ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ୧୫ତମ ଜାତୀୟ ମତଦାତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସହକାରୀ ଜିଲ୍ଲାପାଳ, ନିର୍ବାଚନ ସାଗରିକା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ଦିବସ ଭିତିକ ସମସ୍ତ କାର୍ଯ୍ୟକ୍ରମକୁ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ଏବଂ ଏସ୍.ପି. ମାଡ଼କର ସନ୍ଦୀପ ସମ୍ପତ ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରବେଶ ପଥ ନିକଟସ୍ଥ ଆଇ ଲଭ ପଏଂଟ ରେ ଆୟୋଜିତ ଆକର୍ଷଣୀୟ ପୁଷ୍ପ ପ୍ରଦର୍ଶନୀକୁ ଫିତାକାଟି ଅତିଥି ମାନେ ଉଦ୍ଘାଟନ କରି ପତାକା ପ୍ରଦର୍ଶନ ପୂର୍ବକ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ସହକାରୀ ନିର୍ଦ୍ଦେଶକ ଉଦ୍ୟାନ ହୃଦାନନ୍ଦ ଦାସ, ପୌରପାଳିକା ନିର୍ବାହୀ ଅଧିକାରୀ ତାପସ କୁମାର ସାମଲ, ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଭୋଟର ସଚେତନତା ଉଦ୍ଦେଶ୍ୟରେ ପଦଯାତ୍ରାରେ ବିଭିନ୍ନ ପ୍ଲାକାର୍ଡ଼ ପ୍ରଦର୍ଶନ ପୂର୍ବକ ବିଭିନ୍ନ ସ୍ଲୋଗାନ ମଧ୍ୟ ପ୍ରଦାନ କରାଯାଇଥିଲା। ସମସ୍ତେ ପଦଯାତ୍ରାରେ ଜିଲ୍ଲା କାର୍ଯ୍ୟାଳୟରୁ ଟାଉନ୍ହଲ ପର୍ଯ୍ୟନ୍ତ ଯାଇ ସେଠାରେ ଆୟୋଜିତ ରଙ୍ଗୋଲି, ସେଲଫି ପଏଂଟ ଓ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଦିବସ ପାଳନର କାର୍ଯ୍ୟସୂଚୀ ଅନୁଯାୟୀ ଶହିଦ ସ୍ମୃତି ଭବନର ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଭୋଟ ଦେବା ସମସ୍ତ ଭୋଟର ମାନଙ୍କର ରାଜନୈତିକ ଅଧିକାର। କାହାରି ପ୍ରଲୋଭନରେ ନ ପଡ଼ି ଭୋଟ ଦେବା ଉଚିତ ନୁହେଁ। ମତଦାନ ହିଁ ଗଣତନ୍ତ୍ର ର ଆତ୍ମା ବୋଲି ଅତିଥିମାନେ ବକ୍ତବ୍ୟ ଜରିଆରେ ପ୍ରକାଶ କରିଥିଲେ। ଜିଲ୍ଲାର ସମୁଦାୟ ୧୩୨୬ ବୁଥ୍ ରୁ ଉଲ୍ଲେଖନୀୟ ସଫଳତା ପାଇଁ ୫ଟି ବୁଥ୍ର ବି.ଏଲ୍.ଓ. ମାନଙ୍କୁ ପୁରସ୍କୃତ କରାଯାଇଥିଲା। ୫ ଜଣ ଏ.ଇ.ଆର୍.ଓ ଭଦ୍ରକ ବି.ଡି.ଓ. ସୀତାକାନ୍ତ ରାଉତ, ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଂଟିଆ, ତିହିଡ଼ି ବିଡିଓ ଜ୍ୟୋତିର୍ମୟ କର ଓ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ଭଦ୍ରକ ପୌରପାଳିକାର ପୂର୍ବତନ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର ରଞ୍ଜନ ଦାସଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଟାଏକୋଣ୍ଡ କ୍ରୀଡ଼ାରେ ସଫଳତା ଓ ଅଂଶଗ୍ରହଣ ପାଇଁ ୫ ଜଣ କ୍ରୀଡ଼ା ପ୍ରତିଭା ଓ ଏହି ଦିବସ ପାଳନ ଉପଲକ୍ଷେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଉଦ୍ୟାନ ବିଭାଗ ଆନୁକୂଲ୍ୟରେ ପୁଷ୍ପ ପ୍ରଦର୍ଶନୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କାଙ୍କ ତତ୍ତ୍ୱାବଧାନରେ ଭଦ୍ରକ ଚାରୁ ଓ କାରୁ କଳା ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋଜ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ୱରେ ଉକ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗୋଲି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସୂଚନା ଯୋଗ୍ୟକି ୦୬.୦୧.୨୦୨୫ ସୁଦ୍ଧା ଜିଲ୍ଲାର ସମୁଦାୟ ଭୋଟର ସଂଖ୍ୟା ୧୩୦୪୦୮୯। ସେମାନଙ୍କ ମଧ୍ୟରେ ୧୮-୧୯ ବର୍ଷ ବୟସ ବର୍ଗର ଭୋଟର ସଂଖ୍ୟା ୨୧,୮୯୬।