ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବାରୋ ପଂଚାୟତ ଅଧୀନ ଆଖୁ ମାହାରା ଠାରୁ ବିଲଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟ ୫ କୋଟିରୁ ଅଧିକ ଟଙ୍କାର ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇ ପାରୁନାହିଁ। ଜମି ଅଧିଗ୍ରହଣ ହୋଇ ନପାରିବାରୁ ରାସ୍ତା ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଛି। ଯାହାଫଳରେ ଏହି ରାସ୍ତା ମଧ୍ୟସ୍ଥଳରେ ନାଳିଆ ନଦୀରେ ୫କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ସେତୁ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଯାହାଫଳରେ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ବାରୋ ଓ ବିଲଣା ପଂଚାୟତ ସମେତ ବୋଡ଼କ, ତଳଗୋପବିନ୍ଧା, ଧାମନଗର ବ୍ଲକର ଫତେପୁର, କଟସାହି, ଅସୁରାଳି, ବମକୁରା ଇତ୍ୟାଦି ପଂଚାୟତର ହଜାର ହଜାର ଲୋକ ଏହି ରାସ୍ତା ଦେଇ ପ୍ରତିଦିନ ଯାତାୟତ କରିଥାନ୍ତି। ରାସ୍ତାଟି ସମ୍ପୂର୍ଣ୍ଣ ବିପସସଂକୁଳ ହୋଇ ପଡ଼ିଥିବାରୁ ପଥଚାରୀମାନେ ଅସୁବିଧାର ସମ୍ମୁଖୀନ ହେବା ସହିତ ଦୁର୍ଘଟଣାରେ ପଡ଼ୁଛନ୍ତି। ବାରୋ ପଂଚାୟତର ଆଖୁମାହାରା ଠାରୁ ବିଲଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଯାଏ ଯାଇଥିବା ରାସ୍ତା ଓ ସେତୁ ନିର୍ମାଣ ପାଇଁ ୨୦୧୯ରେ ୧୦କୋଟିରୁ ଅଧିକ ଟଙ୍କା ଅନୁଦାନ ମିଳିଥିଲା। ପରେ ତତକାଳୀନ ପୂର୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ରାସ୍ତାର ଶିଳାନ୍ୟାସ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀଙ୍କ ସମେତ ରାଜନୈତିକ ନେତୃବୃନ୍ଦ ଶିଳାନ୍ୟାସ ବେଳେ ଉପସ୍ଥିତ ଥିଲେ। ଇତିମଧ୍ୟରେ ୫ବର୍ଷ ବିତିଗଲାଣି ମାତ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। କେବଳ ରାସ୍ତାର ନାଳିଆ ନଈ ଉପରେ ସେତୁ ନିର୍ମାଣ କରାଯାଇଛି। ଯାହା ରାସ୍ତାର ଦୁଇ ପାର୍ଶ୍ୱରେ ଶୂନ୍ୟରେ ଝୁଲିବା ସଦୃଶ ହୋଇଛି। ଏହି ରାସ୍ତା ଧାମନଗର ନିର୍ବାଚନ ମଣ୍ଡଳୀକୁ ସଂଯୋଗ କରୁଥିବାରୁ ଏହା ଯଥେଷ୍ଟ ଗୁରୁତ୍ୱ ବହନ କରେ। ଏହାଛଡା ବାରୋ -ବିଲଣା ରାସ୍ତାରେ ପ୍ରତିଦିନ ଶତାଧିକ ଯାନବାହାନ ଚଳାଚଳ କରିଥାଏ। ତେବେ ବାରୋ ଭାୟା ଗଳଗଣ୍ଡପୁର ବିଲଣା ରାସ୍ତା ଅତି ସଂକୀର୍ଣ୍ଣ ହୋଇଥିବାରୁ ଯାନବାହାନ ଚଳାଚଳ କଷ୍ଟସାଧ୍ୟ ହୋଇଥାଏ। ଯାହାଫଳରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟିଚାଲିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାସ୍ତା ପାର୍ଶ୍ୱରେ ଥିବା ମେଳଣ ପଡିଆରେ ପ୍ରତିବର୍ଷ ଦୋଳ ପୂର୍ଣ୍ଣମୀରେ ଐତିହାସିକ କୁମ୍ଭ ମେଳଣ ଅନୁଷ୍ଠିତ ହୋଇଥାଏ। ସେହି ରାସ୍ତାରେ ଆଖପାଖ ଗ୍ରାମର ଯାଦବମାନଙ୍କ ଶୋଭାଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ସହସ୍ରାଧିକ ଲୋକ ରାସ୍ତାରେ ଯାତାୟତ କରିଥାନ୍ତ। ଏପରିସ୍ଥଳେ ଆଖୁମାହାରା -ବିଲଣା ରାସ୍ତା ନିର୍ମାଣ ନହେବା ଦୁର୍ଭାଗ୍ୟର ବିଷୟ ହୋଇଛ। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ କାନନ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ରାସ୍ତା ନିର୍ମାଣ ପାଇଁ ଜମି ଅଧିଗ୍ରହଣ ହୋଇପାରୁନଥିବାରୁ ରାସ୍ତା ନିର୍ମାଣରେ ବିଳମ୍ବ ଘଟିଛି। ତେବେ ଅଧିଗ୍ରହଣ ବାବଦକୁ ଥିବା ଅର୍ଥ ରାଶି ଜିଲା ପ୍ରଶାସନ ପାଖରେ ଜମା କରାଯାଇ ସେ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯିବ। ଅଧିଗ୍ରହଣ କାର୍ଯ୍ୟ ଶେଷହେଲେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।
Home ଜିଲ୍ଲା ପରିକ୍ରମା କାର୍ଯ୍ୟକ୍ଷମ ହୋଇ ପାରୁନି ୫କୋଟିରୁ ଅଧିକ ଟଙ୍କାର ନିର୍ମାଣ ସେତୁ, ଅଧିଗ୍ରହଣ ହୋଇ ପାରୁନି ଜମି,...