Home ଜିଲ୍ଲା ପରିକ୍ରମା ଭାରତୀୟ ସୈନିକ ମାନଙ୍କର ତ୍ୟାଗ, ସଂକଳ୍ପ ଓ ପରାକାଷ୍ଠା ଯୋଗୁଁ ଭାରତ ଆଜି ବିଶ୍ୱ ଶକ୍ତିରେ...

ଭାରତୀୟ ସୈନିକ ମାନଙ୍କର ତ୍ୟାଗ, ସଂକଳ୍ପ ଓ ପରାକାଷ୍ଠା ଯୋଗୁଁ ଭାରତ ଆଜି ବିଶ୍ୱ ଶକ୍ତିରେ ପରିଣତ, ଜିଲା ଅବସରପ୍ରପାପ୍ତ ସୈନିକ ସଂଘର ୩୪ତମ ବାର୍ଷିକ ଉତ୍ସବ

7

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ସୈନିକ ମାନଙ୍କର ତ୍ୟାଗ, ସଂକଳ୍ପ ଓ ପରାକାଷ୍ଠା ଯୋଗୁଁ ଭାରତ ଆଜି ବିଶ୍ୱ ଶକ୍ତିରେ ପରିଣତ ହୋଇଛି। ସେମାନଙ୍କର ସାହସ ଏବଂ ବଳିଦାନ ଆମ ଦେଶକୁ ସୁରକ୍ଷା ଦେବା ସହ ସୁରକ୍ଷିତ ରଖିଥାଏ। ଏଣୁ ଆମେ ଭାରତୀୟ ସେନାର ନିଷ୍ଠା ଓ ନିସ୍ୱାର୍ଥପରତା ସେବା ପ୍ରତି ସର୍ବଦା ନତମସ୍ତକ ହେବା ଉଚିତ୍ ବୋଲି ଆଜି ଭଦ୍ରକ ଜିଲା ଅବସରପ୍ରପାପ୍ତ ସୈନିକ ସଂଘର ୩୪ତମ ବାର୍ଷିକ ଉତ୍ସବରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ସୈନିକ ସଂଘର ସଭାପତି ରୋହିତ କୁମାର ରାୟ ଓ ସଂପାଦକ ଅଶୋକ କୁମାର ପାତ୍ରଙ୍କ ମିଳିତ ସଂଯୋଜନାରେ ଆୟୋଜିତ ଏହି ଉତ୍ସବ ପ୍ରାରମ୍ଭରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ଯୁବ ବିଧାୟକ ସିତାଂଶୁ ଶେଖର ମହାପାତ୍ର ସହୀଦ ଭଗତ ସେନା ପକ୍ଷରୁ ସହୀଦ ହୋଇଥିବା ଦେଶ ମାତୃକାର ଅମର ଯବାନଙ୍କ ସ୍ମୃତିସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ସାଧାରଣ ସଂପାଦକ ଶ୍ରୀ ପାତ୍ର ଉପସ୍ଥିତ ସମସ୍ତ ଅତିଥି ଓ ସେମାନଙ୍କ ପରିବାର ବର୍ଗ, ପୁଲିସ୍ ପ୍ରଶାସନ, ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନଙ୍କ ସମେତ ଅବସରପ୍ରାପ୍ତ ସୈନିକମାନଙ୍କ ପରିବାର ବର୍ଗଙ୍କୁ ଏହି ସମାବେଶ ପାଳନର ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇବା ସହ ସମସ୍ତଙ୍କର ନିସ୍ୱାର୍ଥପର ସାହାଯ୍ୟ ଓ ଶ୍ରମଦାନକୁ ପ୍ରଶଂସା କରିଥିଲେ। ସାଂସଦ ଶ୍ରୀ ସେଠୀ ଜିଲାର ସମସ୍ତ ସୈନିକମାନଙ୍କ ପରିବାର ବର୍ଗଙ୍କ ସୁବିଧା ଅସୁବିଧାରେ ସହାୟତାର ହାତ ବଢାଇବା ପାଇଁ ସମସ୍ତଙ୍କୁ ନିବେଦନ କରିବା ସହ ମାର୍ଗଦର୍ଶନ କରିବା ପାଇଁ ଅନୁରୋଧ କରିଥିଲେ। ବିଧାୟକ ଶ୍ରୀ ମହାପାତ୍ର ଏହି ସମାବେଶରେ ଯୋଗଦେଇ ଏହା ଏକ ଉତ୍ସବ ନୁହେଁ, ଏହା ଏକ ଗୌରବ ଓ ସମ୍ମାନର ଦିନ ବୋଲି ସୂଚାଇବା ସହ ଆମର ସେନା ବାହିନୀର ସୌର୍ଯ୍ୟ, ସମର୍ପଣ ଓ ତ୍ୟାଗକୁ ଆଜିର ଦିନରେ ସମସ୍ତେ ସ୍ମରଣ କରି ସେମାନଙ୍କର ଅନୁଭବ, ଅଭିଜ୍ଞତା ଓ ଅନୁଶାସନକୁ ଆଜିର ଯୁବପିଢି ଦେଶ ମାତୃକା ଓ ସମାଜସେବାରେ ବିନିଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ। ଅନୁରୂପ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ମଂଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ଯୋଗଦେଇ ଭାରତୀୟ ସେନାର ଅବସରପ୍ରାପ୍ତ ବୀର ସୈନିକ ଏବଂ ତାଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜ୍ଞାପନ ସହ ସେମାନଙ୍କୁ ଶୁଭ କାମନା ଜଣାଇଥିଲେ। ଏହି ଅବସରରେ ଭଦ୍ରକ ସହରର ଗେଲଟୁଆ ଗ୍ରାମପଂଚାୟତ ଆଦିବାସୀ ବିଦ୍ୟାଳୟର ପରିଚାଳନା କମିଟିର ଅନୁରୋଧ କ୍ରମେ ଜିଲା ଅବସରପ୍ରାପ୍ତ ସୈନିକ ସଂଘର ସଦସ୍ୟ ସୁବେଦାର ସୁରେଶ ମହାରଣା ସେନାରେ ଯୋଗଦାନ କରିବା ପାଇଁ ଅଗ୍ନିବୀର ତାଲିମ୍ ଦେଉଥିବା ବିଷୟ ସଂଘ ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡ. ନାରାୟଣ ଚନ୍ଦ୍ର ସେନାପତି ଯୋଗଦେଇ ଭାରତର ସୈନିକମାନଙ୍କ ସୌର୍ଯ୍ୟ ଓ ବୀର୍ଯ୍ୟର କାହାଣୀ ବର୍ଣ୍ଣନା କରିଥିଲେ। ଏହାପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଡ. ଦିବ୍ୟଜ୍ୟୋତି ତ୍ରିପାଠୀ, ନିରଞ୍ଜନ ସାମଲ, ଆନ୍ତର୍ଜାତୀୟ ତାଇକୋଣ୍ଡୋରେ ୫ମ ସ୍ଥାନ କରିଥିବା ଏୟାରଫୋର୍ସର ଡ. ଅଶୋକ କୁମାର ଲେଙ୍କା, ଇଣ୍ଡିଆନ ଏକ୍ସ ସର୍ଭିସ୍ ମ୍ୟାନ୍ ଲିଗ୍ (ଓଡ଼ିଶା) ର ସାଧାରଣ ସଂପାଦକ ବିଦ୍ୟାଧର ନାୟକ ଓ ରାଉରକେଲାର ସାଧାରଣ ସଂପାଦକ ଧନେଶ୍ୱର ଦାସ, ସମାଜସେବୀ ମଧୁସ୍ମିତା ଧୂପାଳ, ସମାଜସେବୀ ରଶ୍ମିରେଖା ପାତ୍ର, ପ୍ରବୋଦ କୁମାର ମାଝୀ ପ୍ରମୁଖଙ୍କୁ ସଂଘ ପକ୍ଷରୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘ ପକ୍ଷରୁ ଅଶୋକ ମିଶ୍ର, ନାରାୟଣ ଚନ୍ଦ୍ର ଦାସ,ସୁଶାନ୍ତ ଦାସ, ମହେଶ୍ୱର ଦୀକ୍ଷିତ, କାଳନ୍ଦୀ ଚରଣ ସାହୁ, କମଳାକାନ୍ତ ପରିଡା ପ୍ରମୁଖ ଏହି ଉତ୍ସବକୁ ପରିଚାଳନା କରିଥିବାବେଳେ ସୁରେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ କୁମାର ଗୌତମଙ୍କ ପକ୍ଷରୁ ଦେଶାତ୍ମବୋଧକ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.