Home ଜିଲ୍ଲା ପରିକ୍ରମା ଭଦ୍ରକ ତଥା ରାଜ୍ୟର ଟାଣୁଆ ନେତା ସମାଜସେବୀ ଲକ୍ଷ୍ମୀ ମହାପାତ୍ରଙ୍କ ପରଲୋକରେ ଶୋକ

ଭଦ୍ରକ ତଥା ରାଜ୍ୟର ଟାଣୁଆ ନେତା ସମାଜସେବୀ ଲକ୍ଷ୍ମୀ ମହାପାତ୍ରଙ୍କ ପରଲୋକରେ ଶୋକ

11

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବିଶିଷ୍ଟ ଜନନେତା ସମାଜସେବୀ ଲକ୍ଷ୍ମୀ ମହାପାତ୍ରଙ୍କର ଗତକାଲି ରାତିରେ କଟକ ଏସ୍‌ସିବି ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଏଠାରେ ସୂଚନାଯୋଗ୍ୟ ଗତ ୫ ତାରିଖ ଦିନ ତାଙ୍କ ପତ୍ନୀ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସବିତା ମହାନ୍ତିଙ୍କର ଦେହାନ୍ତ ହୋଇଥିଲା। ଏହା ପରେ ପରେ ଘରେ ଅସୁସ୍ଥ ଥିବା ଶ୍ରୀ ମହାପାତ୍ରଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ସଂକଟାପନ୍ନ ହୋଇପଡିଥିଲା। ଫଳରେ ତାଙ୍କର ଏକମାତ୍ର ପୁତ୍ର ପ୍ରାକ୍ତନ କାଉନ୍‌ସିଲର ଶୁଭଙ୍କର ମହାପାତ୍ର ତାଙ୍କୁ କଟକ ଏସ୍‌ସିବି ମେଡିକାଲ କଲେଜରେ ଗତ ୫ଦିନ ତଳେ ଭର୍ତି କରାଇଥିଲେ। ତେବେ ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭେଂଟିଲେଟରରେ ରଖାଯାଇଥିବା ଅବସ୍ଥାରେ ରାତି ପ୍ରାୟ ୯.୪୫ ରେ ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ କେବଳ ଭଦ୍ରକ ଜିଲା ନୁହେଁ ସମଗ୍ର ଓଡ଼ିଶାରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ସ୍ୱର୍ଗତଃ ମହାପାତ୍ର ଜଣେ ଅଣକଂଗ୍ରେସ ନେତା ଭାବେ ଛାତ୍ର ରାଜନୀତିରେ ଯୋଗଦେଇ ୭୦, ୮୦ ଓ ୯୦ ଦଶକରେ ଭଦ୍ରକ ରାଜନୀତିର ଜଣେ ଚାଣକ୍ୟ ଭଳି କୁଟନୀତିଜ୍ଞ ଥିଲେ। ନିଜ ରାଜନୈତିକ ଜୀବନରେ ସେ ରାଜ୍ୟ କିମ୍ବା କେନ୍ଦ୍ରର କୌଣସି ବଡ ପଦପଦବୀ ପାଇପାରିନଥିଲେ ମଧ୍ୟ ସମଗ୍ର ରାଜ୍ୟର ଅନେକ ନେତା ସୃଷ୍ଟି କରିଯାଇଛନ୍ତି। ଓଡ଼ିଶା ରାଜ୍ୟ ତଥା ଭଦ୍ରକ ଜିଲାର ଏବିଭିପି ସଂଗଠନର ସେ ପ୍ରାଣ ପ୍ରତିଷ୍ଠା ଥିଲେ। ଭଦ୍ରକ କଲେଜ ଛାତ୍ର ସଂସଦ ସଭାପତି, ବାଣୀବିହାରର ପୂର୍ବତନ ଛାତ୍ରନେତା, ଭଦ୍ରକ ବିଜେପିର ପୂର୍ବତନ ନେତା ଓ ଭଦ୍ରକ ବିଜେଡିର ଜଣେ ବରିଷ୍ଠ ନେତା ଭାବେ ତାଙ୍କର ଅନେକ ସୁଖ୍ୟାତି ରହିଥିଲା। ଦଳମତ ନିର୍ବିଶେଷରେ ସବୁ ବର୍ଗର ନେତାଙ୍କ ସହ ତାଙ୍କର ସୁସଂପର୍କ ରହିଥିଲା। ଲୋକଙ୍କର ବିପଦ ବେଳେ ସେ ଠିଆ ହୋଇ ସାହସ ଦେଉଥିଲେ। ତାଙ୍କ ଜୀବଦ୍ଦଶାରେ ସେ ଅନେକ ଛାତ୍ର ନେତା ତିଆରି କରିଛନ୍ତି। ପ୍ରକାରନ୍ତରେ ରାଜ୍ୟ ରାଜନୀତିରେ ସେ ଜଣେ ମୁକୁଟବିହୀନ ସମ୍ରାଟ ଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ। ତାଙ୍କର ମୃତ୍ୟୁର ଖବର ପାଇ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ରାଜ୍ୟ ବିଜେଡି ଯୁବନେତା ଇଂ ପ୍ରୟାସିକାନ୍ତି ସାମଲ, ପୂର୍ବତନ କାଉନ୍‌ସିଲର ପ୍ରଣୟ ଦାସ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଏସଏମ୍ ଫାରୁକ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ସ୍ମୃତିରଂଜନ ସାହୁ, ଉମାକଲ୍ୟାଣ ମହାପାତ୍ର, ରବିନାରାୟଣ ଖିଲାର, ସଂଜୀବ ନାୟକ ପ୍ରମୁଖ ବହୁ ସାମ୍ବାଦିକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଜି ତାଙ୍କର ମର ଶରୀରକୁ କୁଆଁସ ସ୍ଥିତ ବାସଭବନରେ ଏକ ଶୋଭାଯାତ୍ରାରେ ନିଆଯାଇ ସତ୍କାର କାର୍ଯ୍ୟ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.