ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋଟିଏ ପକ୍ଷରେ ଭଦ୍ରକ ଜିଲାରେ ଧାନ ସଂଗ୍ରହ କାର୍ଯ୍ୟ ସୂଚାରୁ ରୂପେ ଚାଲିଥିବା ବିଷୟ ଯୋଗାଣ ବିଭାଗ ଡିଣ୍ଡିମ ପିଟୁଥିବାବେଳେ ଅନ୍ୟପକ୍ଷରେ ଜିଲାର ବହୁ ବ୍ଲକ୍ରେ ଅଦ୍ୟାବଧି ଧାନ କ୍ରୟବିକ୍ରୟ ପାଇଁ ମଣ୍ଡି ପ୍ରସ୍ତୁତ ହୋଇପାରିନାହିଁ। କଟନୀ ଛଟନିକୁ ନେଇ ଚାଷୀ ଏବେ ହରଡଘଣାରେ ପଡି ସେମାନଙ୍କର କଷ୍ଟଲବ୍ଧ ଧାନକୁ ବାଧ୍ୟହୋଇ ବାହାର ବେପାରୀଙ୍କୁ ଦେଉଥିବାର ଲକ୍ଷ୍ୟ କରାଯାଇଛି। ଟୋକନର ଅବଧି ସରିବାକୁ ବସିଥିଲେ ମଧ୍ୟ ମିଲରମାନେ ଗାଡି ପଠାଇ ମଣ୍ଡିରୁ ଧାନ ଉଠାଉନାହାଁନ୍ତି। ଫଳରେ ଧାନ କିଣାବିକାର ଏଭଳି ଅବ୍ୟବସ୍ଥାକୁ ନେଇ ଆଜି ଜିଲା ନବନିର୍ମାଣ କୃଷକ ସଂଗଠନ ଭଦ୍ରକ ଶାଖା ପକ୍ଷରୁ ଭଦ୍ରକ ଜିଲା ସଂଯୋଜକ ତ୍ରିଲୋଚନ ପଣ୍ଡା, ସତ୍ୟନାରାୟଣ ନାୟକ, ମାନସ ରଂଜନ ସାହୁ, ଜାହିର ଖାନ, ସବିର ଖାନ୍, ସୀତାକାନ୍ତ ସାହୁ, ଦେବେନ୍ଦ୍ର ବାରିକ, କୁଳମଣି ନାୟକ, ପିତବାସ ମହାନ୍ତି,ଅକ୍ଷୟ ନାୟକ, ସୁବାଷ ଚନ୍ଦ୍ର ବଳ, କୃଷ୍ଣଚନ୍ଦ୍ର ବଳ, କାର୍ତିକ ସାହୁ, ଦିଲ୍ଲୀପ ନାୟକ, ରବି ନାୟକ ପ୍ରମୁଖଙ୍କ ନେତୃତ୍ୱରେ ବହୁ ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଦଫା ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତିଙ୍କ ଜରିଆରେ ସମବାୟ ଖାଉଟି ସୁରକ୍ଷା ବିଭାଗ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଉପରୋକ୍ତ ଦାବିପତ୍ରରେ ସଂଗଠନ ପକ୍ଷରୁ ହୋଇଥିବା ଅଭିଯୋଗ ମୂଳେ ‘ଦାନା’ ବାତ୍ୟାରେ ଚାଷୀମାନଙ୍କ କ୍ଷୟକ୍ଷତି ତଥା ଅମଳ ସମୟରେ ଲଘୁଚାପ ଜନିତ ବର୍ଷାର କ୍ଷତିଭରଣ ନିମନ୍ତେ କଟନୀ ଛଟନୀ ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାବେଳେ ଏବେ ତାହା କାର୍ଯ୍ୟକାରୀ ହେଉନାହିଁ। ଭଦ୍ରକ ମିଲର ଆସୋସିଏସନ୍ ଚାଷୀମାନଙ୍କ ଉପରେ ଚାପ ସୃଷ୍ଟି କରି ସମବାୟ ସହିତ ସହଯୋଗ କରୁନାହିଁ। ଯାହାଫଳରେ ଗତ ୫ ତାରିଖରେ ଉଦ୍ଘାଟନ ହୋଇଥିବା ମଣ୍ଡି ଏବେ ବହୁ ଜାଗାରେ ଖୋଲା ହୋଇନାହିଁ। ଧାନ କିଣା ସମୟରେ ୮ ରୁ ୧୦ କେଜି କଟନୀ କରୁଥିବାରୁ ଚାଷୀମାନେ ଧାନ ମଣ୍ଡିକୁ ନେଇ ହଇରାଣ ହରକତ ହେଉଛନ୍ତି। ସେହିପରି କେତେକ ମଣ୍ଡିରେ ଚାଷୀମାନଙ୍କର ଟୋକନ ଅବଧି ଶେଷ ହେବାକୁ ବସିଥିଲେ ମଧ୍ୟ ମିଲରମାନେ ଧାନ ଉଠାଇବା ପାଇଁ ଗାଡି ପଠାଉନାହାଁନ୍ତି । ଏଫଏକ୍ୟୁ ନାମରେ ଚାଷୀଙ୍କୁ ହେଉଥିବା ଶୋଷଣକୁ ବନ୍ଦ କରାଯାଇ ସେମାନଙ୍କ ସହମତିରେ ସର୍ବସମ୍ମତି କ୍ରମେ ୫ କେଜି କଟାଯାଇ ରସିଦ୍ ପ୍ରଦାନ କରାଯିବା ପାଇଁ ଦାବି କରାଯିବା ସହ ମଣ୍ଡିରେ ଗହଳି ନକରି ମିଲରଙ୍କ ଦ୍ୱାରା ଛିଡା ଅଖା ବଦଳରେ ଚାଷୀମାନେ ନିଜେ ଅଖା କିଣି ଧାନ ଦେବା ଏବଂ ଯଦି ଭଦ୍ରକ ମିଲର ଅସହଯୋଗ କରନ୍ତି, ତୁରନ୍ତ ରାଜ୍ୟର ଅନ୍ୟ ମିଲରମାନଙ୍କୁ ଟେଣ୍ଡର ମାଧ୍ୟମରେ ଧାନ କ୍ରୟ ଦାୟିତ୍ୱ ଦିଆନଗଲେ ସଂଗଠନ ପକ୍ଷରୁ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି।
Home ଜିଲ୍ଲା ପରିକ୍ରମା ଧାନକିଣାରେ ଅବ୍ୟବସ୍ଥା ନେଇ ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ, ଯୋଗାଣ ମନ୍ତ୍ରୀଙ୍କୁ ଜିଲାପାଳଙ୍କ ଜରିଆରେ ଦାବିପତ୍ର