ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷ ସାଧାରଣ ନିର୍ବାଚନ ଥିବାରୁ ପ୍ରତି ଗାଁକୁ ଯାଇ ସାଧାରଣ ଲୋକଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ଅବଗତ କରାଅ । ଯେଭଳି ଜଣେ ଯୋଗ୍ୟ ହିତାଧିକାରୀ ବାଦ୍ ନପଡନ୍ତି । ଏବଂ ଶ୍ରୀମନ୍ଦିର ପରିକ୍ରମା ପାଇଁ ଲୋକଙ୍କ ପାଖକୁ ଯାଇ ମୁଠାଏ ଚାଉଳ ଓ ଗୋଟିଏ ଗୁଆ ମାଗଣ କରି ମହାପ୍ରଭୁଙ୍କ ପାଇଁ ସମର୍ପିତ କରାଯିବାକୁ ଆଜି ଭଦ୍ରକ ଜିଲା ବିଜେଡିର କାର୍ଯ୍ୟକାରିଣୀ ବୈଠକରେ ଜିଲା ପର୍ଯ୍ୟବେକ୍ଷକ ସଂଜୟ ଦାସବର୍ମା ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ଧାମନଗର ବ୍ଲକ୍ ଭଗବାନପୁର ପଂଚାୟତ ଡିଗି ପାର୍କ ପରିସରରେ ଆଜି ବିଜେଡିର ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ବିଜେଡି ଜିଲା ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଂସଦ ମଂଜୁଲତା ମଣ୍ଡଳ, ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ ଜେନା, ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ଆମ ଓଡ଼ିଶା ନବୀନ ଓଡ଼ିଶାର ଜିଲା ସଂଯୋଜକ ସଂଜୟ ଦାସ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଜିଲା ମହିଳା ବିଜେଡି ସଭାନେତ୍ରୀ ବିଦ୍ୟୁତ୍ଲତା ନାୟକ, ଜିଲା ଯୁବ ସଭାପତି ମୁକୁନ୍ଦଦେବ ସାମଲ, ଜିଲା ଛାତ୍ର ସଭାପତି ଦୀପ୍ତିସୂର୍ଯ୍ୟ ବିଶ୍ୱାଳ, ରାଜ୍ୟ ସଂପାଦକ ରାକେଶ ପଣ୍ଡା ଓ ପ୍ରିନ୍ସ ରାକେଶ ନାୟକଙ୍କ ସମେତ ଜିଲାର ବିଭିନ୍ନ ବ୍ଲକ୍ରୁ ଆସିଥିବା ପଂଚାୟତ ସମିତି ପ୍ରତିନିଧି ଓ ଜିଲା କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରଥମକରି ନୂଆବର୍ଷରେ ଆଗାମୀ ନିର୍ବାଚନ ପାଇଁ ଧାମନଗରରୁ ନିର୍ବାଚନ ରଣକୌଶଳ ଆରମ୍ଭ ହୋଇଥିବାରୁ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମଟି ଧାମନଗର ବ୍ଲକ୍ରେ ଅନୁଷ୍ଠିତ ହୋଇଥିବାରୁ ବ୍ଲକ୍ ସଭାପତି ଉମେଶ ମହାନ୍ତି, ନଗର ସଭାପତି ସୁଶାନ୍ତ ରାଉତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସ୍ୱାଗତ କରିଥିଲେ ।
Home ଜିଲ୍ଲା ପରିକ୍ରମା ବିଜେଡିର ଜିଲା କାର୍ଯ୍ୟକାରିଣୀ ବୈଠକ, ଶ୍ରୀମନ୍ଦିର ପରିକ୍ରମା ପାଇଁ ମୁଠାଏ ଚାଉଳ ଗୋଟାଏ ଗୁଆ ସଂଗ୍ରହ...