Home ଜିଲ୍ଲା ପରିକ୍ରମା ଶାସକ ବିଜେଡିର ଗୋଷ୍ଠୀ କନ୍ଦଳ ପଦାରେ ପଡିଲା, ଗୋଟିଏ ପକ୍ଷର ଆକ୍ରମଣରେ ଜଣେ ଗୁରୁତର

ଶାସକ ବିଜେଡିର ଗୋଷ୍ଠୀ କନ୍ଦଳ ପଦାରେ ପଡିଲା, ଗୋଟିଏ ପକ୍ଷର ଆକ୍ରମଣରେ ଜଣେ ଗୁରୁତର

46

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ଭଦ୍ରକ ବିଧାନସଭା ଆସନରେ ଶାସକ ବିଜେଡି ଦଳର ଗୋଷ୍ଠୀ କନ୍ଦଳ ସେତେ ଉଗ୍ର ରୂପ ନେଉଛି । ଗତକାଲି ରାତିରେ ଶାସକ ଦଳର ଦୁଇଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟି ଗୋଟିଏ ପକ୍ଷର ମରଣାନ୍ତକ ଆକ୍ରମଣରେ ଭଦ୍ରକ ବ୍ଲକ୍ ଅଧୀନସ୍ଥ ଜଳଙ୍ଗା ଗ୍ରାମର ପ୍ରିୟତମ ସାହୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ହିଂସାକାଣ୍ଡରେ ଉଭୟପକ୍ଷଙ୍କ ପକ୍ଷରୁ ଗ୍ରାମାଞ୍ଚଳ ଥାନାରେ ପୃଥକ୍ ପୃଥକ୍ ଅଭିଯୋଗ ପତ୍ର ଦିଆଯାଇଥିବାବେଳେ ପ୍ରିୟତମଙ୍କ ପକ୍ଷରୁ ପ୍ରଥମ ଅଭିଯୋଗ ପତ୍ର ମୂଳେ ସେ ଗତକାଲି ରାତି ୯ଟା ସମୟରେ ନିଜ କାର୍ଯ୍ୟ ସାରି ଭଦ୍ରକରୁ ଗ୍ରାମକୁ ବାଇକ୍ ଯୋଗେ ଫେରୁଥିଲେ । ଗ୍ରାମ ମାର୍କେଟ୍‌ରୁ ସଉଦା ପତ୍ର କିଣିବା ସମୟରେ ସେହି ଗ୍ରାମର ବଳରାମ ବାରିକଙ୍କ ପୁତ୍ର କାର୍ତ୍ତିକ, ସନାତନ ପାଣିଗ୍ରାହୀଙ୍କ ପୁତ୍ର କ୍ଷୀରୋଦ, ଅକ୍ଷୟ ଦୀକ୍ଷିତଙ୍କ ପୁତ୍ର ପ୍ରଦୀପ ବାଲେଶ୍ୱରରୁ ଆଣିଥିବା କିଛି ଅସାମାଜିକ ଲୋକଙ୍କ ସହ ବିଧିବଦ୍ଧ ଭାବେ ଏକତ୍ରିତ ହୋଇ ମରଣାନ୍ତକ ଆକ୍ରମଣ କରିଥିଲେ ।

ସମସ୍ତଙ୍କ ହାତରେ ବିଭିନ୍ନ ପ୍ରକାର ହାତ ହତିଆର ରହିଥିଲା । ସେମାନଙ୍କ ମଧ୍ୟରୁ ଜଣେ ଏକ ଧାରିଆ ଭୁଜାଲିରେ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ହାଣିବା ସମୟରେ ସେ ପଛକୁ ପଳାଇ ଆସିବାରୁ ତାହା ତାଙ୍କ ଆଖି ତଳେ ବାଜି କ୍ଷତାକ୍ତ ହୋଇଥିଲା । ସେମାନେ ତାଙ୍କୁ ଜୀବନରୁ ମାରିଦେବାର ଉଦ୍ୟମ କରିଥିଲେ । କିନ୍ତୁ ଏହି ଦୃଶ୍ୟକୁ ଦେଖି ସେହି ଗ୍ରାମର କିଛି ବ୍ୟକ୍ତି ଦୌଡି ଆସିବାରୁ ସେମାନେ ତାଙ୍କୁ ଛାଡି ପଳାଇଥିଲେ । ଯିବା ସମୟରେ ତାଙ୍କ ପକେଟରେ ଥିବା ୬ ହଜାର ଟଙ୍କା ନେଇଯାଇଥିଲେ । ଉପରୋକ୍ତ ଅସାମାଜିକ ବ୍ୟକ୍ତିମାନେ ସେହି ରାତିରେ ଏକ ଟ୍ରକ୍ ଡ୍ରାଇଭରଙ୍କୁ ମଧ୍ୟ ମାଡ ମାରି ତାଙ୍କ ପାଖରୁ ଅର୍ଥ ଲୁଟିନେଇଥିଲେ । ଏବଂ ଗଲାବେଳେ ଏ ବିଷୟରେ ଥାନାରେ ଅଭିଯୋଗ କଲେ ପ୍ରିୟତମଙ୍କୁ ଜୀବନରୁ ମାରିଦେବାର ଚେତାବନୀ ଦେଇଥିଲେ । ଏଣୁ ଏହି ଘଟଣାରେ ବିଧିବଦ୍ଦ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରିୟତମ ନିଜ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ତେବେ ଗ୍ରାମାଞ୍ଚଳ ଥାନାଧିକାରୀ ଅମିତାଭ ଦାସ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଉଭୟପକ୍ଷଙ୍କ ଅଭିଯୋଗ ପତ୍ର ମୂଳେ ତଦନ୍ତ କରିବାକୁ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିବା ବିଷୟ ଏ ପ୍ରତିନିଧିଙ୍କୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.