ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ଆରସା ସେବାସମବାୟ ସମିତି ଓ ମଙ୍ଗଳପୁର ସେବାସମବାୟ ସମିତିରେ ୧୦ ହଜାରରୁ ଅଧିକ କୁଇଂଟାଲ ଧାନ ପଡ଼ିରହିଛି। ଆସନ୍ତା ୧୯ ତାରିଖରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ବର୍ଷାରେ ଯଦି ସମିତିରେ ପଡ଼ିରହିଥିବା ଧାନ ଭିଜେ ତାହାଲେ ସମିତିର ସମ୍ପାଦକମାନେ ଦାୟୀ ରହିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ଆଗାମୀ ୧୯ ତାରିଖରେ ବର୍ଷା ହେବାକୁ ଥିବାବେଳେ ଜିଲ୍ଲାପାଳ ଧାନ କିଣିବାକୁ ମନା କରିଛନ୍ତି। ଯେଉଁ ସମିତିରେ ଗୋଦାମ ଗୃହ ନାହିଁ ସେ ସମିତିମାନଙ୍କରେ ଏବେ ସୁଦ୍ଧା ହଜାର ହଜାର କୁଇଂଟାଲ ଧାନବସ୍ତା ବାହାରେ ପଡ଼ିରହିଛି। ସେଥିମଧ୍ୟରୁ ଆରସା ଓ ମଙ୍ଗଳପୁର ସମିତି ଅନ୍ତର୍ଭୁକ୍ତ। ଏହି ସମିତିରେ ଗୋଦାମ ଗୃହ ନଥିବାରୁ ଚାଷୀମାନଙ୍କଠାରୁ କିଣାଯାଇଥିବା ଧାନ ବସ୍ତା ବାହାରେ ପଡ଼ିରହିଛି। ସମ୍ପାଦକମାନେ ଧାନବସ୍ତାକୁ ରକ୍ଷା କରିବା ପାଇଁ ପଲିଥିନ ଘୋଡ଼ାଇ ଥିଲେ ମଧ୍ୟ ବର୍ଷା ହେଲେ ଧାନବସ୍ତା ଭିଜିବା ନିଶ୍ଚିତ। ଯାହାଫଳରେ ସମିତିର ସମ୍ପାଦକ ନିରୁପାୟ ହୋଇ ଧାନବସ୍ତା ଭିଜିଲେ ସେମାନେ ଦାୟୀ ରହିବେ ନାହିଁ ବୋଲି କହିଛନ୍ତି। ଏହି ସମିତିରୁ ଧାନ ଉଠାଇବା ପାଇଁ ମିଲରମାନଙ୍କୁ ପ୍ରଶାସନ ଓ ସମିତିର ସମ୍ପାଦକମାନେ ବାରମ୍ବାର କହୁଥିଲେ ମଧ୍ୟ ମିଲର ଗାଡ଼ି ପଠାଉନାହାଁନ୍ତି। ଯେଉଁଥିପାଇଁ ସମିତିରେ ହଜାର ହଜାର ଧାନବସ୍ତା ପଡ଼ିରହିଛି। ଏଥିସହିତ ବ୍ଲକର ଅନ୍ୟ ସମିତିରେ ମଧ୍ୟ ଅନୁରୂପ ଅବସ୍ଥା ଦେଖାଦେଇଛି। ଯେଉଁ ସମିତିରେ ନିଜସ୍ୱ ଗୋଦାମ ଗୃହ ନାହିଁ ସେହି ସମିତିରେ ବାହାରେ ଧାନବସ୍ତା ମଧ୍ୟ ପଡ଼ିରହିଛି। ତୁରନ୍ତ ପ୍ରଶାସନ ଧାନ ଉଠେଇବା ପାଇଁ ପଦକ୍ଷେପ ନେବାକୁ ଚାଷୀଙ୍କ ମହଲରେ ଦାବୀ କରାଯାଇଛି।