ ପରିବହନ କାର୍ଯ୍ୟାଳୟ ଏବେ ପୁଣି ଥରେ ସନ୍ଦେହ ଘେରକୁ ଆସିଛି। ‘ଖଜୁରୀ ଗଛର କି ଗୁଣ ଗାଇବି, ମୂଳରୁ ପାହାଚ ପାହାଚ’ ଭଳି ଏହି କାର୍ଯ୍ୟାଳୟର ତଳ ଠାରୁ ଉପର ପର୍ଯ୍ୟନ୍ତ ସବୁଥିରେ ଯେଉଁ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି, ତାହା କିଭଳି ଯେ ଡେପୁଟି କମିଶନର ତଥା ଭାରପ୍ରାପ୍ତ ଆଂଚଳିକ ପରିବହନ ଅଧିକାରୀଙ୍କ ନଜରକୁ ନଆସୁଛି, ତାହା ଚର୍ଚ୍ଚାର ବିଷୟ ପାଲଟିଛି। ଏହି କାର୍ଯ୍ୟାଳୟଟିରେ କାର୍ଯ୍ୟରତ ବହୁ କର୍ମଚାରୀ ଭୁବନେଶ୍ୱରସ୍ଥିତ ଗ୍ରୁପ୍ ନଂ-୫ ସିକ୍ୟୁରିଟି ସର୍ଭିସ୍‌, ଯାଜପୁର ଜିଲା ଗରିଆପୁରରେ ଥିବା ମେସର୍ସ ଆରଫିନ୍ ଏଜେନ୍ସି ଏବଂ କଟକ-ପୁରୀ ରୋଡ୍‌ସ୍ଥିତ ଏନଏମ୍ ଏଂଟରପ୍ରାଇଜର୍ସ ଭଳି ୩ ଟି ଆଉଟ୍ ସୋର୍ସିଂ କଂପାନୀ ଅଧୀନରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ସରକାରଙ୍କ ନିର୍ଦ୍ଦେଶ ମୂଳେ ଏମାନଙ୍କୁ ଛଟେଇ କରିବାର ଯେଉଁ ପତ୍ର ତାହା କାର୍ଯ୍ୟାଳୟର ଅଚଳାବସ୍ଥା ପାଇଁ ବାସ୍ତବରେ କାର୍ଯ୍ୟକାରୀ ହୋଇନାହିଁ। ତେବେ ଯେଉଁ ଯେଉଁ ପଦବୀରେ ନିଯୁକ୍ତି ମିଳିଛି, ସେମାନେ ଏବେ ବିନା ପୋଷାକରେ ଆଗକୁ ଦଶ ପାଦ ଆଗେଇ ପିଅନ ଅଫିସରଙ୍କ ଚେୟାରରେ ବସି କାର୍ଯ୍ୟ କଲାଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏ ସଂପର୍କରେ ପୂର୍ବରୁ ବହୁବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିବାବେଳେ କାର୍ଯ୍ୟାଳୟ ପକ୍ଷରୁ ‘ମାର ମାର ଭଣ୍ଡାରିଆକୁ ମାର’ ଭଳି କେତେକ କର୍ମଚାରୀଙ୍କୁ ଛଟେଇ କରିଥିଲେ। କିନ୍ତୁ ଅଳ୍ପଦିନର ବ୍ୟବଧାନ ପରେ ତାହା ପୁଣି ଚିରାଚରିତ ପ୍ରଥାରେ ପରିଣତ ହୋଇଛି ବୋଲି ଜିଲାପାଳ ତଥା ଆଂଚଳିକ ପରିବହନ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ହୋଇଛି। ତେବେ ଏ ସଂପର୍କରେ ମିଳିଥିବା ଅଭିଯୋଗ ମୂଳେ ଏହି କାର୍ଯ୍ୟାଳୟର ଅତିରିକ୍ତ ପରିବହନ ଅଧିକାରୀ ତଥା ଭାରପ୍ରାପ୍ତ ଯାନ ନିରୀକ୍ଷକ ବେଆଇନ୍ ଭାବେ ଲାଙ୍ଗୁଡି ଟ୍ରାକ୍ କେନ୍ଦ୍ରରେ କାର୍ଯ୍ୟରତ ଜଣେ ଅଣତାଲିମପ୍ରାପ୍ତ ଓ ପୋଷାକ ବିହୀନ ସୁରକ୍ଷା କର୍ମୀ ତଥା ରାତ୍ର ଜଗୁଆଳିଙ୍କୁ ପରିବହନ କାର୍ଯ୍ୟାଳୟ ପରିସରରେ ଯାଂଚ ଓ ତନଖି କାର୍ଯ୍ୟରେ ନିଯୁକ୍ତ କରିଛନ୍ତି। କିନ୍ତୁ ଡେପୁଟି କମିଶନରଙ୍କୁ ଅନ୍ଧାରରେ ରଖି ସଂପୃକ୍ତ ଅଧିକାରୀ ଜଣକ ଯେଉଁଭଳି ଭାବେ ଜଣେ ରାତ୍ର ଜଗୁଆଳିକୁ ସିଂହାସନରେ ବସାଇଛନ୍ତି, ତାହା ତଦନ୍ତ ସାପେକ୍ଷ। ଏ ସଂପର୍କରେ ଡେପୁଟି କମିଶନରଙ୍କ ସହ ଯୋଗାଯୋଗ କରିବାରେ ସେ ଏଭଳି କାର୍ଯ୍ୟକୁ ବେଆଇନ୍ ସ୍ୱୀକାର କରି ତାହା ତାଙ୍କ ଅଜାଣତରେ ହେଉଛି ବୋଲି କହିଛନ୍ତି। ଯେଉଁମାନେ ପୂର୍ବରୁ ଯେଉଁ ପଦବୀରେ ଥିଲେ, ସେମାନଙ୍କୁ ସେହି ପଦବୀରେ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଭଦ୍ରକର ସଂପୃକ୍ତ ଏମ୍‌ଭିଆଇ ଜଣକ ନିଜର ‘ମେରି ରାଏ’ ନୀତିରେ କିଭଳି ଓ କେଉଁ ସ୍ୱାର୍ଥରେ ତାହା କରିଚାଲିଛନ୍ତି, ସେ ସଂପର୍କରେ ବିଧିବଦ୍ଧ ତଦନ୍ତ କରିବା ଆବଶ୍ୟକ। କିନ୍ତୁ ଦୀର୍ଘ ୧୮ ବର୍ଷ ତଳେ ସରକାରଙ୍କ ଆବେଦନ ମୂଳେ ନିଯୁକ୍ତି ପାଇଁ ସମସ୍ତ କାଗଜପତ୍ର ଦାଖଲ ପୂର୍ବକ ରାଜ୍ୟ ପରିବହନ କମିଶନରଙ୍କୁ ପତ୍ର ଲେଖିଥିବା ସନାତନ ଦାସଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିଲା ନାହିଁ। ଯେଉଁଥିପାଇଁ ସେ ଏବେ ବାର ଶୁଣ୍ଢି ପିଣ୍ଡା ହୋଇ ଜୀବନର ସାୟାହ୍ନରେ ନିଯୁକ୍ତି ଆଶାରେ ଜିଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ଗୁହାରି କରି ଚାଲିଛନ୍ତି। କିନ୍ତୁ ସରକାରଙ୍କ ସେତେବେଳର ନିର୍ଦ୍ଦେଶନାମାକୁ ଆଜି କାର୍ଯ୍ୟାଳୟର ଅଧିକାରୀମାନେ ପାଣିର ଗାର ଭଳି ଲିଭାଇ ଏଠାରେ ଦୀର୍ଘବର୍ଷରୁ କାର୍ଯ୍ୟରତ ଥାଇ ଏବେ ଅନ୍ୟତ୍ର ଚାକିରୀ କରୁଥିବା ବ୍ୟକ୍ତିବିଶେଷଙ୍କ ସଂପର୍କୀୟଙ୍କୁ ନିଯୁକ୍ତି ଦେବା ଅନୁଚିତ ହୋଇଥିଲେ ମଧ୍ୟ ସନାତନଙ୍କ କ୍ଷେତ୍ରରେ କେବେ କାର୍ଯ୍ୟକାରୀ ହେବ, ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.