Home ଜିଲ୍ଲା ପରିକ୍ରମା ତିହିଡ଼ି-ମାଟିଆସାହି ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ, ପଥଚାରୀ ଭୋଗୁଛନ୍ତି ଦୁର୍ଦ୍ଦଶା, ମୁଖ୍ୟମନ୍ତ୍ରୀ ବସ୍ ସେବା ବାଧାପ୍ରାପ୍ତ

ତିହିଡ଼ି-ମାଟିଆସାହି ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ, ପଥଚାରୀ ଭୋଗୁଛନ୍ତି ଦୁର୍ଦ୍ଦଶା, ମୁଖ୍ୟମନ୍ତ୍ରୀ ବସ୍ ସେବା ବାଧାପ୍ରାପ୍ତ

18

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ତିହିଡ଼ି-ମାଟିଆସାହି ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଯାହାଫଳରେ ପଥଚାରୀ ଦୁର୍ଦ୍ଦଶା ଭୋଗୁଥିବା ବେଳେ ମୁଖ୍ୟମନ୍ତ୍ରୀ ବସ୍ ସେବା ବାଧାପ୍ରାପ୍ତ ହୋଇଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଖାଲ ସୃଷ୍ଟି ହୋଇ ପାଣି ଜମି ରହିଛି। ପଥଚାରୀମାନେ ରାସ୍ତାରେ ସୁରୁଖୁରୁରେ ଯାତାୟତ କରିବା ଆଦୌ ସମ୍ଭବପର ହୋଇପାରୁନାହିଁ। ଏହି ରାସ୍ତା ଅବସ୍ଥାକୁ ନେଇ ଅଂଚଳବାସୀ ବିଭିନ୍ନ ସମୟରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ। ଯାହାଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଭାବ ସୃଷ୍ଟି ହୋଇଛି। ତିହିଡ଼ି-ମାଟିଆସାହି ରାସ୍ତା ଉପରେ ଭାଟପଡ଼ା, ସୟା, ମହରମପୁ ଓ ବାହବଳପୁର ପଂଚାୟତର ଲୋକ ନିର୍ଭର କରୁଥିବା ବେଳେ ରାସ୍ତାଟି ବାସୁଦେବପୁର ବ୍ଲକୁ ସଂଯୋଗ ହୋଇଛି। ଯେଉଁଥିପାଇଁ ଏହି ରାସ୍ତାରେ ମଧ୍ୟ ବାସୁଦେବପୁର ବ୍ଲକର ଲୋକ ଯାତାୟତ କରିଥାନ୍ତି। ରାସ୍ତାଟି ବିଭିନ୍ନ ସମୟରେ ମରାମତି ହେଉଛି। ମାତ୍ର ନିମ୍ନମାନର କାମ ପାଇଁ ଖୁବ୍ କମ୍ ଦିନ ମଧ୍ୟରେ ରାସ୍ତା ପୁଣି ଶୋଚନୀୟ ଅବସ୍ଥା ହୋଇପଡ଼ୁଛି। ବର୍ତମାନ ବର୍ଷାଦିନ ହୋଇଥିବାରୁ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ଗାଡ଼ି ମୋଟର ଯିବା ତ ଦୂରର କଥା ଲୋକ ପାଦରେ ଚାଲି ଯିବା କଷ୍ଟସାଧ୍ୟ ହୋଇ ପଡ଼ିଛି। ସରକାର ଗ୍ରାମାଂଚଳକୁ ମୁଖ୍ୟମନ୍ତ୍ରୀ ସେବା ଯୋଜନାରେ ବସ୍ ଚଳାଇଛନ୍ତି। ଲୋକମାନେ ଏହି ବସ୍‌ରେ ଯାତାୟତ କରି ସୁବିଧା ପାଉଛନ୍ତି। ରାସ୍ତା ଶୋଚନୀୟ ହୋଇପଡ଼ିଥିବାରୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଏକ ପ୍ରକାର ଠପ୍ ହେବା ପରି ହୋଇଛି। ଫଳରେ ଲୋକମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ବସ୍ ସେବାରୁ ବଂଚିତ ହୋଇ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତେବେ ତୁରନ୍ତ ରାସ୍ତାର ମରାମତି ଦିଗରେ ପଦକ୍ଷେପ ନିଆଯିବାକୁ ସାଧାରଣରେ ଦାବି କରାଯାଇଛି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ କାନନ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ରାସ୍ତାର ମରାମତି ପାଇଁ ସରକାରଙ୍କୁ ପ୍ରସ୍ତାବ ଯାଇଛି, ଅନୁଦାନ ଆସିଲେ ଟେଣ୍ଡର କରାଯାଇ ମରାମତି କାର୍ଯ୍ୟ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.