ଜୁଲାଇ ମାସରେ ଜିଏସଟି ରାଜସ୍ବ ସଂଗ୍ରହ ଦ୍ବିତୀୟ ସର୍ବାଧିକ, ଗତ ବର୍ଷ ସମାନ ମାସ ତୁଳନାରେ ୨୮% ଅଧିକ
ଜୁଲାଇ ୨୦୨୨ରେ ଓଡ଼ିଶାରେ ୩, ୬୫୨ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗୃହିତ (ବସ୍ତୁ ଆମଦାନୀ ଉପରେ ଲାଗୁଥିବା ଜିଏସଟିକୁ ଛାଡ଼ି)
ନୂଆ ଦିଲ୍ଲୀ ୧-୮ (ଓଡ଼ିଆ ପୁଅ) ୨୦୨୨ ଜୁଲାଇ ମାସରେ ୧ ଲକ୍ଷ ୪୮ ହଜାର ୯୯୫ କୋଟି ଟଙ୍କାର ସକଳ ବସ୍ତୁ ଓ ସେବା କର (ଜିଏସଟି) ରାଜସ୍ବ ସଂଗୃହିତ ହୋଇଛି। ଏଥିମଧ୍ୟରେ ସିଜିଏସଟି ୨୫, ୭୫୧ କୋଟି ଟଙ୍କା ହୋଇଥିବା ବେଳେ ଏସଜିଏସଟି ପରିମାଣ ୩୨, ୮୦୭ କୋଟି ଟଙ୍କା ରହିଛି। ସେହିପରି ଆଇଜିଏସଟି ସଂଗ୍ରହ ପରିମାଣ ୭୯, ୫୧୮ କୋଟି ଟଙ୍କା (ବସ୍ତୁ ଆମଦାନୀ ଉପରେ ସଂଗୃହିତ ୪୧, ୪୨୦ କୋଟି ଟଙ୍କା ସମେତ) ଏବଂ ସେସ ସଂଗ୍ରହ ପରିମାଣ ୧୦, ୯୨୦ କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ ୯୯୫ କୋଟି ଟଙ୍କା ସମେତ) ରହିଛି। ଜିଏସଟି ଲାଗୁ ହେବା ପରଠାରୁ ଏହା ଦ୍ବିତୀୟ ସର୍ବାଧିକ ରାଜସ୍ବ ସଂଗ୍ରହ।
ଜୁଲାଇ ୨୦୨୨ରେ ଓଡ଼ିଶାରେ ୩, ୬୫୨ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗୃହିତ ହୋଇଛି। ଏହା ଜୁଲାଇ ୨୦୨୧ରେ ସଂଗୃହିତ ଜିଏସଟି ରାଜସ୍ବ ୩, ୬୧୫ କୋଟି ଟଙ୍କା ତୁଳନାରେ ୧% ଅଧିକ।
ଅନ୍ୟପଟେ ସରକାର ସିଜିଏସଟି ବାବଦରେ ୩୨, ୩୬୫ କୋଟି ଟଙ୍କା ଏବଂ ଆଇଜିଏସଟିରୁ ଏସଜିଏସଟି ବାବଦରେ ୨୬, ୭୭୪ କୋଟି ଟଙ୍କା ପରିଶୋଧ କରିଛନ୍ତି। ନିୟମିତ ପରିଶୋଧ କରିବା ପରେ ୨୦୨୨ ଜୁଲାଇ ମାସରେ କେନ୍ଦ୍ର ଏବଂ ରାଜ୍ୟର ମୋଟ ରାଜସ୍ବ ସଂଗ୍ରହ ସିଜିଏସଟି ପାଇଁ ୫୮, ୧୧୬ କୋଟି ଟଙ୍କା ଏବଂ ଏସଜିଏସଟି ପାଇଁ ୫୯, ୫୮୧ କୋଟି ଟଙ୍କା ରହିଛି।
ଗତବର୍ଷ ଜୁଲାଇ ମାସରେ ୧, ୧୬, ୩୯୩ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗୃହିତ ହୋଇଥିଲା। ଏହା ତୁଳନାରେ ଚଳିତ ବର୍ଷ ଅର୍ଥାତ୍ ଜୁଲାଇ ୨୦୨୨ରେ ୨୮% ଅଧିକ ଜିଏସଟି ସଂଗୃହିତ ହୋଇଛି। ଏହି ମାସରେ, ବସ୍ତୁ ଆମଦାନୀରୁ ସଂଗୃହିତ ଜିଏସଟି ଗତବର୍ଷ ସମାନ ମାସ ତୁଳନାରେ ୪୮% ଅଧିକ ରହିଛି। ସେହିପରି ଘରୋଇ କାରବାର (ସେବା ରପ୍ତାନି ସମେତ)ରୁ ସଂଗୃହିତ ରାଜସ୍ବ ପୂର୍ବବର୍ଷର ସମାନ ମାସ ତୁଳନାରେ ୨୨% ଅଧିକ ରହିଛି।
ଲଗାତାର ପାଞ୍ଚ ମାସ ଧରି, ମାସିକ ଜିଏସଟି ରାଜସ୍ବ ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି, ଯାହାକି ପ୍ରତିମାସରେ ଜିଏସଟି ସଂଗ୍ରହରେ ସ୍ଥିର ଅଭିବୃଦ୍ଧିକୁ ସୂଚାଉଛି। ଜୁଲାଇ ୨୦୨୨ରେ ଜିଏସଟି ରାଜସ୍ବ ସଂଗ୍ରହରେ ଅଭିବୃଦ୍ଧି ପୂର୍ବବର୍ଷର ସମାନ ଅବଧି ତୁଳନାରେ ୩୫% ଅଧିକ ରହିଛି ଏବଂ ଏହା ଅତ୍ୟୁଚ୍ଚ ଅଭିବୃଦ୍ଧିର ସଙ୍କେତ ଦେଉଛି। ଉନ୍ନତ ଅନୁପାଳନ ସୁନିଶ୍ଚିତ କରିବା ଲାଗି ଅତୀତରେ ଜିଏସଟି ପରିଷଦ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ସ୍ପଷ୍ଟ ପ୍ରଭାବ ରାଜସ୍ବ ସଂଗ୍ରହରେ ଦେଖିବାକୁ ମିଳିଛି। ଉନ୍ନତ ରିପୋର୍ଟିଂ କାରଣରୁ ଆର୍ଥିକ ସୁଧାର ଗତିଶୀଳ ହୋଇଛି ଏବଂ ନିୟମିତ ହାରରେ ଜିଏସଟି ରାଜସ୍ବ ସଂଗ୍ରହ ବୃଦ୍ଧି ପାଉଛି। ଜୁନ ୨୦୨୨ରେ ୭.୪୫ କୋଟି ଇ-ୱେବିଲ୍ ପ୍ରସ୍ତୁତ ହୋଇଥିଲା ଯାହାକି ମେ ୨୦୨୨ରେ ପ୍ରସ୍ତୁତ ୭.୩୬ କୋଟି ଇ-ୱେବିଲ୍ ତୁଳନାରେ ଅଧିକ।