– ଛାତ୍ରଛାତ୍ରୀମାନେ ଏକାଧିକ ବିଶ୍ୱବିଦ୍ୟାଳୟ ପାଇଁ ନାମ ଲେଖାଇବାକୁ ଆବେଦନ କରିପାରିବେ
– ପରୀକ୍ଷାର୍ଥୀମାନେ ୧୩ଟି ଆଂଚଳିକ ଭାଷାରେ ପରୀକ୍ଷା ଦେବା ସହ ନିଜେ ଚୟନ କରିଥିବା କେନ୍ଦ୍ରରେ ପରୀକ୍ଷା ଦେଇପାରିବେ
– ଛାତ୍ରଛାତ୍ରୀଙ୍କ ମାନସିକ ଚାପ ଏବଂ ଆର୍ଥକ ବୋଝ କମ୍ ହେବ ଓ ଏକାଧିକ ସୁଯୋଗ ମିଳିପାରିବ
– ଗ୍ରାମୀଣ ଏବଂ ଦୁର୍ଗମ ଅଂଚଳରେ ବସବାସ କରୁଥିବା ଛାତ୍ରଛାତ୍ରୀ ହେବେ ଲାଭବାନ
– ସିୟୁଇଟି ବିଭିନ୍ନ ଆଂଚଳିକ ଭାଷାରେ ଏକକ ପ୍ରବେଶିକା ପରୀକ୍ଷା କରି ସମସ୍ତଙ୍କୁ ଶିକ୍ଷା ଉପଲବ୍ଧି କରାଇବାରେ ସହାୟକ ହେବ
ନୂଆଦିଲ୍ଲୀ/ଭୁବନେଶ୍ୱର, ଏପ୍ରିଲ ୨୫ (ଓଡ଼ିଆ ପୁଅ) – କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ କମନ୍ ୟୁନିଭରସିଟି ଏଂଟ୍ରାନ୍ସ ଏକ୍ସାମିନେସନ(ସିୟୁଇଟି) ଜାତୀୟ ଶିକ୍ଷା ନୀତି ଆଧାରରେ ଆପଣାଯାଇଛି ଏବଂ ଏହା ଦ୍ୱାରା ୧୩ଟି ଆଂଚଳିକ ଭାଷାରେ ଛାତ୍ରଛାତ୍ରୀମାନେ ଦେଶରେ ଥିବା ଶତାଧିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇପାରିବେ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାମିଲନାଡ଼ୁର ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ା. କେ. ପୋନମୁଡ଼ିଙ୍କୁ ପତ୍ର ଲେଖି ଜଣାଇଛନ୍ତି।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ଛାତ୍ରଛାତ୍ରୀଙ୍କ ଜ୍ଞାନକୁ ଗଠନମୂଳକ ମୂଲ୍ୟାଙ୍କନ କରିବାକୁ ଗୁରୁତ୍ୱ ଦେଉଅଛି। କମନ୍ ୟୁନିଭରସିଟି ଏଂଟ୍ରାନ୍ସ ଟେଷ୍ଟ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଏକାଧିକ ବିଶ୍ୱବିଦ୍ୟାଳୟ ପାଇଁ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ। ଏହା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ଉପରେ ଆର୍ଥିକ ବୋଝ ହ୍ରାସ ପାଇବ ଏବଂ ସେମାନଙ୍କୁ ଏକାଧିକ ସୁଯୋଗ ମିଳିବ। ଛାତ୍ରଛାତ୍ରୀ ମାନେ ୧୩ଟି ଭାଷାରେ ପ୍ରବେଶିକା ପରୀକ୍ଷା ଦେଇପାରିବେ ଏବଂ ଦେଶର ଶତାଧିକ ପରୀକ୍ଷା କେନ୍ଦ୍ରରୁ ନିଜ ଇଚ୍ଛାନୁସାରେ ପରୀକ୍ଷା କେନ୍ଦ୍ର ଚୟନ କରିପାରିବେ।
ବିଭିନ୍ନ ରାଜ୍ୟ ବୋର୍ଡ ମାନଙ୍କର ମୂଲ୍ୟାଙ୍କନ ପଦ୍ଧତି ଭିନ୍ନ ଭିନ୍ନ। ସିୟୁଇଟି ଛାତ୍ରଛାତ୍ରୀଙ୍କ ପ୍ରତୟାତ୍ମକ ବୁଦ୍ଧି ଏବଂ ଜ୍ଞାନକୁ ବ୍ୟବହାର କରିବାର କ୍ଷମତାକୁ ପରୀକ୍ଷା କରିବ। ଏହି ପରୀକ୍ଷାର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ନେଉଥିବା କୋଚିଂକୁ ବନ୍ଦ କରିବା। ଏହାବ୍ୟତିତ ଦ୍ୱାଦଶ ଶ୍ରେଣୀର ବିଷୟର ଜ୍ଞାନ ଆଧାରରେ ସ୍ନାତକ ସ୍ତରୀୟ ପ୍ରବେଶିକା ପରୀକ୍ଷାର ସିଲାବସ୍ ପ୍ରସ୍ତୁତ କରାଯାଇଛି। ଏହା ସାମାଜିକ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବିଶେଷ ଲାଭ ଦେବ। ଦ୍ୱାଦଶ ଶ୍ରେଣୀର ମାର୍କ୍ ଆଧାରରେ ପ୍ରବେଶିକା ପରୀକ୍ଷାର ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ଆଡ଼ମିଶନ କରିବା ପାଇଁ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ)ର ମୂଲ୍ୟାଙ୍କନକୁ ବ୍ୟବହାର କରିବା ପାଇଁ ନିଷ୍ପତି ନେବେ। ସିୟୁଇଟି ବିଭିନ୍ନ ଆଂଚଳିକ ଭାଷାରେ ଏକକ ପ୍ରବେଶିକା ପରୀକ୍ଷା କରି ସମସ୍ତଙ୍କୁ ଶିକ୍ଷା ଉପଲବ୍ଧି କରାଇବାରେ ସହାୟକ ହେବ। ଛାତ୍ରଛାତ୍ରୀଙ୍କ ମାନସିକ ଚାପ ଓ ଆର୍ଥକ ବୋଝ କମ୍ କରିବା ସହ ଗ୍ରାମୀଣ ଏବଂ ଦୁର୍ଗମ ଅଂଚଳରେ ବସବାସ କରୁଥିବା ଛାତ୍ରଛାତ୍ରୀ ଓ ସାମାଜିକ ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମାନ ସୁଯୋଗ ପ୍ରଦାନ କରିବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।
ଦେଶର ଶିକ୍ଷା କ୍ଷେତ୍ର ସହ ଜଡ଼ିତ ବିଷୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପର୍ଣ୍ଣ ଭୂମିକା ରହିଥିବା ଜାତୀୟ ଶିକ୍ଷା ନୀତି ଗୁଡ଼ିକରେ ଉଲ୍ଲେଖ ରହିଛି। ୪୨ତମ ସମ୍ବିଧାନ ସଂଶୋଧନ ଆଇନ ପୂର୍ବରୁ ଜାରୀ ହୋଇଥିବା ନ୍ୟାସନାଲ୍ ପଲିସି ଅନ୍ ଏଜ୍ୟୁକେସନ ୧୯୬୮ରେ ମଧ୍ୟ ରାଜ୍ୟ ଏବଂ କେନ୍ଦ୍ରୀୟ ସରକାରଙ୍କ ମିଳିତ ଉଦ୍ୟମ ବିଷୟରେ ଉଲ୍ଲେଖ କରିଛି। ସେହିପରି ୪୨ତମ ସମ୍ବିଧାନ ସଂଶୋଧନ ଆଇନ ପରେ ଲାଗୁ ହୋଇଥିବା ନ୍ୟାସନାଲ୍ ପଲିସି ଅନ୍ ଏଜ୍ୟୁକେସନ ୧୯୮୬ରେ ମଧ୍ୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ଭୂମିକା ଏବଂ ଦାୟିତ୍ୱ ବିଷୟରେ ଉଲ୍ଲେଖ ରହିଛି। ଜାତୀୟ ଶିକ୍ଷା ନୀତି -୨୦୨୦ ରେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୂମିକାକୁ ଗୁରୁତ୍ୱ ଦିଆଯାଇଛି। ଏହି ମର୍ମରେ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଂଚଳର ଅଧିକାରକୁ ଉଲ୍ଲଂଘନ କରୁନାହିଁ। ୪୨ତମ ସମ୍ବିଧାନ ସଂଶୋଧନ ଆଇନ ପରେ ଶିକ୍ଷାକୁ ଦେଶର କନକରେଂଟ୍ ତାଲିକାରେ ଅନ୍ତର୍ଭୃକ୍ତ କରାଯାଇଛି। ଏହା ଦ୍ୱାରା କେନ୍ଦ୍ର ସରକାର ଶିକ୍ଷା କ୍ଷେତ୍ର ବିକାଶ, ପ୍ରୋତ୍ସାହନ ଦିଗରେ ପଦକ୍ଷେପ ନେଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ତାମିଲନାଡ଼ୁର ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ା. କେ. ପୋନମୁଡ଼ି ବିଶ୍ୱବିଦ୍ୟାଳୟରେ କମନ ୟୁନିଭରସିଟି ଏଂଟ୍ରାନ୍ସ ଏକ୍ସାମିନେସନ(ସିୟୁଇଟି) ପରୀକ୍ଷା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପତ୍ର ଲେଖିଥିଲେ।