Home ଜିଲ୍ଲା ପରିକ୍ରମା ନୋଟିସ୍ ଜାରି କରିବାକୁ ଆସି ହଟହଟା ହେଲେ ଅବକାରୀ ପୁଲିସ୍

ନୋଟିସ୍ ଜାରି କରିବାକୁ ଆସି ହଟହଟା ହେଲେ ଅବକାରୀ ପୁଲିସ୍

15

ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏକ ବିବାଦୀୟ ମଦ ଜବତ ଘଟଣାର ନୋଟିସ୍ ଦେବାକୁ ଆସି ସ୍ଥାନୀୟ ଲୋକଙ୍କ ଦ୍ୱାରା ହଟହଟା ହୋଇଛି ଅବକାରୀ ପୁଲିସ୍‌। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ କାଜିମହଲା ନିବାସୀ ସେକ୍ ତବରେଜଙ୍କର ଏକ ପିକ୍‌ଅପ୍ ଭ୍ୟାନ୍ ଗତ ୨ ମାସ ପୂର୍ବରୁ ଜବତ ହୋଇଥିଲା। ପରବର୍ତୀ ସମୟରେ ଅବକାରୀ ବିଭାଗ ଦ୍ୱାରା ଜବତ ହୋଇଥିବା ଉକ୍ତ ଗାଡିଟି ଚୋରା କୋଇଲା ନେବାର ବିଷୟ ଜିପିଏସ୍ ଦ୍ୱାରା ଜାଣିବାକୁ ପାଇଥିଲେ ଗାଡି ମାଲିକ ତବରେଜ। ଏହି ଘଟଣା ଜଣାଇବା ପରେ ପୁଲିସ୍ ଉକ୍ତ ଗାଡିଟିକୁ ଏକ ସ୍ଥାନରୁ ଜବତ କରିଥିଲା। ଏହି ଘଟଣାରେ ତବରେଜ ଏକ ପିଟିସନ ପକାଇଥିଲେ। ଉକ୍ତ ପିଟିସନ ମୂଳେ ଗତକାଲି ସେ ହାଜର ହେବା କଥା। ମାତ୍ର ହାଜର ନହେବାରୁ ଆଜି ଅବକାରୀ ବିଭାଗର ଏକ୍ସସାଇଜ୍ ଏସଆଇ ସନ୍ଦୀପ କୁମାର ପାଢୀଙ୍କ ସମେତ କିଛି କର୍ମଚାରୀ ତବରେଜଙ୍କ ଘରକୁ ଆସି ନୋଟିସ୍‌ଟିକୁ ଘରେ ମାରି ମୋବାଇଲ୍‌ରେ ଫଟୋ ଉଠାଇଥିଲେ। ମାତ୍ର ଏହି ଘଟଣାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ତବରେଜଙ୍କ ପରିବାର ଲୋକଙ୍କ କହିବାନୁସାରେ ତାଙ୍କର ଘରଲୋକେ ରୋଷେଇ କରୁଥିବା ଓ ଗାଧୋଉଥିବା ସମୟରେ କର୍ମଚାରୀମାନେ ଜବରଦସ୍ତ ଘରେ ପଶି ମୋବାଇଲ୍‌ରେ ଫଟୋ ଉଠାଇଥିଲେ। ଫଳରେ ତାଙ୍କ ଝିଅ ବୋହୂଙ୍କୁ ଏଭଳି ଅସମ୍ମାନ ଦେଖି ପରିବାର ଓ ସ୍ଥାନୀୟ ଲୋକେ କର୍ମଚାରୀଙ୍କୁ ଅଟକ ରଖି ମୋବାଇଲ୍‌ରେ ଉଠାଇଥିବା ଫଟୋକୁ ଡିଲିଟ୍ କରିବାକୁ କହିଥିଲେ। ଏହି ଘଟଣାକୁ ନେଇ ବହୁ ସମୟ ଧରି ଉତେଜନା ଲାଗି ରହିବାରୁ ପରବର୍ତୀ ସମୟରେ ପୁଲିସ୍ ସେଠାରେ ପହଂଚି ପରିସ୍ଥିତିକୁ ଆୟତକୁ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ଲୋକେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ତେବେ ଏକ୍ସସାଇଜ୍ ଏସ୍‌ଆଇ ଶ୍ରୀ ପାଢୀଙ୍କ କହିବାନୁସାରେ ସେମାନେ ନୋଟିସ୍‌ଟିକୁ ଦେବାପାଇଁ ଆସି କେହି ନନେବାରୁ ଘର କାନ୍ଥରେ ଲଗାଇ ନିୟମ ଅନୁସାରେ ଫଟୋ ଉଠାଉଥିଲେ। ସେମାନେ କୌଣସି ଝିଅ-ବୋହୂଙ୍କର ଫଟୋ ଘର ଭିତରେ ପଶି ଉଠାଇନାହାଁନ୍ତି। ଉପରୋକ୍ତ ସମସ୍ତ ଅଭିଯୋଗ ମିଥ୍ୟା ବୋଲି ସେ ଦର୍ଶାଇଥିଲେ ମଧ୍ୟ ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକ ରଖିଥିଲେ। ପରେ ପୁରୁଣାବଜାର ପୁଲିସ୍ ପହଂଚି ଘଟଣାର ସମାଧାନ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.