ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏବେ ହଇଜା ରୋଗ ବ୍ୟାପିବାରେ ଲାଗିଛି। ଧାମନଗର ହଇଜା ରୋଗରେ ପ୍ରଭାବିତ ହୋଇ ବହୁ ଲୋକ ଆକ୍ରାନ୍ତ ଓ ଗୁରୁତର ହୋଇଛନ୍ତି। ଏହି ଖବର ଜାଣିବା ପରେ ତିହିଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ପାଇଁ ଏକ ଜରୁରୀ ବୈଠକ ସୋମବାର ବ୍ଲକ ଭିଡିଓ କନ୍ଫରେନ୍ସ ହଲରେ ବିଡିଓ ନିରଂଜନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମ୍ଭାବ୍ୟ ହଇଜାର ନିରାକରଣ ପାଇଁ ଲୋକମାନେ ରାସ୍ତାପାଶ୍ୱର୍ରେ ଥିବା ଦୋକାନ ମାନଙ୍କୁ କୌଣସି ଖାଦ୍ୟ ଖାଇବେ ନାହିଁ, ଘରେ ଥିବା ବାସିଖାଦ୍ୟ ଖାଇବେ ନାହିଁ, ବାସନ କୁସନକୁ ଗରମ ପାଣିରେ ଧୋଇବେ ଏବଂ ବଶୋଧିତ ପାନୀୟ ଜଳ କିମ୍ବା ପାଣିକୁ ସିଝାଇ ପିଇବେ। ଯେଉଁ ଗାଁରେ କାହାକୁ ବି ହଇଜା ଆକ୍ରାନ୍ତ ହେବା ଜଣା ପଡ଼ିଲେ ଆଶାକର୍ମୀମାନେ ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ଖବର କରିବେ। ଏଥିସହିତ ଗାଁରେ ହଇଜା ନବ୍ୟାପିବା ପାଇଁ ଆଶାକର୍ମୀମାନେ ଲୋକମାନଙ୍କୁ ସଚେତନ କରାଇବେ। ବ୍ଲକ ଜଳ ପରିମଳ ବିଭାଗ ପକ୍ଷରୁ ବ୍ଲିଚିଂ ପକାଯାଇ ନଳକୂପ ଗୁଡ଼ିକ ବିଶୋଧିତ କରାଯିବା ନେଇ ଆଲୋଚନା କରାଯାଇଥିଲା। ଏହି ବୈଠକରେ ତିହିଡ଼ି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଶୁଭକାନ୍ତ ଓଝା, ଏବିଡିଓ ମାନସ କୁମାର ଜେନା, ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର, ବ୍ଲକ ସହକାରୀ ଯନ୍ତ୍ରୀ ତନୁଜା ମିଶ୍ର, ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ମଧୁସ୍ମିତା ବେହେରା, ସ୍ୱାସ୍ଥ୍ୟ ସୁପର ଭାଇଜର ଅମରେନ୍ଦ୍ର ପୃଷ୍ଟି, କନିଷ୍ଠ ଯନ୍ତ୍ରୀ ଅଲେଖ ତିର୍କୀ, ଏପିଇଓ କାମିନୀଲତା ଓଝା, ଏସଡିସି ପ୍ରଫୁଲ୍ଲ ମଲ୍ଲିକ, ଅଙ୍ଗନୱାଡ଼ି ସୁପର ଭାଇଜର ପ୍ରମିଳା ବେହେରାଙ୍କ ସମେତ ଅଙ୍ଗନୱାଡ଼ି କର୍ମୀ ଓ ଆଶାକର୍ମୀମାନେ ଉପସ୍ଥିତ ଥିଲେ।








