Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଶାନ୍ତି, ମୈତ୍ରୀ, ପ୍ରୀତି, ଭାଇଚାରାର ବାର୍ତା ବହ, ଦୁର୍ଗାପୂଜା ଉପଲକ୍ଷେ ପ୍ରଶାସନିକ ପ୍ରସ୍ତୁତି...

ଭଦ୍ରକ ଜିଲ୍ଲା ଶାନ୍ତି, ମୈତ୍ରୀ, ପ୍ରୀତି, ଭାଇଚାରାର ବାର୍ତା ବହ, ଦୁର୍ଗାପୂଜା ଉପଲକ୍ଷେ ପ୍ରଶାସନିକ ପ୍ରସ୍ତୁତି ବୈଠକ

19

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ଶାନ୍ତିଶୃଙ୍ଖଳାର ସହିତ ଦୁର୍ଗାପୂଜା ପାଳନ ଓ ଭସାଣି ଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସଦ୍‌ଭାବନା ସଭାଗୃହରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉକ୍ତ ଦିନ ନୂତନ ଭାବେ ଯୋଗ ଦେଇଥିବା ଏସ୍‌.ପି. ମାଡ଼କର ସନ୍ଦୀପ ସଂପତ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର, ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧୀର ରଞ୍ଜନ ନାୟକ, ଡେପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଳ, ସି.ଟି.ଡି.ଏସ୍‌.ପି. ଅଂଶୁମାନ ଦ୍ୱିବେଦୀ ପ୍ରମୁଖ ଯୋଗ ଦେଇଥିଲେ। ବିଗତ ଦିନରେ ଶାନ୍ତି ଶୃଙ୍ଖଳାର ସହିତ ଭଦ୍ରକରେ ସମସ୍ତ ପର୍ବ ପର୍ବାଣୀ ପାଳନ ହୋଇଆସିଛି। ଭଦ୍ରକ ଏକ ଭାଇଚାରାର ଜିଲ୍ଲା ଭାବେ ଯେଉଁ ସୁଖ୍ୟାତି ବହନ କରି ଆସିଛି ଆଗାମୀ ଦିନରେ ମଧ୍ୟ ସେହି ସୁନାମ ବଜାୟ ରଖିବାକୁ ପ୍ରଶାସନ ସହିତ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ଜିଲ୍ଲାପାଳ ଏହି ବୈଠକ ଜରିଆରେ ଜିଲ୍ଲାବାସୀଙ୍କ ଠାରୁ ସହଯୋଗ କାମନା କରିଥିଲେ। ନୂତନ ଭାବେ ଅଳ୍ପଦିନ ତଳେ ଯୋଗ ଦେଇଥିବା ଜିଲ୍ଲାପାଳ ଓ ସଦ୍ୟ ଦାୟିତ୍ୱ ଗ୍ରହଣ କରିଥିବା ଏସ୍‌.ପି.ଙ୍କ ପାଇଁ ଥିବା ଅଲେଖା ସ୍ଲେଟ୍‌ରେ ଶାନ୍ତି, ମୈତ୍ରୀ, ପ୍ରୀତିର ଭାଷା ଳେଖା ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ସେବା ଓ ସୁରକ୍ଷା ପ୍ରଦାନ ପୋଲିସ୍‌ର ପ୍ରଥମ କର୍ତବ୍ୟ ସମସ୍ତଙ୍କ ସୁଖ ଦୁଃଖରେ ପୋଲିସ ଅଛି। ଶାନ୍ତି, ପ୍ରେମ, ସ୍ନେହର ରାସ୍ତାରେ ଚାଲି ଆମ ସହରକୁ ଭାଇଚାରାର ସହର ଭାବେ ପ୍ରମାଣିତ କରିବା ବୋଲି ଏସ୍‌.ପି. ଶ୍ରୀଯୁକ୍ତ ସଂପତ ପ୍ରକାଶ କରିଥିଲେ। ଆଗାମୀ ଦୁର୍ଗାପୂଜା ପାଳନ ଅବସରରେ ଭଦ୍ରକ ସହରରେ ଆୟୋଜିତ ହେବାକୁ ଥିବା ୨୩ ଗୋଟି ପୂଜା ମଣ୍ଡପର ସଭାପତି ସମ୍ପାଦକ ଏହି ବୈଠକରେ ଯୋଗଦେଇ ନିଜ ନିଜ ପୂଜା ମଣ୍ଡପ ପାଇଁ ଆବଶ୍ୟକ ପ୍ରଶାସନିକ ସହଯୋଗ ସମ୍ବନ୍ଧରେ ପ୍ରକାଶ କରିଥିଲେ। ଅଧିକାଂଶ ପୂଜାମଣ୍ଡପକୁ ସଂଯୋଗ କରିଥିବା ରାସ୍ତା ମରାମତି, ବର୍ଷା ସମ୍ଭାବନା ଥିବାରୁ କାଦୁଅ ଥିବା ପୂଜା ମଣ୍ଡପ ପାଖରେ ଡଷ୍ଟ ପକାଇବା, ଅସ୍ଥାୟୀ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ବହୁଳ ଜନସମାଗମ ନିୟନ୍ତ୍ରଣ ପାଇଁ ଯଥେଷ୍ଟ ସଂଖ୍ୟାରେ ପୋଲିସ୍ ମୂତୟନ, ପାନୀୟଜଳ ଯୋଗାଣ, କଳସ ବୁଡ଼ା ଘାଟ ପରିଷ୍କାର, ଭସାଣି ପାଇଁ କୃତ୍ରିମ ପୋଖରୀ ପ୍ରସ୍ତୁତି ଆଦି ସମ୍ବନ୍ଧରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରାଯାଇ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ଉପସ୍ଥିତ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ପୂଜା ଉତ୍ସବ ପାଳନ ଏବଂ ବିଶେଷ କରି ଭସାଣି ସମୟରେ ଶବ୍ଦ ପ୍ରଦୂଷଣ ରୋକିବା ଦିଗରେ ପୂଜା କମିଟିର ସଭାପତି ସମ୍ପାଦକମାନେ ପ୍ରମୁଖ ଦାୟିତ୍ୱ ବହନ କରିବା ନେଇ ଆଲୋଚନା କରାଯାଇଥିଲା। ଡି.ଜେ.କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ପାରମ୍ପରିକ ବାଦ୍ୟରେ ଭସାଣି ମନାଇବାକୁ ପରାମର୍ଶ ପ୍ରଦାନ କରାଯାଇଥିଲା। ପ୍ରତି ମଣ୍ଡପରେ ସି.ସି.ଟିଭି. ଲାଗିବା, ଅନ୍ଧାର ଥିବା ରାସ୍ତାରେ ଆଲୋକି କରଣ କରିବା, ଭସାଣି ପୂର୍ବ ଓ ଭସାଣି ଦିନ ସରକାରୀ ମଦ ଦୋକାନ ବନ୍ଦ ରଖିବା, ଆବଶ୍ୟକ ଜାଗାରେ ଗଛ ଡାଳ କାଟିବା, ଜାନୁଗଞ୍ଜ ପୂଜା କମିଟି ଆନୁକୂଲ୍ୟ ଅନୁଷ୍ଠିତ ହେବାକୁ ଥିବା ରାବଣ ପୋଡ଼ି ଉତ୍ସବରେ ପୋଲିସ ମୂତୟନ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସତର୍କତା ଅବଲମ୍ବନ ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇ ଆବଶ୍ୟକ ଅନୁଯାୟୀ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.