Home ଜିଲ୍ଲା ପରିକ୍ରମା ସୟା ବୃଦ୍ଧାଶ୍ରମର ଅନିୟମିତତା ପ୍ରସଙ୍ଗ, ପ୍ରଶାସନର କ୍ଲିନ୍‌ଚିଟ୍‌କୁ ନେଇ ବୃଦ୍ଧାଶ୍ରମର କର୍ମକର୍ତାଙ୍କ ସାମ୍ବାଦିକ ସମ୍ମିଳନୀ

ସୟା ବୃଦ୍ଧାଶ୍ରମର ଅନିୟମିତତା ପ୍ରସଙ୍ଗ, ପ୍ରଶାସନର କ୍ଲିନ୍‌ଚିଟ୍‌କୁ ନେଇ ବୃଦ୍ଧାଶ୍ରମର କର୍ମକର୍ତାଙ୍କ ସାମ୍ବାଦିକ ସମ୍ମିଳନୀ

7

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ସୟା ପଂଚାୟତ ଅଧୀନ ବାଂଶବାଗ ଗ୍ରାମର ପତିତପାବନ ବୃଦ୍ଧାଶ୍ରମ ଓ ଗୋଶାଳାକୁ ନେଇ କିଛିଦିନ ପୂର୍ବେ କେତେକ ଅନ୍ତେବାସୀ ବିଭିନ୍ନ ଅନିୟମିତତା ଅଭିଯୋଗ ଆଣିଥିଲେ। ଅନ୍ତେବାସୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କ ଅଭିଯୋଗ ଓ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ଅଭିଯୋଗ ଓ ଅସନ୍ତୋଷ କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଗଣମାଧ୍ୟମରେ ଅଭିଯୋଗ ପ୍ରକାଶ ପାଇବା ପରେ ଜିଲାପାଳ ଦିଲୀପ ରାଉତରାୟ ଅଭିଯୋଗର ସତ୍ୟତା ଉପରେ ତଦନ୍ତ କରିବାକୁ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଓ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ। ସେମାନେ ବୃଦ୍ଧାଶ୍ରମକୁ ଆସି ତଦନ୍ତ କରିଥିଲେ। ଏହି ତଦନ୍ତ ରିପୋର୍ଟ ବୃଦ୍ଧାଶ୍ରମର କର୍ମକର୍ତାଙ୍କର ହସ୍ତଗତ ହେବା ପରେ ସେମାନେ ସୋମବାର ବୃଦ୍ଧାଶ୍ରମ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବୃଦ୍ଧାଶ୍ରମର ମୁଖ୍ୟ ଉପଦେଷ୍ଟା ନିରଂଜନ ସେନାପତି ଯୋଗ ଦେଇ ଗତ କିଛିଦିନ ପୂର୍ବେ ବୃଦ୍ଧାଶ୍ରମ ଓ ଗୋଶାଳାର ଅନିୟମିତତାକୁ ନେଇ ଯେଉଁ ଅଭିଯୋଗ ହୋଇଥିଲା ତାହା ସମ୍ପୂର୍ଣ୍ଣ ଭିତିହୀନ ଓ ମିଥ୍ୟା। ଯେଉଁମାନଙ୍କର ମନ୍ଦ ଉଦ୍ଦେଶ୍ୟ ପୂରଣ ନହୋଇ ପାରିଲା ସେମାନେ ଏପରି ମିଥ୍ୟା ଅଭିଯୋଗ ଆଣିଛନ୍ତି। ଅନ୍ତେବାସୀ ଚାଲିବା ପାଇଁ ସମ୍ପୂର୍ଣ୍ଣ ଅକ୍ଷମ। ସେମାନେ ଉପର ମହଲାରୁ ତଳ ମହଲାକୁ ଆସିବାକୁ ଅସମର୍ଥ। ସେମାନଙ୍କୁ କିପରି ଗୋରୁ ଚରାଇବା ଓ ଶାଗ ତୋଳିବା ପାଇଁ କୁହାଯାଉଥିଲା ଜନସାଧାରଣ ତା’ର ବିଚାର କରିବେ। ବୃଦ୍ଧାଶ୍ରମ ଓ ଗୋଶାଳା ବିରୁଦ୍ଧରେ ଯେଉଁମାନେ ଏପରି ଅଭିଯୋଗ କରିଛନ୍ତି ସେମାନଙ୍କର ବ୍ୟକ୍ତିଗତ ଆକ୍ରୋଶ ରହିଛି। ପ୍ରଶାସନିକ ସ୍ତରରେ ଯେଉଁ ତଦନ୍ତ ହୋଇଥିଲା ସେଥିରେ କେତେକ ଅନ୍ତେବାସୀ କରିଥିବା ଅନିୟମିତତା ଅଭିଯୋଗ ଭିତିହୀନ ଓ କପୋଳ କଳ୍ପିତ ବୋଲି ଦର୍ଶାଯାଇଛି। ତେବେ ବୃଦ୍ଧାଶ୍ରମରେ ବର୍ତମାନ ୧୭ଜଣ ଅନ୍ତେବାସୀ ରହିଥିବା ବେଳେ ଗୋଶାଳାରେ ୬୫ ଗୋରୁ ରହିଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୃଦ୍ଧାଶ୍ରମର ସମ୍ପାଦକ ଦୀପକ କୁମାର ବଳ, ସଦସ୍ୟ ସତୀଶ କୁମାର ଶର୍ମା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.