ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷ ବର୍ଷ ଚାଷୀଙ୍କ ଉପରେ ପଡିଛି ଚଡକ। ବିଳମ୍ବିତ ବୃଷ୍ଟିପାତ ହେତୁ ବହୁ ଡେରିରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚାଷୀ ଅଣ୍ଟା ସଳଖି ଛିଡା ହେବା ମଧ୍ୟରେ ଦୁଇ ଦୁଇଟି ପ୍ରାକୃତିକୁ ଦୁର୍ବିପାକ (ବାତ୍ୟା) ଚାଷୀଙ୍କ ଉପରେ ଦାଉ ସାଧିଲା। ଏଥିସହ ମାଟିଆଗୁଣ୍ଡି ପୋକ ମଧ୍ୟ ଚାଷୀଙ୍କୁ ନାକେଦମ୍ କରିଥିଲା। ଯେଉଁଥିପାଇଁ ଚାଷୀ ନାନାଦି ଦୁଃଶ୍ଚିନ୍ତା ମଧ୍ୟରେ ଗତି କରୁଥିଲା। ତଥାପି ଭଲ ଅମଳ ହେବ ବୋଲି ଭରସା କରିଥିଲା। ଚାଷୀ ଯାହାହେଉ କିଛି ଅମଳ ହୋଇଥିଲେ ବି ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସରକାରୀ ଧାନ କିଣା ଅବ୍ୟବସ୍ଥା ମଧ୍ୟରେ ଅଣନିଶ୍ୱାସୀ ହୋଇପଡିଛନ୍ତି ଚାଷୀ ସମୂହ। ଅଦ୍ୟାବଧି ୭୦ ପ୍ରତିଶତ ଚାଷୀ ସରକାରଙ୍କୁ ଧାନ ବିକିବାକୁ ଅନାଇ ବସିଛନ୍ତି। ଭଦ୍ରକ ଜିଲାରେ ସରକାରୀ ଭାବେ ଧାନକିଣା ଆରମ୍ଭ ହେବାର ପ୍ରାୟ ୧ ମାସ ପୂର୍ବରୁ ବାହାର ରାଜ୍ୟର ବ୍ୟବସାୟୀ, ଦଲାଲ ଧାନ କିଣା ଆରମ୍ଭ କରିଦେଇଥିଲେ। ଏକ ବେସରକାରୀ ଆକଳନ ଅନୁଯାୟୀ; ସରକାରୀ ଭାବେ ଧାନ କିଣା ପୂର୍ବରୁ ପ୍ରାୟ ୧୦ ଲକ୍ଷ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଧାନ ବାହାର ରାଜ୍ୟକୁ ଚାଲାଣ ହୋଇସାରିଛି। ସରକାରୀ ବ୍ୟବସ୍ଥା ଉପରେ ଆଦୌ ବିଶ୍ୱାସ ସ୍ଥାପନ କରିପାରୁନଥିବା ବହୁ ଚାଷୀ ସରକାରୀ ମୂଲ୍ୟ ଠାରୁ ବହୁ କମ୍ ଦରରେ ସେମାନଙ୍କୁ ଧାନ ବିକିବା ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳିଥିଲା।
ତେବେ ଜାନୁଆରୀ ୫ ତାରିଖ ଠାରୁ ଧାନ କିଣା ସରକାରୀ ଭାବେ ଆରମ୍ଭ ହୋଇଥିବା କୁହାଯାଉଥିଲେ ମଧ୍ୟ ମଣ୍ଡି ଖୋଲିବା ଓ ମିଲର ନିଯୁକ୍ତିରେ ବିଳମ୍ବ ହେବା ଘଟଣା ଚାଷୀକୂଳକୁ ହତାଶ କରିଛି। ବିଭାଗୀୟ ତଥ୍ୟ ଅନୁଯାୟୀ; ଚଳିତବର୍ଷ ଜିଲାରେ ୭୯ ହଜାର ୧୮୨ ଚାଷୀ ସରକାରଙ୍କୁ ଧାନ ବିକିବା ପାଇଁ ନିଜର ନାମ ପଂଜିକରଣ କରିଛନ୍ତି। ମୋଟ ୯୬ ସମବାୟ ସମିତି ଏବଂ ୫୮ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ଏତକ ଧାନ ସଂଗ୍ରହ କରିବାକୁ ନିଷ୍ପତ୍ତି ହୋଇଥିଲା। ଏ ସମସ୍ତ ଏଜେନ୍ସିମାନଙ୍କ ଠାରୁ ଜିଲା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୯ ଲକ୍ଷ ୮ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିନିମିତ୍ତ ୩୧ ଜଣ ମିଲରଙ୍କ ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ତେବେ ଗତ ବୁଧବାର ପର୍ଯ୍ୟନ୍ତ ଯୋଗାଣ ବିଭାଗ ମୋଟ ୨୪ ହଜାର ୩୧୪ ଚାଷୀଙ୍କ ଠାରୁ ୧୦ ଲକ୍ଷ ୨୪ ହଜାର ୪୦୫ କ୍ୱିଣ୍ଟାଲ ଧାନ ସଂଗ୍ରହ କରିଛି। ଚାଷୀଙ୍କୁ ଏହି ବାବଦରେ ୧୧୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ମୋଟାମୋଟି ଭାବରେ କହିବାକୁ ଗଲେ ଆହୁରି ୫୫ ହଜାରରୁ ଉର୍ଦ୍ଧ୍ୱ ଚାଷୀଙ୍କ ଠାରୁ ଅଦ୍ୟାବଧି ଧାନ କିଣାଯାଇନାହିଁ। ସେହିପରି ଆଉ ମାତ୍ର ୯ ଲକ୍ଷ କ୍ୱିଣ୍ଟାଲ ଧାନ କିଣାଗଲେ ନିର୍ଦ୍ଧାରିତ ଧାର୍ଯ୍ୟ ଲକ୍ଷ୍ୟପୂରଣ ହେବ। ଅପରପକ୍ଷେ ଧାନ ସଂଗ୍ରହ ଅବଧି ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରହିଛି। ତେବେ ଯେଉଁଭଳି ଭାବରେ ଧାନ ସଂଗ୍ରହ ଚାଲିଛି, ଖୁବ୍ କମ୍ ସମୟ ମଧ୍ୟରେ ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇଯିବ। ଏହା ସତ୍ୱେ ପ୍ରାୟ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ ଚାଷୀ ଏହି ଧାନ କିଣା ପ୍ରକ୍ରିୟାରୁ ବାଦ୍ ପଡିବେ ବୋଲି ଏବେ ଆକଳନ କରାଯାଉଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମାହୋଲ ସରଗରମ ହେଉଥିବାବେଳେ ଚାଷୀଙ୍କ ଦୁଃଖ ବୁଝିବାକୁ ଏବେ କାହାରି ଦେଖା ମିଳୁନି। ଫଳରେ ଜିଲାର ଚାଷୀ ଏବେ ଯୋଗାଣ ବିଭାଗର ମର୍ଜିରେ ଚାଲିବାକୁ ବାଧ୍ୟ ହେବା ସହ ନିଜ ଭାଗ୍ୟକୁ ଆଦରି ବହୁ ଆଶଙ୍କା ମଧ୍ୟରେ ଗତି କରୁଛି।