Home ଜିଲ୍ଲା ପରିକ୍ରମା ସରକାରଙ୍କ ଦିବ୍ୟାଙ୍ଗ ବର୍ଦ୍ଧିତ ଭତା ଘୋଷଣା ପରେ ପ୍ରମାଣପତ୍ର ପାଇଁ ମେଡିକାଲରେ ପ୍ରବଳ ଭିଡ, ବିଳମ୍ବ...

ସରକାରଙ୍କ ଦିବ୍ୟାଙ୍ଗ ବର୍ଦ୍ଧିତ ଭତା ଘୋଷଣା ପରେ ପ୍ରମାଣପତ୍ର ପାଇଁ ମେଡିକାଲରେ ପ୍ରବଳ ଭିଡ, ବିଳମ୍ବ ନେଇ ମୁଖ୍ୟ ଚିକିତ୍ସାଧିକାରୀଙ୍କ ଉପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତାଗିଦ

10

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଭିନ୍ନକ୍ଷମଙ୍କ ପାଇଁ ମେଡିକାଲ ଯାଂଚ ଜରିଆରେ ପ୍ରମାଣପତ୍ର ଦେଇ ବିଭିନ୍ନ ସୁବିଧା ସୁଯୋଗ ସୃଷ୍ଟି କରିଛନ୍ତି। କିନ୍ତୁ ଭଦ୍ରକ ଜିଲାରେ ଏହି ମେଡିକାଲ ଯାଂଚ ପରେ ମଧ୍ୟ ଦୀର୍ଘମାସ ଧରି ହିତାଧିକାରୀଙ୍କୁ ତାହା ମିଳୁନଥିବାର ଅଭିଯୋଗ ହୋଇଛି। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଯାହା ଜଣାଯାଏ ହଜାର ହଜାର ହିତାଧିକାରୀ ମେଡିକାଲ ଯାଂଚ ପରେ ପ୍ରମାଣପତ୍ରଟିଏ ପାଇବା ପାଇଁ ଅପେକ୍ଷା କରିଛନ୍ତି। ସରକାରଙ୍କ ବର୍ଦ୍ଧିତ ଭିନ୍ନକ୍ଷମ ଭତା ପାଇବାକୁ ୮୦ ପ୍ରତିଶତ ତଳେ ଥିବା ପ୍ରମାଣପତ୍ର ଧାରୀ ଭିନ୍ନକ୍ଷମ ମାନେ ସେମାନଙ୍କର ପ୍ରମାଣପତ୍ରକୁ ମେଡିକାଲରେ ଦାଖଲ କରିବାକୁ ଭିଡ ଲଗାଇଛନ୍ତି। ବିଶେଷକରି ସରକାର ଏବେ ୮୦ ପ୍ରତିଶତ ଅଥବା ତଦୃର୍ଦ୍ଧ୍ୱ ଭିନ୍ନକ୍ଷମଧାରୀଙ୍କୁ ମାସିକ ୩୫୦୦ ଟଙ୍କା ଭତା ଘୋଷଣା କରିବା ପରେ ଏହି ସୀମାରେଖା ତଳେ ଥିବା ହିତାଧିକାରୀ ସେମାନଙ୍କ ଭିନ୍ନକ୍ଷମତାକୁ ବୃଦ୍ଧି କରିବାକୁ ପ୍ରମାଣପତ୍ର ସରେଣ୍ଡର କରିବା ଆରମ୍ଭ କରିଥିବାରୁ ଏବେ ଭଦ୍ରକ ମେଡିକାଲରେ ଭିନ୍ନକ୍ଷମଧାରୀ ନୂଆ ଓ ପୁରୁଣା ଲୋକଙ୍କ ପ୍ରବଳ ଭିଡ ହେଉଛି। ଜିଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ମୂଳେ ଏହି ଜିଲାରେ ମାସରେ ଥରେ ମାନସିକ ମେଡିକାଲ ବୋର୍ଡ ସହିତ ୮ଟି ସାଧାରଣ ମେଡିକାଲ ବୋର୍ଡ ଅନୁଷ୍ଠିତ ହେଉଛି। ପ୍ରତି ବୋର୍ଡରେ ୧୫୦ ରୁ ୨୦୦ ଭିନ୍ନକ୍ଷମଙ୍କର ଯାଂଚ ହେଉଛି। ଜିଲାରେ ମାସିକ ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ୱ ଭିନ୍ନକ୍ଷମଙ୍କ ପରୀକ୍ଷା ହେଉଛି। ମାତ୍ର ଏହି ପରୀକ୍ଷା ପରେ ମାସ ମାସ ଧରି ଲୋକଙ୍କୁ ତାହା ମିଳୁନାହିଁ। ତିହିଡି ଦୋଳସାହି ଅଂଚଳର ଜଣେ ଭିନ୍ନକ୍ଷମଙ୍କର ଯାଂଚ ପରେ ଇତିମଧ୍ୟରେ ଚାରିମାସ ପୂରଣ ହୋଇଥିଲେ ମଧ୍ୟ କର୍ତୃପକ୍ଷ ସାର୍ଟିଫିକେଟ୍ ଦେବାରେ ବିଫଳ ହୋଇଛନ୍ତି। ଯାହାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ କର୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ମଧ୍ୟ ମେଡିକାଲ ଯାଂଚର ୪ ମାସ ପରେ ତାହା ନମିଳିବା ଜିଲା ସ୍ୱାସ୍ଥ୍ୟ ବିଭାଗରେ ଚାଲିଥିବା ଏକ ବଡ ଧରଣର ଦୁର୍ନୀତିକୁ ପଦାରେ ପକାଇଛି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଯୋଗାଯୋଗ କରାଯିବାରେ ସେ ପ୍ରମାଣପତ୍ର ଅପଲୋଡ୍‌ରେ ବିଳମ୍ବ ହେଉଥିବାର କହି ଉକ୍ତ ପ୍ରସଙ୍ଗକୁ ଏଡାଇ ଦେଇଛନ୍ତି। ଅନୁରୂପ ବିଭାଗୀୟ ଡାଟା ଏଂଟ୍ରି ଅପରେଟରଙ୍କୁ ଏ ସଂପର୍କରେ ପଚରାଯିବାରେ ସେ ୱେବ୍‌ସାଇଟ୍ ସମସ୍ୟା ଯୋଗୁଁ ଏହି ଯୋଗାଣ ବିଳମ୍ବିତ ହେଉଥିବାର କହିଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ବର୍ତମାନ ସୁଦ୍ଧା କେତେଜଣ ପ୍ରମାଣପତ୍ର ପାଇବା ତାଲିକାରେ ଅଛନ୍ତି, ତାହା ସ୍ପଷ୍ଟ କରି କହିପାରିନଥିଲେ। ତେବେ ୱେବ୍‌ସାଇଟ୍ ସମସ୍ୟା ହେଉ କିମ୍ବା ଅନ୍ୟ କୌଣସି କାରଣ ହେଉ ଏ କଥା ସତ୍ୟ ଯେ ମେଡିକାଲ ଯାଂଚ ପରେ ଜିଲାରେ ହଜାର ହଜାର ଭିନ୍ନକ୍ଷମ ପ୍ରମାଣପତ୍ର ପାଇବାରୁ ବଂଚିତ ହେଉଛନ୍ତି। ଯାହାକୁ ନେଇ କେବଳ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନୁହଁ ଭଦ୍ରକ ଜିଲା ଭାରତୀୟ ଚିକିତ୍ସିକ ସଂଘ ବୈଠକରେ ସଂଘର ବରିଷ୍ଠ ଉପଦେଷ୍ଟା ଡାକ୍ତର ହରେକୃଷ୍ଣ ନାୟକ ଜିଲାପାଳଙ୍କ ଉପସ୍ଥିତିରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.