ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଈଶ୍ୱରପୁରସ୍ଥିତ ପ୍ରସିଦ୍ଧ ମା ଦପାନାୟକାଣୀ ପୀଠ ମକର ସଂକ୍ରାନ୍ତୀ ଉପଲକ୍ଷେ ଉତ୍ସବ ମୁଖର ହୋଇଛି। ମା’ଙ୍କ ମହିିମାରେ ଶ୍ରଦ୍ଧାଳୁ ଭକ୍ତମାନେ ମନ୍ଦିର ବେଢ଼ାରେ ଭୋଗ କରିବା ସହିତ ଦୀପ ଲଗାଇଥିଲେ। ଏଥିସହ ମାନସିକ ରଖିଥିବା ମାଟି ଘୋଡ଼ା ମା’ଙ୍କୁ ପ୍ରଦାନ କରିଥିଲେ। ମନ୍ଦିର ବେଢ଼ାରେ ଦୀପ ଓ ମାଟି ଘୋଡ଼ା ମା’ଙ୍କ ମହିମାର ନିଚ୍ଛକ ପ୍ରମାଣ ପରିଲକ୍ଷିତ ହୋଇଛି। ଶ୍ରଦ୍ଧାଳୁ ଭକ୍ତମାନେ ଆସି ମା’ଙ୍କୁ ଦର୍ଶନ କରି ମାନସିକ ପୂରଣ କରିଛନ୍ତି। ମା’ଙ୍କ ମହିମା ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ରତା ବଜାୟ ରଖିଛି। ଚଳିତବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଜମିଛି ଯାହାକୁ ନଦେଖିଲେ କେହି କେବେ ବିଶ୍ୱାସ କରିପାରିବ ନାହିଁ। ମା’ଙ୍କ ନିକଟରେ ଶ୍ରଦ୍ଧାଳୁମାନେ ମାନସିକ ରଖିଥିବା କୁକୁଡ଼ା ଓ ବୋଦା ଭୋଗ ଲଗାନ୍ତି ଯାହାକୁ ଭକ୍ତମାନେ ପରବର୍ତ୍ତୀ ସମୟରେ ଭୋଗ ଭାବେ ଭାବି ନିଲାମ କରି ଭକ୍ତିର ସହିତ ଘରକୁ ନେଇ ଖାଇଥାନ୍ତି। ଏହି ପରମ୍ପରାଟି ସ୍ଥାନୀୟ ଅଞ୍ଚଳରେ ଏକ ନିଆରା ପରମ୍ପରା ବୋଲି କୁହାଯାଇଛି। ମା’ ଦପାନାୟକାଣୀ ପୀଠରେ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳା ଓ ଶ୍ରଦ୍ଧାଳୁମାନଙ୍କ ସହାୟତା ପାଇଁ ଆରସା ଜୀବନଜ୍ୟୋତି ସ୍ୱେଚ୍ଛାସେବୀ ସଂଗଠନ, କାଁପଡ଼ାର ଜନଜାଗୃତି ସଂଘ, କୋହ୍ଲର ବିପଦବନ୍ଧୁ ସେବା ସଂଗଠନ ସହିତ ବିଭିନ୍ନ ସ୍କୁଲର ସ୍କାଉଟ୍ ପିଲାମାନେ ନିୟୋଜିତ ହୋଇଛନ୍ତି। ତତ୍ସହିତ ପୀରହାଟ ଥାନା ଅଧିକାରୀ ଗୟାଧର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ ମୁତୟନ କରାଯାଇ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ପଦକ୍ଷେପ ନେଇଛନ୍ତି। ମା’ଙ୍କ ପୂଜା କମିଟିର ସଭାପତି ଯଶୋବନ୍ତ ମଲ୍ଲିକ, ସଂପାଦକ ମୁରଲୀଧର ମଲ୍ଲିକ, ସହ-ସଂପାଦକ ଅଲେଖ ଚନ୍ଦ ମଲ୍ଲିକ, କୋଷାଧ୍ୟକ୍ଷ ସୂର୍ଯ୍ୟମଣି ଦାସ, ସଭ୍ୟ ସୁଧୀର ମଲ୍ଲିକ, ଦେବେନ୍ଦ୍ର ମଲ୍ଲିକ, ବାବୁରାମ ମଲ୍ଲିକ, ଜୟପ୍ରକାଶ ମଲ୍ଲିକ, ବିକାଶ ଦାସ, ଚରଣ ମଲ୍ଲିକ, ନିରାକାର ମଲ୍ଲିକ ପ୍ରମୁଖ ମା’ଙ୍କ ପୂଜାରେ ସହଯୋଗ କରିଥିଲେ। ମା’ଙ୍କ ପୀଠରେ ଏହି ପର୍ବ ମକର ସଂକ୍ରାନ୍ତୀ ୧୪ ତାରିଖ ଠାରୁ ଆରମ୍ଭ ହୋଇ ୧୭ ତାରିଖରେ ଶେଷ ହେବ ବୋଲି କମିଟି କର୍ମକର୍ତ୍ତା ସୂଚନା ଦେଇଛନ୍ତି।
Home ଜିଲ୍ଲା ପରିକ୍ରମା ମକର ସଂକ୍ରାନ୍ତୀରେ ମା’ ଦପାନାୟକାଣୀ ପୀଠ ଉତ୍ସବମୁଖର, ଦପାନାୟକାଣୀ ମନ୍ଦିର ବେଢ଼ାରେ ଲାଗି ଭୋଗ ଓ...