ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଆତଙ୍କ ସୃଷ୍ଟି କରୁଥିବା ଦୁଇଜଣ ଅପରାଧୀଙ୍କୁ ପିଛାକରି ଆଜି ଗ୍ରାମାଞ୍ଚଳ ଥାନାର ୩ ଜଣ ଅଧିକାରୀ ସେମାନଙ୍କ ଗୁଳିରେ ନିଜେ ଆହତ ହେବା ପରେ ଆତ୍ମରକ୍ଷା ପାଇଁ ବାପିକୁ ଏନକାଉଣ୍ଟର କରି ସେମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ଏ ସଂପର୍କରେ ଆଜି ସନ୍ଧ୍ୟାରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଯତିନ କୁମାର ପଣ୍ଡା ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ବାପି ପାଣି ଓ ତାର ସହଯୋଗୀ ଏହି ଜିଲାର କସିଆ ମେରାଇନ୍ ଥାନା ଅଧୀନସ୍ଥ ବିଦେଇପୁର ଗ୍ରାମର ଓମ୍ ପ୍ରକାଶ ମଲ୍ଲିକ ବନ୍ଧୁକ ମୁନରେ ଗତ ଦୁଇଦିନ ତଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଆରଡିଛକସ୍ଥିତ ମାନବଜ୍ୟୋତି ମେଡିସିନ୍ ଷ୍ଟୋର ଓ ଗେଲପୁରସ୍ଥିତ କୃଷ୍ଣଚନ୍ଦ୍ର ଜେନାଙ୍କ ଘରୁ ଟଙ୍କା, ଅଳଙ୍କାର ଲୁଟ୍ କରିଥିଲେ । ଫଳରେ ଜିଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନା ନିଜ ଥାନାର ଏସ୍ଆଇ ଶୋଭେନ ସ୍ୱାଇଁ, ଶାନ୍ତନୁ ଜେନା ଓ ଶ୍ରୀକାନ୍ତ ଜେନାଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ । ଆଜି ଅପରାହ୍ନରେ ଏହି ଟିମ୍ କୌଣସି ସୂତ୍ରରୁ ଖବର ପାଇ ଏହି ଦୁଇ ଅପରାଧୀଙ୍କ ପିଛାକରି ଦିନ ପ୍ରାୟ ୩ଟା ସମୟରେ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଚଢେୟା ନିକଟରେ କାବୁ କରିବାକୁ ଚେଷ୍ଟା କରିଥିଲେ ।
ଏହା ଜାଣିପାରି ବାପି ସେମାନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ୩ ରାଉଣ୍ଡ ଗୁଳି ଚଳାଇବାରୁ ଆଲୋକ ଜେନାଙ୍କ ସମେତ ୩ ଜଣ ଅଧିକାରୀ ଆହତ ହୋଇଥିଲେ । ଏବଂ ନିଜ ଆତ୍ମରକ୍ଷା ପାଇଁ ସେମାନେ ମଧ୍ୟ ଅପରାଧୀ ଉପରକୁ ସର୍ଭିସ୍ ବନ୍ଧୁକରୁ ଗୁଳି ଚାଳନା କରିଥିଲେ । ଫଳରେ ବାପିର ଗୋଡରେ ୩ ରାଉଣ୍ଡ ଗୁଳି ବାଜିଥିଲା । ପରବର୍ତ୍ତୀ ସମୟରେ ଏହି ଟିମ୍ ବାପି ପାଣି ଓ ତାର ସହଯୋଗୀ ଓମ୍ ପ୍ରକାଶକୁ କାବୁ କରି ଆହତ ଅବସ୍ଥାରେ ବାପିକୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଓମ୍ ପ୍ରକାଶ ଦେହରେ କୌଣସି ଗୁଳି ବାଜିନଥିବାବେଳେ ବାପିକୁ ସଂକଟାପନ୍ନ ଅବସ୍ଥାରେ କଟକ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଦୁଇ ଅପରାଧୀଙ୍କ ନିକଟରୁ ପୁଲିସ୍ ଗୋଟିଏ ପିସ୍ତଲ, ଗୋଟିଏ ମୋବାଇଲ୍ ଓ ବାଇକ୍ ଜବତ କରି କର୍ତ୍ତବ୍ୟରତ ପୁଲିସ୍ ଅଧିକାରୀଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଦେଶୀ ପିସ୍ତଲରୁ ଗୁଳି ଚାଳନା କରି ଆହତ କରିଥିବା ଘଟଣାରେ ଗ୍ରାମାଞ୍ଚଳ ଥାନାରେ କେଶ୍ ନଂ ୪୬୮/୨୧, ତା ୧୩.୧୧.୨୧ ରିଖ, ଦଫା ୩୫୩ / ୩୦୭ / ୩୪ ଆଇପିସି , ଆରଡବ୍ଲ୍ୟୁଏସ୍ ୨୫ / ୨୭ ଆର୍ମସ୍ ଆକ୍ଟ ମୂଳେ ମୋକଦ୍ଦମା ରୁଜୁ କରିଛି । ତେବେ ଏହି ଗ୍ୟାଙ୍ଗ୍ରେ ସଂପୃକ୍ତ ଅନ୍ୟମାନଙ୍କ ସଂପର୍କରେ ପୁଲିସ୍ ଅଧିକ ତଦନ୍ତ କରୁଥିବା ବିଷୟ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଏହି ଗ୍ୟାଙ୍ଗ୍ ଜିଲା ଓ ସୀମାନ୍ତବର୍ତ୍ତୀ ଅଂଚଳର ୨୦ ରୁ ଉର୍ଦ୍ଧ୍ୱ ରାହାଜାନୀ ଘଟଣାରେ ସଂପୃକ୍ତ ଥିବା ବିଷୟ ପ୍ରାଥମିକ ତଦନ୍ତରୁ ଜଣାପଡିଛି ।