Home ଜିଲ୍ଲା ପରିକ୍ରମା କଚ୍ଛପ ଗତିରେ ଚାଲିଛି ବାରିକପୁର କେନ୍ଦୁଆପଦା ରାସ୍ତା କାର୍ଯ୍ୟ

କଚ୍ଛପ ଗତିରେ ଚାଲିଛି ବାରିକପୁର କେନ୍ଦୁଆପଦା ରାସ୍ତା କାର୍ଯ୍ୟ

3

ଭଦ୍ରକ,୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ବାରିକପୁରରୁ କେନ୍ଦୁଆପଦା ଦେଇ ବନ୍ତକୁ ସଂଯୋଗ କରୁଥିବା ପୂର୍ତ ବିଭାଗ ରାସ୍ତା କାର୍ଯ୍ୟ ଅତି କଚ୍ଛପ ଗତିରେ ଚାଲୁଥିବା ଜଣାଯାଇଛି।ଏହି ରାସ୍ତା କାମ ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ଭିତିପ୍ରସ୍ଥର ସ୍ଥାପନ ହୋଇଥିଲା। ଏଥିପାଇଁ ପୂର୍ତ ବିଭାଗ ପକ୍ଷରୁ ୧୯କୋଟି ୪୩ଲକ୍ଷ ୩୩ହଜାର ୯୬୬ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ କାମ ୩୧/୧୨/୨୦୨୪ରେ ଶେଷ ହେବ ବୋଲି ନିର୍ଦେଶ ଥିଲା। ଯଦିଓ ବାରିକପୁର ଠାରୁ କେନ୍ଦୁଆପଦା ବନ୍ତ ଯାଏଁ କାଁ ଭାଁ ସ୍ଥାନକୁ ଛାଡିଦେଲେ ରାସ୍ତାର ଅବସ୍ଥା ସେତେଟା ଶୋଚନୀୟ ନଥିଲା କିନ୍ତୁ ଏହାର ସଦୃଢ଼ୀକରଣ ସହିତ ନବୀକରଣ ପାଇଁ ବିଭାଗ ଅର୍ଥ ବ୍ୟୟ ବରାଦ କରିଥିଲା। ଏକ ଘରୋଇ ସଂସ୍ଥା ରାସ୍ତା ସଦୃଢ଼ୀକରଣ ପାଇଁ ଟେଣ୍ଡର ଜରିଆରେ କାର୍ଯ୍ୟାଦେଶ ପାଇଥିବା ବେଳେ ଧାର୍ଯ୍ୟ ସମୟ ଭିତରେ କାମ ସାରିବା ପାଇଁ ନାମ ଫଳକରେ ଉଲ୍ଲେଖ ରହିଛି। ପରିତାପର ବିଷୟ ରାସ୍ତା ଦୁଇ ପାର୍ଶ୍ୱକୁ ଖୋଳାଯାଇ କେବଳ ବାଲି ଓ ଡଷ୍ଟ ଦେଇ ସେଗୁଡିକୁ ପୂରଣ କରାଯାଇଥିବା ବେଳେ ଅନ୍ୟାନ୍ୟ କାର୍ଯ୍ୟ ଏଯାଏଁ ହୋଇପାରିନାହିଁ। ଇତିମଧ୍ୟରେ ପ୍ରାୟ ୫ମାସ ହେବ କାମ ଏକପ୍ରକାର ବନ୍ଦ ହୋଇ ପଡ଼ିରହିଛି। ଏହି ରାସ୍ତା ଦେଇ ବନ୍ତ ବ୍ଲକ ସହିତ ପଡୋଶୀ କେନ୍ଦୁଝର ଜିଲ୍ଲାର ଜନସାଧାରଣ ମାନେ ଯାତାୟତ କରୁଥିବା ବେଳେ ରାତି ପାହିଲେ ଶହ ଶହ ଯାନବାହାନ ମଧ୍ୟ ଚଳପ୍ରଚଳ କରିଥାଏ। ରାସ୍ତାର ପୁରୁଣା ପିଚକୁ ଭାଙ୍ଗି ଏହାକୁ ପରିଷ୍କାର କରିବା ଓ ତାଉପରେ ଦୁଇ ପର୍ଯ୍ୟାୟରେ ଡଷ୍ଟ ମେଂଟାଲ ଦେଇ ରୋଲିଂ କରିବା ପାଇଁ ଆକଳନ ପତ୍ରରେ ଉଲ୍ଲେଖ ରହିଛି। ଏହାଛଡା ପ୍ରଥମେ ମୋଟା ପିଚ ଦେଇ ରୋଲିଂ କରିବା ପରେ ଏହା ଉପରେ ଦ୍ୱିତୀୟ ପର୍ଯ୍ୟାୟରେ ସୂକ୍ଷ୍ମ ପିଚ ଦେଇ କାମ ସମ୍ପୂର୍ଣ୍ଣ କରିବା ସକାଶେ ଠିକା ସଂସ୍ଥାକୁ ନିର୍ଦେଶ ରହିଛି। ଦେଖିବାକୁ ଗଲେ ବିଭାଗ ପକ୍ଷରୁ ପ୍ରସ୍ତୁତ ଆକଳନ ପତ୍ର ଅନୁଯାୟୀ ଏଯାଏଁ ଶତକଡା ୩୦ଭାଗ କାମ ହୋଇପାରିନାହିଁ। ତେଣୁ ଦୁଇମାସ ମଧ୍ୟରେ କାମ ସରିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉକ୍ତ ରାସ୍ତାକୁ ଛାଡିଦେଲେ ବାରିକପୁର ଠାରୁ ଚୁଡାକୁଟି ଦେଇ ଗୋବିନ୍ଦପୁରକୁ ସଂଯୋଗ କରୁଥିବା ପୂର୍ତ ବିଭାଗ ରାସ୍ତା କାର୍ଯ୍ୟ ମଧ୍ୟ ଏଯାଏଁ ଶେଷ ହୋଇପାରିନାହିଁ। ରାସ୍ତାରେ କେତେକ ସ୍ଥାନରେ ପିଚ ନିର୍ମାଣ ହୋଇଥିଲେ ସୁଦ୍ଧା ଏବେବି ବି କିଛି ଜାଗା ଅଧା ପନ୍ତରିଆ ଭାବେ ରହିଛି। ଯଦିଓ ଗୋବିନ୍ଦପୁର ପାର୍ଶ୍ୱରୁ ଚୁଡାକୁଟି ଯାଏଁ କିଛି କିଛି କାର୍ଯ୍ୟ ହେଉଛି ଏହା ଧାର୍ଯ୍ୟ ସମୟ ମଧ୍ୟରେ ସରିବକି ନାହିଁ ତାହା ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି। ରାସ୍ତା କାର୍ଯ୍ୟ ତଦାରଖ ପାଇଁ ବିଭାଗରେ ଏବେ ନିୟମିତ କନିଷ୍ଠ ଯନ୍ତ୍ରୀ ନଥିବା ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ମଧ୍ୟ ଦୀର୍ଘ ସମୟ ପାଇଁ ଛୁଟିରେ ଯାଇଥିବା ଜଣାପଡିଛି। ତେଣୁ ଠିକା ସଂସ୍ଥା ଅତି ଖାମଖିଆଲି ଭାବେ ଅତି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଗୁଡିକର କାମ କରୁଥିବା ବେଳେ ଏହା ଉପରେ କେହି ଦୃଷ୍ଟି ଦେଉନାହାନ୍ତି। ତେଣୁ ଆଗାମୀ ଦିନରେ ରାସ୍ତା ସଦୃଢ଼ୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ସନ୍ଦେହ ଯାତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.