Home ଜିଲ୍ଲା ପରିକ୍ରମା ଭଦ୍ରକ ଓକିଲ ସଂଘର ବାର୍ଷିକ ଉତ୍ସବ

ଭଦ୍ରକ ଓକିଲ ସଂଘର ବାର୍ଷିକ ଉତ୍ସବ

5

ଭଦ୍ରକ, ୨ା୩ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କଳା ସଂସ୍କୃତି ର ମାଟି । ଆଇନସେବା କ୍ଷେତ୍ରରେ ଭଦ୍ରକ ଓଡିଶାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏଠାକାର ପୁରତନ ଆଇନଜୀବୀମାନେ ସାଧାରଣ ଲୋକଙ୍କୁ ଧନ, ଜୀବନ, ସମ୍ମାନ ଓ ସୁରକ୍ଷା ପ୍ରଦାନ କରି ନିଜର ଖ୍ୟାତି ଅର୍ଜନ କରିଛନ୍ତି । ଭଦ୍ରକ ର ଆଇନଜୀବୀମାନେ ପେଶାରେ ସତ୍ୟନିଷ୍ଠ ଓ ନିରପେକ୍ଷ ହୋଇଥିବାରୁ ସାଧାରଣ ଲୋକ ନ୍ୟାୟ ପାଇଥାନ୍ତି । ଲୋକସଂଖ୍ୟା ବୃଦ୍ଧି ସାଙ୍ଗକୁ ମାମଲା ବହୁ ସଂଖ୍ୟାରେ ବଢି ଚାଲିଛି । ସେହିପରି ଆଇନଜୀବୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ବିଚାରପତିମାନେ ତ୍ୱରିତ ନ୍ୟାୟ ପ୍ରଦାନ କରିବାକୁ ଓଡିଶା ହାଇକୋର୍ଟର ଜଷ୍ଟିସ୍ ବିରଜା ଶଙ୍କର ଶତପଥୀ ପରାମର୍ଶ ଦେଇଛନ୍ତି । ଆଜି ଭଦ୍ରକ ଶହୀଦ ସ୍ମୃତି ଭବନ ଠାରେ ଭଦ୍ରକ ଓକିଲ ସଂଘ ର ବାର୍ଷିକ ଉତ୍ସବ-୨୦୨୫ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ଶ୍ରୀ ଶତପଥୀ କହିଲେ ଯେ, ଭଦ୍ରକ ଓକିଲ ସଂଘ ର ଦାବି ଗୁଡିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଓକିଲ ସଂଘ ସଭାପତି ବରିଷ୍ଠ ଅଧିବକ୍ତା ବସନ୍ତ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲା ଦୌରାଜଜ୍ ସଂଗ୍ରାମ କେଶରୀ ପଟ୍ଟନାୟକ ମୁଖ୍ୟବକ୍ତାଭାବେ ଯୋଗଦେଇ କହିଲେ ଯେ, ଭଦ୍ରକ ର ଆଇନସେବା କ୍ଷେତ୍ରରେ ବିଚାରପତି ଓ ଆଇନଜୀବୀମାନଙ୍କ ସମନ୍ୱୟ ରହିବା ଜରୁରି । ଓକିଲ ସଂଘ ସମ୍ପାଦକ ସୂର୍ଯ୍ୟକାନ୍ତ କୁଅଁର ବାର୍ଷିକ ବିବରଣୀ ପାଠ କରିଥିଲେ । ମଂଚ ପରିଚାଳନା ବରିଷ୍ଠ ଆଇନଜୀବୀ ପବନ କୁମାର ଶର୍ମା କରିଥିବା ବେଳେ ବରିଷ୍ଠ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଂଘ ର ଉପ ସଭାପତି ଦିପକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଜଷ୍ଟିସ୍ ବିରଜା ଶଙ୍କର ଶତପଥୀ ଓ ଜିଲ୍ଲା ଦୌରାଜଜ୍ ଶ୍ରୀ ପଟ୍ଟନାୟକଙ୍କୁ ଓକିଲ ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ, ଉତରୀୟ, ବାବା ଆଖଣ୍ଡଳମଣିଙ୍କ ଫଟୋଚିତ୍ର ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହାବ୍ୟତୀତ ଓକିଲ ସଂଘ ପତ୍ରିକା ‘ଦ ଶୋଭନିୟର’କୁ ମୁଖ୍ୟ ଅତିଥି ଓ ଅତିଥିମାନେ ଉନ୍ମୋଚନ କରିଥିଲେ । ସେହିଭଳି ଆଇନସେବା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବହୁ ଆଇନଜୀବୀଙ୍କୁ ସଂଘ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା । ସଂଘ ପକ୍ଷରୁ ଆଗତ ଦାବି ଗୁଡିକ ମଧ୍ୟରେ ଭଦ୍ରକରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠ, ୪ଟି ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟ ପ୍ରତିଷ୍ଠା, ଗୋଟିଏ ଆଡିସନାଲ ଜଜ୍ କୋର୍ଟଙ୍କ ପ୍ରତିଷ୍ଠା, ସବଜଜ୍‌ଙ୍କ କୋର୍ଟ ପ୍ରତିଷ୍ଠା ଓ କୋର୍ଟ ପରିସରରେ ବ୍ୟାଙ୍କ-ପୋଷ୍ଟ ଅଫିସ ଓ ଏଟିଏମ୍ ପ୍ରତିଷ୍ଠା କରିବା ଆଦିକୁ ମୁଖ୍ୟଅତିଥିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.