Home ଜିଲ୍ଲା ପରିକ୍ରମା ଅସାଧୁ ଅଧିକାରୀଙ୍କ ସହ ଖଣି ଓ ଜଂଗଲ ମାଫିଆଙ୍କ ସଲାସୁତୁରାରେ ଚାଲିଛି ଜଂଗଲ ଓ ଖଣିଜସଂପଦ...

ଅସାଧୁ ଅଧିକାରୀଙ୍କ ସହ ଖଣି ଓ ଜଂଗଲ ମାଫିଆଙ୍କ ସଲାସୁତୁରାରେ ଚାଲିଛି ଜଂଗଲ ଓ ଖଣିଜସଂପଦ ଲୁଟ୍‌, ଓଡ଼ିଶାର ଶୁଆଶାରୀରୁ ପଶ୍ଚିମବଂଗ ପର୍ଯ୍ୟନ୍ତ ଲମ୍ବିଛି ଚେର, ପ୍ରାୟ ୨ ହଜାର କୋଟି ରାଜସ୍ୱ ହାନି ପରେ ବିଭାଗର ଚେତା ପଶିଲା, ୪ଟି ହିଟାଚୀ ଓ ଟିପର ଜବତ, ଜଣେ ଗିରଫ

8

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେଡି ସରକାରର ଦୀର୍ଘ ୨୪ ବର୍ଷ ଶାସନ କାଳରେ ଅବିଭକ୍ତ ବାଲେଶ୍ୱର ଜିଲାର ଖଇରା ତହସିଲ ଅଧୀନସ୍ଥ ଶାରୀଶୁଆ ପାହାଡ ଠାରୁ ଲମ୍ବିଥିବା କପ୍ତିପଦା ତହସିଲ ଅଧୀନସ୍ଥ ଶୁଖୁଆପଟା ପାହାଡ ପର୍ଯ୍ୟନ୍ତ ଲମ୍ବିଥିବା ଜଂଗଲ ଓ ଖଣିଜ ସଂପଦର ଲୁଟ୍ ଏବେବି ଥମିନାହିଁ। ଏ ସମସ୍ତ ଅଂଚଳକୁ ବାଲେଶ୍ୱର ଓ ମୟୂରଭଂଜ ପ୍ରଶାସନ ଦୀର୍ଘଦିନ ହେବ ନିଷେଧାଂଚଳ ଭାବେ ଘୋଷଣା କରି ୧୪୪ ଧାରା ଲାଗୁ କରିଛନ୍ତି। କିନ୍ତୁ ଜଂଗଲ ମାଫିଆଙ୍କ ରାଜ ଓ ଦୁଇ ଜିଲା ପ୍ରଶାସନର ଅସାଧୁ ଅଧିକାରୀଙ୍କ ସହ ଏମାନଙ୍କ ମଧୁଚନ୍ଦ୍ରିକାରେ ଉପରୋକ୍ତ ନିଷେଧାଂଚଳର ୧୪୪ ଧାରା ପାଣି ଫୋଟକା ଭଳି ମିଳାଇଯାଇଛି। ବର୍ତମାନ ବିଜେପିର ମୋହନ ସରକାର ଖଣି ଖାଦାନର ଚୋରା କାରବାରକୁ ରୋକିବା ଦିଗରେ କଡାକଡି ଭାବେ ଆଇନ୍ ଲାଗୁ କରିଥିଲେ ମଧ୍ୟ ସଂପୃକ୍ତ ଦୁଇ ଜିଲାର ଉପରୋକ୍ତ ଅଂଚଳରେ ଜଂଗଲ ଓ ଖଣି ମାଫିଆମାନେ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ଯେଭଳି ଭାବେ ସମସ୍ତ ଅଂକୁଶ ସତ୍ୱେ ଜଂଗଲ ଧ୍ୱଂସ କରି କୋଟି କୋଟି ଟଙ୍କାର ଖଣିଜ ସଂପଦ ଲୁଟ୍ କରୁଛନ୍ତି, ତାହା ସମସ୍ତଙ୍କୁ ବିସ୍ମିତ କରିଛି। ଏବଂ ଏହା ପ୍ରକାରନ୍ତରେ ବିଜେପି ସରକାରକୁ ବଦନାମ କରିବାର ଏକ ଚକ୍ରାନ୍ତ ବୋଲି ଆଲୋଚନା ହେଉଛି। ତେବେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମୟୁରଭଞ୍ଜ ପ୍ରଶାସନ ବାଲେଶ୍ୱର ଜ଼ିଲ୍ଲାର ଶେଷ ଓ ମୟୂରଭଞ୍ଜ ଜିଲ୍ଲା ଆରମ୍ଭରେ ଚାଲିଥିବା ଉପରୋକ୍ତ ବେଆଇନ ଖଣିର ୱାଗନ ବ୍ଲାଷ୍ଟିଙ୍ଗ ଓ ପରିବହନ ବ୍ୟବହୃତ ହେଉଥିବା ଦୁଇଟା ହିଟାଜି ଓ ଦୁଇଟା ଟିପର ଗାଡି ଓ ଜଣେ ଅଭିଯୁକ୍ତକୁ ଗତକାଲି ଧରିବାରେ ସଫଳ ହୋଇଛି। ପ୍ରକାଶ ଥାଉକିଯେ ଉକ୍ତ ଖଣି ଟିକୁ ମନ୍ମଥ ନାୟକ ବେଆଇନ୍ ଭାବେ ଚଲାଉଥିଲେ। ଇତିମଧ୍ୟରେ ଏହି ଖଣିରୁ ପାୟ ୨ ହଜାର କୋଟିର ଟଙ୍କା ରାଜସ୍ୱ ଲୁଟ ହୋଇଥିବାର ଆକଳନ କରାଯାଇଛି। ଗତକାଲିର ଏହି ଚଢାଉରେ କପ୍ତିପଦା ତହସିଲଦାର ଆଶିଷ ମହାପାତ୍ର, ଏସଡିପିଓ ହୃଷିକେଶ ନାଇକ, ଶରତ ଥାନାଧିକାରୀ ରମାକାନ୍ତ ପାତ୍ର, କପ୍ତୀପଦା ଥାନାଧିକାରୀ ପ୍ରକାଶ ଚନ୍ଦ୍ର ରଥ, ଓ ଉଦଳା ଥାନାଧିକାରୀ, କପ୍ତିପଦା ରେଞ୍ଜର , ଶାରୀଶୁଆ ଫରେଷ୍ଟର ଓ ପୋଲିସ ଫୋର୍ସ ସାମିଲ ଥିଲେ। କିଛି ଦିନ ପୂର୍ବରୁ ୟୁପିସି କମିଟିର ଅଧ୍ୟକ୍ଷ ଓ ସିମୁଳିଆର ବିଧାୟକ ପଦ୍ମଲୋଚନ ପଣ୍ଡା ଆଠ ଜଣ ବରିଷ୍ଠ ବିଧାୟକଙ୍କ ସହ ଉକ୍ତ ଅଂଚଳ ପରିଦର୍ଶନ କରି କାର୍ଯ୍ୟ ବନ୍ଦ କରିଥିଲେ। ସେହିଦିନ ବାଲେଶ୍ୱର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଓ ମାଇନିଂ ଅଧିକାରିଣୀ ଓ ଅଧିକାରୀ ଉପସ୍ଥିତ ଥିଲେ। ତେବେ ଏହି ଅଂଚଳରେ ପ୍ରାୟ ୨୫ ଟି ମେଗା କ୍ରସର ରହିଛି। ଫଳରେ ବାଲେଶ୍ୱର ପ୍ରଶାସନର ମଧୁଚନ୍ଦ୍ରିକାରେ ଜଂଗଲ ଓ ଖଣିଜ ସଂପଦ ବେଆଇନ୍ ଭାବେ ଲୁଟ୍ ଚାଲିଛି। ଯାହା ଜଣାଯାଏ ଅବିଭକ୍ତ ବାଲେଶ୍ୱର ଜିଲାର ଖଇରା ତହସିଲ ଅଧୀନସ୍ଥ ଶାରୀଶୁଆ ପାହାଡ, କପ୍ତିପଦା ତହସିଲ ଅଧୀନସ୍ଥ ଶୁଖୁଆପଟା ପାହାଡ ପର୍ଯ୍ୟନ୍ତ ବ୍ୟାପିଛି। ବିଶେଷକରି ଖଇରା ତହସିଲ ଅଧୀନସ୍ଥ ଶୁଆଶାରୀ ପାହାଡର ଖଣି ନଂ ୮୪, ୮୬, ୮୭, ୮୯ ଓ ୯୭ ଏବଂ କପ୍ତିପଦା ତହସିଲ ଅଧୀନସ୍ଥ ଖଣି ନଂ ୧, ୨ ଓ ୩ ରେ ଉଭୟ ଜିଲା ପ୍ରଶାସନ ପକ୍ଷରୁ ନିଷେଧାଂଚଳ ଘୋଷଣା ହୋଇ ୧୪୪ ଧାରା (ବର୍ତମାନର ୧୬୩) ଜାରି କରାଯାଇଛି। ମାତ୍ର ଜଂଗଲ ଓ ଖଣି ମାଫିଆମାନେ ଏହି ଦୁଇଟି ତହସିଲ ଅଂଚଳର ନିଷେଧାଂଚଳରୁ ବ୍ଲାଷ୍ଟିଂ କରାଇ ବେଆଇନ୍ ଭାବେ ୱାଗନ ୱାଗନ ଖଣିଜ ସଂପଦକୁ ଶାରୀଶୁଆ ଠାରୁ ପଶ୍ଚିମବଂଗ ପର୍ଯ୍ୟନ୍ତ ଚୋରା ଚାଲାଣ କରିଚାଲିଛନ୍ତି। ଏଠାରେ ପ୍ରକାଶ ଥାଉକି ଏମାନେ ଦିନ ଦ୍ୱିପ୍ରହରରେ ବ୍ଲାଷ୍ଟିଂ କରି ପାଖରେ ଥିବା ମେଗା କ୍ରସର ଶିଳ୍ପକୁ ବ୍ଲାଷ୍ଟିଂ ପଥର ଯୋଗାଇବା ସହ ମାଇନିଂ ଅଧିକାରୀଙ୍କ ସହ ମଧୁଚନ୍ଦ୍ରିକାରେ ପ୍ରାୟ ୧୫ ହେକ୍ଟର ଜଂଗଲ ନଷ୍ଟ ସହିତ ୭୦ ଫୁଟ୍ ଗଭୀରର ୫୦ କୋଟିରୁ ଉର୍ଦ୍ଧ୍ୱ ରାଜସ୍ୱ ହାନି କରିସାରିଲେଣି। ପ୍ରତିମାସ ଏମାନେ ବେଆଇନ୍ ଭାବେ ଅର୍ଥ କାରବାର କରି ୩ ଶହ ହାଇୱା ଟ୍ରକ୍ ଦ୍ୱାରା ପଥରକୁ ପଶ୍ଚିମବଂଗ ପର୍ଯ୍ୟନ୍ତ ଚୋରା ଚାଲାଣ କରୁଛନ୍ତି। ଏ ଦିଗରେ ମାଇନିଂର ସହାୟକ ନିର୍ଦ୍ଦେଶକ, କପ୍ତିପଦା ରେଂଜର, ତହସିଲଦାର, ଉପଜିଲାପାଳ, ବାରିପଦା ଡିଏଫ୍‌ଓ, ଖଇରା ତହସିଲଦାର, ଥାନା ଆଇଆଇସି, ବାଲେଶ୍ୱର, ବାରିପଦା, କେନ୍ଦୁଝରର ପ୍ରଶାସନିକ ଅଧିକାରୀମାନେ ଦାୟୀ ଅଟନ୍ତି। ଏଣୁ ଓଡ଼ିଶାର ସବୁଠାରୁ ବଡ ଜଂଗଲ, ଖଣିମାଫିଆଙ୍କ ମେଳି ଶୁଆଶାରୀ ଭଳି ଅଂଚଳରୁ ପଶ୍ଚିମବଂଗ ପର୍ଯ୍ୟନ୍ତ ବ୍ୟାପିଥିବାରୁ ଏ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.