Home ଜିଲ୍ଲା ପରିକ୍ରମା ଖରାଛୁଟି ପରେ ଖୋଲିଲା ସ୍କୁଲ, ଫିଲଟର ନଥିବାରୁ ହଇଜା ଆଶଙ୍କା,ଶିକ୍ଷକ ସମସ୍ୟା ନେଇ ପାଠ ପଢାରେ...

ଖରାଛୁଟି ପରେ ଖୋଲିଲା ସ୍କୁଲ, ଫିଲଟର ନଥିବାରୁ ହଇଜା ଆଶଙ୍କା,ଶିକ୍ଷକ ସମସ୍ୟା ନେଇ ପାଠ ପଢାରେ ବ୍ୟାଘାତ ଘଟିପାରେ, ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ

11

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଖରା ଛୁଟି ପରେ ଧାମନଗରରେ ବ୍ଲକ ରେ ବିଦ୍ୟାଳୟ ଗୁଡ଼ିକ ଖୋଲିଛି। ଝାଡ଼ାବାନ୍ତି ବ୍ୟାପିଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପିଲାମାନଙ୍କ ପାଇଁ ସ୍କୁଲ ବନ୍ଦ ଥିଲେ ବି ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସ୍କୁଲ ଆସିଛନ୍ତି। ପଥମ ଦିନରେ ଶିକ୍ଷକମାନେ ଶ୍ରେଣୀଗୃହ ଓ ବିଦ୍ୟାଳୟ ପରିସର ସଫା ସୁତୁରା କରିଛନ୍ତି। ତା ସହିତ ନଳକୂପ ପାଖ, ସନ୍ତସନ୍ତିଆ ଜାଗାରେ ବ୍ଲିଚିଂ ପାଉଡର ପକାଇଛନ୍ତି। ନଳା ସଫା କରାଯାଇଛି। ତା ସହିତ ମଧ୍ୟାହ୍ନ ଭୋଜନ ପାଇଁ ଆସି ଗଛିତ ଥିବା ଚାଉଳ ଓ ରାସନ ସାମଗ୍ରୀର ମାନ ଯାଂଚ କରାଯାଇଛି। ଧାମନଗର ବ୍ଲକରେ ଝାଡ଼ାବାନ୍ତି ବ୍ୟାପିଥିବାରୁ ସଫାସୁତୁରା ଓ ପରିମଳ ବ୍ୟବସ୍ଥାକୁ ଅଧିକ ଧ୍ୟାନ ଦିଆଯାଇଛି। ହେଲେ ଦୁର୍ବଳ ଭିତିଭୂମି ଏହାକୁ ରୋକିବାରେ ସମର୍ଥ ହେବା ଆଶଙ୍କା ରହିଛି। ବ୍ଲକରେ ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ମିଶି ୨୯୩ ଟି ରହିଛି। ଏହା ଭିତରୁ ମାତ୍ର ୨୦ ଟି ସ୍କୁଲରେ ଜଳ ବିଶୋଧନ ଯନ୍ତ୍ର ବା ଫିଲଟର ଲାଗିଛି। ବାକି ସବୁ ସ୍କୁଲର ପିଲା ନଳକୂଅ, ହ୍ୟାଣ୍ଡପଂପ ବା ନଳ ପାଣି ପିଉଛନ୍ତି। ବନ୍ୟା ଅଂଚଳ ଓ ବର୍ଷା ହେଉଥିବାରୁ ଦୂଷିତ ପାଣି ଆସିବା ଆଶଙ୍କା ରହିଛି। ଗୋଟିଏ ପଟେ ଝାଡ଼ାବାନ୍ତି ବ୍ୟାପିଛି। ଆରପଟେ ସ୍କୁଲଗୁଡ଼ିକରେ ଆକ୍ୱାଗାର୍ଡ ବା ଫିଲଟର ଲଗାଯାଇ ନାହିଁ। ଯାହା ଫଳରେ ପିଲାଙ୍କୁ ଝାଡ଼ାବାନ୍ତି ହେବା ଆଶଙ୍କା ରହିଛି। ଖାଲି । ସେହିପରି ୧୪୩ଟି ସ୍କୁଲରେ ପାଚେରୀ ନାହିଁ। କେଉଁଟି ଗଛଲତା ରେ ବାଡ଼ ହୋଇଛି ତ କେଉଁଠି ଫାଙ୍କା ପଡ଼ିଛି। ସେହିପରି ୨୪ ଟି ସ୍କୁଲରେ ରୋଷେଇ ଘର ନଥିବାରୁ ପଦାରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଏ। ଖୋଲା ଆକାଶ ତଳେ ମଧ୍ୟାହ୍ନ ଭୋଜନ କରାଯାଉଥିବାରୁ ପୋକଜୋକ ପଡ଼ି ଖାଦ୍ୟ ବିଷାକ୍ତ ହେବା ସହ ପିଲାଙ୍କ ପ୍ରତି ବିପଦ ରହିଛି। ଅପରପକ୍ଷେ ଛାତ୍ରଛାତ୍ରୀ ଙ୍କ ଅନୁପାତରେ ଶିକ୍ଷକ ବି ଅଭାବ ଅଛନ୍ତି। ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁସାରେ ୧୯୩ ସ୍କୁଲରେ ୭୭୦ ଜଣ ଶିକ୍ଷକ ରହିବା କଥା। ସରକାରଙ୍କ ନିୟମ କହୁଛି, ପ୍ରଥମରୁ ପଂଚମ ଯାଏ ପ୍ରତି ୩୦ ଛାତ୍ରଛାତ୍ରୀଙ୍କୁ ଜଣେ ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ ଏବଂ ଷଷ୍ଠରୁ ଅଷ୍ଟମ ଯାଏ ପ୍ରତି ୩୫ ଜଣ ପିଲାଙ୍କୁ ଜଣେ ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ। ହେଲେ ଏପ୍ରିଲ ମାସର ତଥ୍ୟ ଅନୁସାରେ ଧାମନଗରରେ ୬୩୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ଗତ ମେ ମାସରେ ବି କିଛି ଅବସର ନେଇଛନ୍ତି। ମିଳିଥିବା ତଥ୍ୟ ଅନୁସାରେ ଏବେ ୯୧ଟି ସ୍କୁଲରେ ୧୪୪ ଜଣ ଶିକ୍ଷକ ପଦ ଖାଲି ପଡ଼ିଛି। ୧୭ ଟି ସ୍କୁଲରେ ୩ ରୁ ଅଧିକ ଶିକ୍ଷକ ପଦ ଫାଙ୍କା ରହିଛି। ଅପର ପକ୍ଷରେ ଗୋଟିଏ ଗୋଟିଏ ସ୍କୁଲ ଜଣେ କି ଦି ଜଣ ଶିକ୍ଷକରେ ବି ଚାଲିଛି। ତେବେ ଏନେଇ ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ବିଭିନ୍ନ ବିଦ୍ୟାଳୟ ରେ ସମସ୍ୟା ରହିଛି ଧୀରେ ଧୀରେ ସମାଧାନ ହେଉଚି, ତେବେ ଶିକ୍ଷକ ସମସ୍ୟା ନେଇ ଉପରିସ୍ଥ ଅଧିକାରି ଙ୍କୁ ଅବଗତ କରିଛୁ ଖୁବ ସିଘ୍ର ସମସ୍ୟା ର ସମାଧାନ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.