Home ଜିଲ୍ଲା ପରିକ୍ରମା ତିହିଡ଼ିରେ ଧାନ ପାଚିବାକୁ ଅନେଇ ବସିଛି ଚାଷୀ, ପାଣି କିଆରୀରୁ ଧାନ ଅମଳ ନେଇ ଚିନ୍ତାରେ...

ତିହିଡ଼ିରେ ଧାନ ପାଚିବାକୁ ଅନେଇ ବସିଛି ଚାଷୀ, ପାଣି କିଆରୀରୁ ଧାନ ଅମଳ ନେଇ ଚିନ୍ତାରେ ଚାଷୀ

9

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକର ଚାଷୀକୂଳ ଏବେ ଧାନ ପାଚିବାକୁ ଅନେଇ ବସିଥିବା ବେଳେ ପାଣି କିଆରୀରୁ ଧାନ କିପରି ଅମଳ ହେବ ସେନେଇ ଚିନ୍ତାରେ ପଡ଼ିଯାଇଛି। ଗତ ବାତ୍ୟା ‘ଦାନା’ର ପ୍ରଭାବରେ ତିହିଡ଼ି ବ୍ଲକରେ ପବନ ସହିତ ପ୍ରବଳ ବର୍ଷା ହୋଇଥିଲା। ଯାହାଫଳରେ ବ୍ଲକର କିଛି ପଂଚାୟତରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବର୍ଷା ଜନିତ ପାଣି ଓ ବନ୍ୟା ପାଣିରେ ଧାନଚାଷ ଜମି ବୁଡ଼ି କିଆରି କିଆରି ପାଣି ହୋଇଥିଲା। ବାତ୍ୟାର ୧୫ଦିନ ବିତି ଯାଇଥିଲେ ମଧ୍ୟ ଧାନ କିଆରୀରୁ ପାଣି ଶୁଖି ନାହିଁ। ଯେଉଁଥିପାଇଁ ଚାଷୀ ଧାନ ଅମଳ କରିବା ନେଇ ଚିନ୍ତାରେ ପଡ଼ିଯାଇଛି। ବର୍ତମାନ ସୁଦ୍ଧା ସମସ୍ତ ଧାନରେ ଥୋଡ଼ ବାହାରି ଯାଇଥିଲେ ମଧ୍ୟ କିଛି ଧାନ ଅଗପାଚିଲା ହୋଇଥିବା ବେଳେ ବହୁ ଜମିରେ ଧାନ ପାଚି ନାହିଁ। ଧାନ ପାଚିବା ପରେ ଚାଷୀମାନେ ଧାନ ଅମଳ କରିବେ। ଚଳିତ ଖରିଫ ଧାନ ଚାଷ ପାଇଁ ବର୍ଷାର ଅନିୟମିତତା ହୋଇଥିଲା। ଯାହାଫଳରେ ଚାଷକାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା। ସେଥିପାଇଁ ଧାନ ପାଚିବା ମଧ୍ୟ ବିଳମ୍ବ ହେଉଛି। ତେବେ ଧାନ କିଣିବା ନେଇ ପ୍ରଶାସନ ପ୍ରସ୍ତୁତ ହୋଇଛି। ଏ ସମ୍ପର୍କରେ ମଧ୍ୟ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ କିପରି ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ ସେନେଇ ଆଲୋଚନା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.