Home ଜିଲ୍ଲା ପରିକ୍ରମା ଟାଇମ୍ ପାସ୍ ସାହିତ୍ୟ ଉତ୍ସବ, ଦ୍ୱିତୀୟ ସାଳନ୍ଦୀ ସାହିତ୍ୟ ସଙ୍ଗମରେ ପ୍ରଦାନ କରାଯିବ ୧୪ଟି ପୁରସ୍କାର

ଟାଇମ୍ ପାସ୍ ସାହିତ୍ୟ ଉତ୍ସବ, ଦ୍ୱିତୀୟ ସାଳନ୍ଦୀ ସାହିତ୍ୟ ସଙ୍ଗମରେ ପ୍ରଦାନ କରାଯିବ ୧୪ଟି ପୁରସ୍କାର

13

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ସ୍ୱନାମଧନ୍ୟ ପ୍ରକାଶନ ସଂସ୍ଥା ‘ଟାଇମ୍‌ପାସ’ ପକ୍ଷରୁ ଆମାଗୀ ଫେବୃଆରୀ ମାସରେ ଆୟୋଜିତ ହେବାକୁ ଯାଉଥିବା ଦ୍ୱିଦିବସୀୟ ସାହିତ୍ୟ ଉତ୍ସବ ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ରେ ବିଭିନ୍ନ ବର୍ଗରେ ପ୍ରଦାନ କରାଯିବ ୧୪ଟି ରାଜ୍ୟସ୍ତରୀୟ ପୁରସ୍କାର ଓ ସମ୍ମାନ। ସାଳନ୍ଦୀ ବାଇପାସସ୍ଥିତ ଜଗନ୍ନାଥ ମନ୍ଦିରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ସବର ନିର୍ଦ୍ଦେଶକ ସରୋଜ ବଳ ସୂଚନା ଦେଇ କହିଥିଲେ ଯେ ଭଦ୍ରକ ମାଟିରେ ଜନ୍ମିତ ସୁଖ୍ୟାତ ପୂର୍ବସୁରୀଙ୍କ ନାମରେ ନାମିତ ଏହିସବୁ ପୁରସ୍କାର କେବଳ ପ୍ରତିଭାପୂଜା ନୁହେଁ, ବରଂ ପରପିଢ଼ିଙ୍କୁ ପୂର୍ବପିଢ଼ି ସହିତ ଯୋଡ଼ିବାର ଏକ ବିନମ୍ର ପ୍ରୟାସ। ଏହିକ୍ରମରେ ଚଳିତବର୍ଷ କବିଶେଖର ଚିନ୍ତାମଣି ମହାନ୍ତି କବିତା ପୁରସ୍କାର ପାଇଁ ବିଶିଷ୍ଟ କବି ତଥା ଗୀତିକାର ଦେବଦାସ ଛୋଟରାୟ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଗଳ୍ପ ପୁରସ୍କାର ପାଇଁ ଗାଳ୍ପିକ ତରୁଣକାନ୍ତି ମିଶ୍ର, ନିତ୍ୟାନନ୍ଦ ମହାପାତ୍ର ଉପନ୍ୟାସ ପୁରସ୍କାର ପାଇଁ କଥାକାର ରାମଚନ୍ଦ୍ର ବେହେରା, ହରେକୃଷ୍ଣ ମହତାବ ପ୍ରବନ୍ଧ ପୁରସ୍କାର ପାଇଁ ଗଦ୍ୟକାର ଡ. ବିବୁଧରଞ୍ଜନ, ବଂଶୀବଲ୍ଲଭ ଗୋସ୍ୱାମୀ ନାଟକ ପୁରସ୍କାର ପାଇଁ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ନାଟ୍ୟବ୍ୟକ୍ତିତ୍ୱ ସୁବୋଧ ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ମହାନ୍ତି ଅନୁବାଦ ପୁରସ୍କାର ପାଇଁ ସ୍ନେହପ୍ରଭା ଦାସ, ମନମୋହନ ସାବତ ସଙ୍ଗୀତ ପୁରସ୍କାର ପାଇଁ କଣ୍ଠଶିଳ୍ପୀ ତାନସେନ୍ ସିଂ ଏବଂ ନୀରଦ ମହାପାତ୍ର ଚଳଚ୍ଚିତ୍ର ପୁରସ୍କାର ପାଇଁ ବିଶିଷ୍ଟ ସିନେମା ନିର୍ଦ୍ଦେଶକ ବସନ୍ତ ସାହୁ ମନୋନୀତ ହୋଇଛନ୍ତି। ଏଥିସହିତ ଓଡ଼ିଆ ସାହିତ୍ୟର ପ୍ରତିଷ୍ଠା ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଥିବା ୬ ଜଣ ବ୍ୟକ୍ତିଙ୍କୁ ‘ସାହିତ୍ୟସଖା’ ସମ୍ମାନ ପ୍ରଦାନ କରାଯିବ। ସାହିତ୍ୟ ପ୍ରୋତ୍ସାହକ ପ୍ରଶାନ୍ତ ଭୂୟାଁ (ଆମେରିକା), ଗ୍ରନ୍ଥାଗାରିକ ଦାମୋଦର ନନ୍ଦ, ସାହିତ୍ୟାନୁରାଗୀ ଅରୁଣ ଖିଲାର, ସାହିତ୍ୟ ସଂଗଠକ କୈଳାସ ଚନ୍ଦ୍ର ପଣ୍ଡା, ପତ୍ରିକା ସଂପାଦକ ରମାକାନ୍ତ ଜେନା ଏବଂ ପୁସ୍ତକ ପ୍ରକାଶକ ଅଭୟ ଦାସ ଏହି ସମ୍ମାନ ପାଇବେ। କେବଳ ଲେଖକ ନୁହନ୍ତି ଚଳିତବର୍ଷ ଦର୍ଶକମାନଙ୍କୁ ମଧ୍ୟ ‘ଦୀକ୍ଷିତ ଦର୍ଶକ’ ସମ୍ମାନ ପ୍ରଦାନ କରାଯିବାକୁ ନିଷ୍ପତି ହୋଇଛି। ଏଥିସହିତ ବିଭିନ୍ନ ଅଧିବେଶନରେ ଉପସ୍ଥିତ ବ୍ୟକ୍ତିମାନଙ୍କୁ ସମ୍ମାନ ଓ ସଂବର୍ଦ୍ଧନା ପ୍ରଦାନ କରାଯିବ। ଆଗାମୀ ଫେବୃଆରୀ ୮ ଓ ୯ ଦୁଇଦିନ ଧରି ସାଳନ୍ଦୀ ବାଇପାସସ୍ଥିତ ‘ସଙ୍ଗମ କନ୍‌ଭେନ୍‌ସନ୍‌’ରେ ଏହି ଉତ୍ସବ ଅନୁଷ୍ଠିତ ହେବ ଓ ଏହାକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି ବୋଲି ଉତ୍ସବର ସଭାପତି ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଜଣାଇଛନ୍ତି। ଏହି ସମ୍ମଳିନୀରେ ଉତ୍ସବର ଉପସଭାପତି କିଶୋର ପାଣିଗ୍ରାହୀ, ପରିଚାଳନା ସଂପାଦକ ସୌମ୍ୟଶ୍ରୀ ପାଣିଗ୍ରାହୀ, ଭଦ୍ରକ ଜିଲା ସଂଯୋଜକ ପତିତ ପାବନ ପାଣି, ସହ ସଂଯୋଜକ ବିଚିତ୍ରାନନ୍ଦ ଜେନାଙ୍କ ସମେତ ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦସ୍ୟଗଣ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.