ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପରାସ୍ଥିତ ଡଗରାସାହି ଲେବୁଲ କ୍ରସିଂ ୧୧୮ ଠାରେ ଖୁବଶୀଘ୍ର ଆରମ୍ଭ ହେବ ଫ୍ଲାଏ ଓଭର ବ୍ରିଜ୍। ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏଥିନେଇ ଭଦ୍ରକର ପ୍ରାକ୍ତନ ବିଧାୟକ ନରେନ ପଲେଇଙ୍କ ନେତୃତ୍ୱରେ ଦୀର୍ଘମାସ ଧରି ପ୍ରତ୍ୟେକ ମାସ ୭ ତାରିଖରେ ଉକ୍ତ ସ୍ଥାନରେ ଧାରଣା ଦିଆଯାଉଥିଲା। ଗତ ମାସ ୭ ତାରିଖ ବିଭାଗୀୟ ଅଧିକାରୀମାନେ ଧାରଣାସ୍ଥଳରେ ପହଞ୍ôଚ ରେଳବାଇ କର୍ତ୍ତୃପକ୍ଷ ଉକ୍ତ ଦାବିକୁ ମାନି ନେଇଥିବା କହିଥିଲେ। ଆସନ୍ତା ଅକ୍ଟୋବର ୧ ତାରିଖରୁ ଏହି ସ୍ଥାନରେ ରେଳ ଓଭରବ୍ରିଜ୍ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା। ରେଳ ବିଭାଗର ଚିଠି ନଂ ୧୭୮/୪.୩.୨୦୨୨ ରେ ଏହି ପ୍ରତିଶ୍ରୁତି ଦିଆଯାଇଥିଲା। ଏହି କ୍ରମରେ ଉଭୟ ରେଳବିଭାଗ ଓ ପିଡବ୍ଲ୍ୟୁଡି ବିଭାଗ ପକ୍ଷରୁ ମିଳିତ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ଉକ୍ତ ସର୍ଭେ କାର୍ଯ୍ୟରେ ରେଳବାଇ ଖୋର୍ଦ୍ଧା ଡିଭିଜନ ସମେତ ପିଡବ୍ଲ୍ୟୁଡି ଓ ସ୍ଥାନୀୟ ବିଭାଗୀୟ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞ ଉପସ୍ଥିତ ଥିଲେ।
ରେଳ ବିଭାଗ ନିଜ ଅଧୀନ ଅଂଚଳର ଉକ୍ତ ବ୍ରିଜର ଉଭୟ ପାଶ୍ୱର୍ରେ ହେବାକୁ ଥିବା ଆପ୍ରୋଚ ରୋଡ୍ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ କରିବ ବୋଲି ନିଷ୍ପତ୍ତି ପରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଏହି ବ୍ରିଜ୍ ଦାବିରେ ଗତ ୮ ମାସ ହେଲା ପ୍ରତ୍ୟେକ ଏକ ନିର୍ଦ୍ଦିଷ୍ଟ ତାରିଖରେ ୧୧୮ ଲେବୁଲ କ୍ରସିଂ ନିକଟରେ ଶ୍ରୀ ପଲେଇଙ୍କ ନେତୃତ୍ୱରେ ଧାରଣା ଦିଆଯାଇ ଆସୁଥିଲା। ଏହି ଦାବିକୁ ନେଇ ପୂର୍ବରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୧୩ ଥର ଡିଆରଏମ୍ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏ ସମସ୍ତ ସ୍ମାରକପତ୍ର ଉତ୍ତରରେ ରେଳ ବିଭାଗ ଗତ ଅକ୍ଟୋବର ମାସ ୨୮ ତାରିଖ ଶ୍ରୀ ପଲେଇଙ୍କୁ ପ୍ରେରିତ ପତ୍ରରେ, ରାଜ୍ୟ ସରକାରଙ୍କ ଅସହଯୋଗ କାରଣରୁ ଏ ଦିଗରେ ବିଳମ୍ବ ଘଟୁଥିବା ଅବଗତ କରିଥିଲେ। ଏହାବ୍ୟତୀତ ଉକ୍ତ ଦାବିର ଯଥାର୍ଥତାକୁ ବିଭାଗ ଗୁରୁତର ସହ ନେଇଛି ଓ ଏଥି ନିମନ୍ତେ ବିଭାଗ ପକ୍ଷରୁ ୭୪.୨୫ କୋଟି ଟଙ୍କାର ଆକଳନ କରାଯାଇଛି। ତେବେ ବିଳମ୍ବର କାରଣ ହେଉଛି ଲେବୁଲ କ୍ରସିଂ ଓଭରବ୍ରିଜ୍ରେ ଉଭୟ ରେଳ ବିଭାଗ ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତା ରହିଥାଏ। ଫଳରେ କାର୍ଯ୍ୟରେ ବିଳମ୍ବ ହୋଇଥାଏ। ତେଣୁ ରେଳ ବିଭାଗ ଫ୍ଲାଏ ଓଭର ବ୍ରିଜ୍ ଗୁଡିକର କାର୍ଯ୍ୟ ତୁରନ୍ତ ସାରିବା ପାଇଁ ଗୋଟିଏ କଣ୍ଟ୍ରାକ୍ଟ (ସିଙ୍ଗଲ ଏନଟିଟି) ରେ ଟିସିଆଇଏ୍ ଭଳି କନଷ୍ଟ୍ରକସନ କଂପାନୀ ସହ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ଯାହାକି ଅନୁମୋଦନ ପାଇଁ ଯାଇଥିଲା। କିନ୍ତୁ ରାଜ୍ୟ ସରକାର ଏହାକୁ ଗ୍ରହଣ କରିନଥିଲେ। ତେଣୁ ପାରମ୍ପରିକ ଭାବେ ରେଳ ବିଭାଗ ଓଭରବ୍ରିଜ୍ କାର୍ଯ୍ୟ ଓ ଆପ୍ରୋଚ ରୋଡ୍ କାର୍ଯ୍ୟ ସରକାର କରିବେ ବୋଲି ସୂଚନା ମିଳିଛି।