ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସତୀ ପ୍ରଥା ଭଳି ଆଦିବାସୀ ଗ୍ରାମ ସମାଜରେ ଥିବା ଡାହାଣୀ ପ୍ରଥାର ବିଲୋପ ସହ ଏହାର ପ୍ରତିକାର ଦିଗରେ ଜିଲା ପୁଲିସ୍ ପ୍ରଶାସନର ସହାୟତାରେ ସମାଧାନ ପାଇଁ ସମନ୍ୱୟ ବୈଠକ କରିବା, ଏ ଦିଗରେ ଥିବା ସାମୂହିକ ଜରିମାନା ମୁକ୍ତ କରିବା, ଆଦିବାସୀ ସ୍ୱଶାସନ ପ୍ରମୁଖ (ମାଝୀ-ପାର୍ଗାନା) ର ଦାୟିତ୍ୱ ନିଷ୍ପତ୍ତି କରିବା, ଆଦିବାସୀ ଗ୍ରାମ ସମାଜର ସୁଧାର ଦିଗରେ ଉନ୍ନତି ମୂଳକ କାର୍ଯ୍ୟ କରିବା ଏବଂ ସର୍ବପରି ଡାହାଣୀ ପ୍ରଥାର ବିରୋଧ ଦିଗରେ ଜନ ଜାଗରଣ କାର୍ଯ୍ୟକ୍ରମ ହାତକୁ ନେଇ ପ୍ରତ୍ୟେକ ଆଦିବାସୀ ସମାଜରେ ନିଶୁଳ୍କ ସ୍ୱାସ୍ଥ୍ୟସେବାର ବନ୍ଦୋବସ୍ତ କରି ଓଝା, ଶଖା, ଗୁଣିଗାରେଡି, ଝାଡଫୁଙ୍କ ଭଳି ପ୍ରଥାର ବିଲୋପ କରିବା ଓ ‘ସାର୍ନା’ ଧର୍ମକୋଡ୍ ମାନ୍ୟତା ଭଳି ଦାବିନେଇ ଆଜି ଆଦିବାସୀ ସେଙ୍ଗେଲ୍ ଅଭିଯାନ (ଏଏସ୍ଏ) ଭଦ୍ରକ ଜିଲା କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିପୂର୍ବରୁ ଏଏସ୍ଏର ମହିଳା ମୋର୍ଚ୍ଚା ଭଦ୍ରକ ଜିଲା ସଭାପତି ଆଶା ମୁର୍ମୁ, ଭଦ୍ରକ ଜିଲା ପାର୍ଗାନର ଗାଇଚାନ ମୁର୍ମୁ, ଭଦ୍ରକ ବ୍ଲକ୍ ସଭାପତି ଭୀମ ମୁର୍ମୁଙ୍କ ନେତୃତ୍ୱରେ ବହୁ ଆଦିବାସୀ ସଂପ୍ରଦାୟର ଲୋକେ ଏକ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜର ୫ ଦଫା ଦାବି ନେଇ ସ୍ୱର ଉତ୍ତୋଳନ କରିଥିଲେ । ଏହାପରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।