Home ଜିଲ୍ଲା ପରିକ୍ରମା ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଧାମରା ବିମାନ ଘାଟିର ରନ୍‌ୱେ ରେ ପରୀକ୍ଷା ମୂଳକ ଭାବେ...

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଧାମରା ବିମାନ ଘାଟିର ରନ୍‌ୱେ ରେ ପରୀକ୍ଷା ମୂଳକ ଭାବେ ଓହ୍ଲାଇଲା ୨-ବି ବିମାନ

26

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶେଷରେ ସମସ୍ତ କଳ୍ପନାଜଳ୍ପନାର ପୂର୍ଣ୍ଣଚ୍ଛେଦ ପକାଇ ଆଜି ନବନିର୍ମିତ ଧାମରା ବିମାନ ବନ୍ଦରରେ ଅବତରଣ କରିଛି ୨-ବି ବିମାନ। ଏଠାରେ ସୂଚନାଯୋଗ୍ୟ ଦୀର୍ଘ ୮ ବର୍ଷ ହେବ ଏହି ବିମାନ ବନ୍ଦର ନିର୍ମାଣ ପାଇଁ ସମୁଦ୍ର କୂଳ ଧାମରା ବନ୍ଦରର ଉତର ପାଶ୍ୱର୍ରେ ଥିବା ହୃଦୟପ୍ରସାଦ ମୌଜାରେ ଆବଶ୍ୟକ ହେଉଥିବା ୫ ଶହ ଏକର ଜମି ଚିହ୍ନଟ ହୋଇ ସ୍ଥାନ ନିରୂପଣ କରାଯାଇଥିଲା। ଏହି ବନ୍ଦର ନିର୍ମାଣ ପାଇଁ ସମୁଦାୟ ୫ ଶହ ଏକର ଜମିର ଆବଶ୍ୟକତା ରହିଥିବାବେଳେ ୩ ବର୍ଷ ପରେ ଭଦ୍ରକ ଜିଲା ପ୍ରଶାସନ ମାତ୍ର ୨୭୨ ଏକର ୭୫ ଡିସିମିଲ୍ ଜମିକୁ ରାଜ୍ୟ ବାଣିଜ୍ୟ ବିଭାଗକୁ ହସ୍ତାନ୍ତର କରିବା ପରେ ଏହାକୁ ଆଦାନୀ ଗ୍ରୁପ୍‌କୁ ବିମାନ ଘାଟି ପାଇଁ ହସ୍ତାନ୍ତର କରାଯାଇଥିଲା। ବଡ ହାବେଳିସାହି, ନନ୍ଦପାଟଣା ଓ ବାଲିମୁଣ୍ଡା ଅଂଚଳରେ ଏହି ଜମି ନିରୂପଣ କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଉପରୋକ୍ତ ଅଂଚଳର ସମସ୍ତ ନାଳ, ପାଣିମାହାରା, ଗୋଚର, ଚାଷଜମି, ପତିତ ଜମିକୁ ରାଜସ୍ୱ ବିଭାଗ କନଭରସନ କରି ବିମାନ ଘାଟି ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ କରିଥିଲା। ଏହି ବିମାନ ସେବା ପୂର୍ବରୁ ବିଭାଗୀୟ ଅଧିକାରୀମାନେ ବହୁବାର ସ୍ଥାନ ପରିଦର୍ଶନ ପୂର୍ବକ ସମସ୍ତ ଯାଂଚ ପ୍ରକ୍ରିୟା ଜାରି ରଖିଥିବାବେଳେ ପୂର୍ବ ଘୋଷଣା ମତେ ଆଦାନୀ କଂପାନୀ ଆଜି ଯୁଦ୍ଧକାଳନୀ ଭିତିରେ ନିର୍ମାଣ ହୋଇଥିବା ୧୨ ଶହ ମିଟର ରନ୍‌ୱେ ରେ ବହୁ ପ୍ରତୀକ୍ଷିତ ୭ ସିଟେଡ୍ ବିଶିଷ୍ଟ ୨-ବି ବିମାନଟିକୁ ଅହମ୍ମଦାବାଦ ବିମାନ ଘାଟିରୁ ଆଜି ଧାମରା ବିମାନ ଘାଟିରେ ଅବତରଣ କରାଇଛି। ତେବେ ଏହାପରେ ଆବଶ୍ୟକ ଥିବା ବଳକା ଜମିକୁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଗାଇଦେବାର ସମସ୍ତ ଯୋଜନା ରହିଥିବା ବିଷୟ ଧାମରା ବିମାନ ବନ୍ଦରର ଇନଚାର୍ଜ ମାନସ ବିଶ୍ୱାଳ ଗଣମାଧ୍ୟମକୁ କହିଛନ୍ତି। ଆଜି ଏହି ବିମାନ ପ୍ରଥମ କରି ପରୀକ୍ଷା ମୂଳକ ଭାବେ ଅବତରଣ କରିବା ପରେ ସମସ୍ତ ବାଦ ବିବାଦର ଅନ୍ତ ଘଟିଛି। ୧୨ ଶହ ମିଟର ରନ୍‌ୱେ ରେ ଆଜି ଏହି ଟ୍ରାଏଲ ବିମାନ ସୁରକ୍ଷିତ ଭାବେ ଓହ୍ଲାଇବା ପରେ ଜିଲାବ୍ୟାପୀ ଖୁସିର ଲହରି ଖେଳିଯାଇଛି। କାହିଁକି ନା ଆସନ୍ତା ଦିନରେ ଧାମରା ଏକ ଶିଳ୍ପନଗରୀରେ ପରିଣତ ହେବାକୁ ଯାଉଥିବାବେଳେ ଭଦ୍ରକ ଜିଲାରେ ବିଭିନ୍ନ ଶିଳ୍ପର ବିକାଶ ନିମନ୍ତେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ଶିଳ୍ପପତିମାନେ ସେମାନଙ୍କର ସବୁଜ ସଂକେତ ଦେଇସାରିଛନ୍ତି। ଏଥିପାଇଁ ପୂର୍ବ ବିଜେଡି ସରକାରଙ୍କ ଅମଳରେ ୨୦୧୭ ମସିହାରେ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଧାମରାରେ ବିମାନ ଘାଟି ପାଇଁ ଆଦାନୀ ଗ୍ରୁପ୍ ଅଫ୍ କଂପାନୀକୁ ଅନୁମତି ମିଳିଥିଲା। ତେବେ ବହୁ ବାଦ ବିବାଦ ପରେ ନିର୍ମାଣ ହୋଇଥିବା ଏହି ରନ୍‌ୱେ ରେ ଆଜି ୨-ବି ନାମକ ଛୋଟିଆ ବିମାନଟି ଅବତରଣ କରିଛି। ତେବେ ଏହି ବିମାନ ଘାଟିଟି ତାର କଳେବରକୁ ବୃଦ୍ଧି କରି ରନ୍‌ୱେଟିକୁ ୩.୫ କିଲୋମିଟର କରିବା ପାଇଁ ସଂପୃକ୍ତ ବିଭାଗ ଇତିମଧ୍ୟରେ ନିର୍ଦ୍ଦେଶ ଦେଇସାରିଛି। ତେଣୁ ଆଦାନୀ ବନ୍ଦର କଂପାନୀ ଆଜି ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ଯୁଦ୍ଧକାଳନୀ ଭିତିରେ ନିର୍ମାଣ କରିଥିବା ୧୨ ଶହ ମିଟର ରନ୍‌ୱେ ରେ ପୂର୍ବ ଘୋଷଣା ମତେ ଉପରୋକ୍ତ ବିମାନଟିକୁ ଅବତରଣ କରାଇଛି। ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାର ଏହି ବିମାନ ବନ୍ଦରଟି ପାଇଁ ଆବଶ୍ୟକ ଜମି ଯୋଗାଇଦେବେ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.