ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥର ଅଲୀନଗର ଛକ ନିକଟରୁ ତିହିଡି଼ ପୋଲିସ ୨ ଟି ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଜବତ କରିଛି। ଏଥିସହ ପୋଲିସ ଭ୍ୟାନରେ ଥିବା ୨୯ଟି ଗୋରୁଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ପୋଲିସ ୬୧/୨୪ରେ ଏକ ମକଦ୍ଦମା ରୁଜୁ କରିଥିବା ବେଳେ ଗୋରୁ ଚାଲାଣକାରୀଙ୍କୁ ଧରିବାରେ ସକ୍ଷମ ହୋଇନଥିବା ଜଣାଯାଇଛି। ପ୍ରକାଶ ଯେ ତିହିଡି଼ ଓ ଚାନ୍ଦବାଲିର ବିଭିନ୍ନ ଅଂଚଳରୁ ଗୋରୁ ଚାଲାଣ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଚାଲାଣକାରୀମାନେ ଅମାନୁଷିକ ଭାବେ ଗୋଟିଏ ଗାଡ଼ିରେ ୧୫ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଭର୍ତିକରି ଚାଲାଣ କରୁଛନ୍ତି। ଗତ ରବିବାର ରାତିରେ ଏଏସଆଇ ଲକ୍ଷ୍ମଣ ମାରାଣ୍ଡି ରାତି ପେଟ୍ରୋଲିଙ୍ଗରେ ଥିବାବେଳେ ୨ଟି ପିକଅପ ଭ୍ୟାନରେ ଗୋରୁ ବୋଝେଇ ହୋଇ ଯାଉଥିବା ଜାଣିବାକୁ ପାଇଥିଲେ। ଏଏସଆଇ ମାରାଣ୍ଡିଙ୍କ ସମେତ ଅନ୍ୟ ପୋଲିସମାନେ ଭ୍ୟାନକୁ ପିଛା କରିବା ପରେ ଗାଡ଼ି ଚାଳକଙ୍କ ସମେତ ଅନ୍ୟମାନେ ଫେରାର ହୋଇଯାଇଥିଲେ। ତେବେ ପୋଲିସ ୩ଟି ଭ୍ୟାନ (ନଂ ଓଡି ୦୫ବିଭି ୨୨୭୯ ଓ ଓଡି ୨୨ଡବ୍ଲୁ ୦୯୮୬)କୁ ଜବତ କରିବା ସହ ୨୯ଟି ଗୋରୁଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର ହୋଇଥିବା ଗୋରୁମାନଙ୍କୁ ସୟାସ୍ଥିତ ଗୋଶାଳାରେ ଛଡାଯାଇଥିବା ଜଣାଯାଇଛି।