ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଗର୍ବ ଗୌରବ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ-୨୦୨୫ ଆୟୋଜନ ଓ କାର୍ଯ୍ୟସୂଚୀର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସୂଚନା ଯୋଗ୍ୟକି ଚଳିତ ଫେବୃୟାରୀ ୧୩ ତାରିଖ ଗୁରୁବାର ଦିନ ଠାରୁ ଆରମ୍ଭ ହେବାକୁ ଯାଉଥିବା ୫ ଦିନିଆ ପଲ୍ଲିଶ୍ରୀମେଳା ଓ କୃଷି ଯନ୍ତ୍ରପାତି ମେଳାକୁ ନେଇ ଭଦ୍ରକ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ-୨୦୨୫ ଆୟୋଜନ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଶାନ୍ତନୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ବିଧାୟକ ସୀତାଂଶୁ ସେଖର ମହାପାତ୍ର ଓ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ଆଭାସି ଜରିଆରେ ଯୋଡ଼ିହୋଇ ସମ୍ମିଳନୀରେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଭଦ୍ରକ ମାଟିର ସାଂସ୍କୃତିକ ମହାକୁମ୍ଭ ଓ ପଲ୍ଲୀଶ୍ରୀ ମେଳାର ପ୍ରଚାର ପ୍ରସାରରେ ସେମାନଙ୍କ ସହଯୋଗ କାମନା କରିଥିଲେ। ମହୋତ୍ସବର ପ୍ରସ୍ତୁତି, ଆଭିମୁଖ୍ୟ ଏବଂ ଏଥିରୁ ଲୋକମାନଙ୍କର ଭରପୁର ମଜା ଉଠାଇବା ପ୍ରସଙ୍ଗରେ ମାନ୍ୟବର ବିଧାୟକ ମତାମତ ରଖିଥିଲେ। ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଏସ୍.ପି.ଡ଼ି.ଆଇ.ବି. ଅଂଶୁମାନ ଦ୍ୱିବେଦୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ମଧ୍ୟ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ। ମହୋତ୍ସବ ଆୟୋଜନରେ ପ୍ରତ୍ୟେକ ଦିନ ଅତିଥି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟରେ ଅତିରିକ୍ତ ଜିଲ୍ଲାପାଳ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ଉଦ୍ଘାଟନୀ ସନ୍ଧ୍ୟାରେ ମାନ୍ୟବରମନ୍ତ୍ରୀ ରବିନାୟଣ ନାଏକ ଉଦ୍ଘାଟକ, ମାନ୍ୟବର ମନ୍ତ୍ରୀ ପୃଥିୀରାଜ ହରିଚନ୍ଦନ ମୁଖ୍ୟଅତିଥି, ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଶିଷ୍ଟ ଅତିଥି ଏବଂ ଭଦ୍ରକ ଜିଲ୍ଲାର ସାଂସଦ ଓ ସମସ୍ତ ବିଧାୟକ ସମ୍ମାନିତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟଦିନ ମାନଙ୍କରେ ଜିଲ୍ଲା ପରିଷଦର ସଭାପତି, ଉପସଭାପତି ଓ ଜିଲ୍ଲାର ସମସ୍ତ ପୌର ଓ ଏନ୍.ଏ.ସି. ଓ ସମସ୍ତ ପଂଚାୟତ ସମିତିର ଅଧ୍ୟକ୍ଷ, ଉଚ୍ଚ ପ୍ରଶାସନିକ ଅଧିକାରୀମାନେ ଅତିଥିଭାବେ ଯୋଗଦେବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ୧ମ ଦିନରେ କଣ୍ଠଶିଳ୍ପୀ ସତ୍ୟଜିତ୍ ପ୍ରଧାନ, ଭାଗ୍ୟଶ୍ରୀଙ୍କ ସଂଗୀତ କାର୍ଯ୍ୟକ୍ରମ, ଗୋଟିପୁଅ, ବିହୁ ଏବଂ ମଣିପୁରୀ ନୃତ୍ୟ, ବ୍ୟାଣ୍ଡ, ସିଜଲରସ୍ ଏବଂ ଶୀତଲଙ୍କ କାର୍ଯ୍ୟକ୍ରମ ରହିଛି। ୧୪ ରେ ଅସୀମା ପଣ୍ଡା ଏବଂ ତାଙ୍କ ଦଳ, ପ୍ରଜ୍ଞା ଓ ଶଙ୍କର, ଶିବାନୀ, ସିଜଲରସ୍ ଏବଂ ପାଇକ ଆଖଡ଼ା, ୧୫ରେ ଅନନ୍ୟା ଚକ୍ରବର୍ତୀ, ସୂର୍ଯ୍ୟମୟୀ, ଅମିତ ଡ୍ୟାନ୍ସଗ୍ରୁପ୍ ଏବଂ ସମ୍ବଲପୁରୀ ନୃତ୍ୟ, ୧୬ ରେ ନକାଶ ଅଜିଜ୍, ଶୈଳେନ୍ଦ୍ର, ଅମିତ ଡ୍ୟାନ୍ସଗ୍ରୁପ, ସୋର୍ଡ଼ ଡ୍ୟାନସ୍ ଏବଂ ୧୭ ରେ ଛଉ ନୃତ୍ୟ ସହ ଉଦ୍ଯାପନୀ ଉତ୍ସବ ପାଳିତ ହେବ। ପ୍ରତ୍ୟେକ ଦିନ ଅପରାହ୍ନ ୪ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏବଂ ଅନ୍ତିମ ଦିନରେ ମଧ୍ୟ ନିର୍ଦ୍ଧାରିତ ସ୍ଥାନୀୟ ପ୍ରତିଭାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ନେଇ ମଧ୍ୟ କାର୍ଯ୍ୟସୂଚୀ ରହିଛି। ଭିଡ଼ ନିୟନ୍ତ୍ରଣ, ପାର୍କିଂ ଆଦି ବିଷୟରେ ଏ.ଏସ୍.ପି. ଶ୍ରୀଯୁକ୍ତ ଦ୍ୱିବେଦୀ ସୂଚନା ପ୍ରଦାନ କରିଥିଲେ।
Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାର ମହକ ଜିଲ୍ଲାମହୋତ୍ସବ ଭଦ୍ରାୟଣୀ – ଜିଲ୍ଲାପାଳ, ସାଂସ୍କୃତିକ ମହାକୁମ୍ଭ ଓ ପଲ୍ଲିଶ୍ରୀ ମେଳା...