Home ଜିଲ୍ଲା ପରିକ୍ରମା ପଦ ପଦବୀର ବାହାରେ ବି ଏକ ଜୀବନ ଥାଏ, ଲୋକକଳା ସଂଘ ତରଫରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ...

ପଦ ପଦବୀର ବାହାରେ ବି ଏକ ଜୀବନ ଥାଏ, ଲୋକକଳା ସଂଘ ତରଫରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା

26

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜୀବନ ଏକ ବଡ଼ ଆଁ, ଆଁ ଭିତରେ ଯେପରି ଆମର ୩୨ ଦାନ୍ତ ଥାଏ । ସେ କର୍କଶ ଦାନ୍ତ ଭିତରେ ବି କୋମଳ ଜିଭ ନିଜକୁ ସୁରକ୍ଷିତ କରି ନିଜର କର୍ତ୍ତବ୍ୟ ସମ୍ପାଦନ କରିଥାଏ । ପୁଣି ଦାନ୍ତ ସବୁ କୁ ସଫା ଶଙ୍ଖ ମଲମଲ ରଖିବା ପାଇଁ ଆମକୁ ପ୍ରତିଦିନ ଘଷିମାଜି ସଫା କରିବାକୁ ପଡ଼େ । ଠିକ୍ ସେହିପରି ଜୀବନ ରୂପକ ବଡ଼ ଆଁ ଭିତରେ ଅନେକ ପ୍ରତିକୂଳ ପରିବେଶ ସହିତ ଆମକୁ ସମ୍ମୁଖୀନ ହେବାକୁ ପଡ଼ୁଥିଲେ ବି ଆମେ ନିଜକୁ ସୁରକ୍ଷିତ ରଖି ଆଗକୁ ବଢ଼ିବାକୁ ପଡ଼ିଥାଏ । ଦାନ୍ତ ସଫାକଲା ପରି ଆମ ନିଜର ଦୋଷ ଦୁର୍ଗୁଣ କୁ ସଫା କରି ପାରିଲେ ଆମ ବ୍ୟକ୍ତିତ୍ୱ ବି ଆକର୍ଷଣୀୟ ହୁଏ । ଭଦ୍ରକ ଜିଲ୍ଲା ପ୍ରଶାସନର ଅତିରିକ୍ତ ଜିଲ୍ଲାପାଳ ମଧୁ ସୂଦନ ଦାଶଙ୍କ ପଦୋନ୍ନତି ଓ ବଦଳି ଜନିତ ବିଦାୟ ସମ୍ବର୍ଦ୍ଧନା ସଭାରେ ତାଙ୍କ ବକ୍ତବ୍ୟ ଛଳରେ ଶ୍ରୀଯୁକ୍ତ ଦାଶ ଏହିପରି ଅନେକ ବାର୍ତ୍ତା ସମ୍ବଳିତ ଉଦାହରଣ ଉପସ୍ଥାପନ କରିଥିଲେ । ଜିଲ୍ଳାର ସମସ୍ତ ଲୋକକଳା ସଂଘ ତରଫରୁ ଆଜି ଜିଲ୍ଲା ସଂସ୍କୃତି ଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ଆବାହକ ଓ ସଂଯୋଜକ ଭାବେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା ଓ ସଂଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଦାଶଙ୍କ ସହିତ ଅନ୍ୟତମ ଅତିଥି ଭାବେ ଜିଲ୍ଲାକଳା ସଂସ୍କୃତି ସଂଘର ଉପସଭାପତି ସୁବାସ ଚନ୍ଦ୍ର ମଲ୍ଲିକ, ଭଦ୍ରକ ନଗରକଳା ସଂସ୍କୃତି ସଂଘର ଉପସଭାପତି ନରେନ୍ଦ୍ର ପ୍ରସାଦ ପରିଡ଼ା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ତଥା ପୂର୍ବତନ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ସୁବାସ ଚନ୍ଦ୍ର ନାୟକ ମଞ୍ଚାସୀନ ଥିଲେ ।

ଜଣେ ଦକ୍ଷ ପ୍ରଶାସକ, ସଚ୍ଚୋଟ, ନିଷ୍ଠାପର, ସମୟାନୁବର୍ତ୍ତୀ ପ୍ରେରଣାଦାୟୀ ଅଧିକାରୀ ଅନ୍ୟ ଦିଗରେ ସାହିତ୍ୟିକ, କବି, ବାଗ୍ମୀ, କଳାପ୍ରେମୀ, ଗୁଣୀ, ଗୁଣଗ୍ରାହୀ ଆଦି ଅନେକ କ୍ଷେତ୍ରରେ ଶ୍ରୀଯୁକ୍ତ ଦାଶଙ୍କର ପାରଦର୍ଶିତାକୁ ଅତିଥି ଓ ଉପସ୍ଥିତ ଉପସଭାପତି, କଳାକାରମାନେ ନିଜ ନିଜ ବକ୍ତବ୍ୟରେ ବଖାଣି ତାଙ୍କର ଗୁଣଗାନ କରିଥିଲେ । ପଦ ପଦବୀର ବାହାରେ ମଣିଷର ଏକ ସାମାଜିକ, ସାଂସ୍କୃତିକ ଜୀବନ ଥାଏ ଏବଂ ତା’ର ଆନନ୍ଦ ନେବା ପାଇଁ ପଦପଦବୀକୁ ଘର କୋଣରେ ରଖି ଦେଇ ଆସିବାକୁପଡ଼େ ବୋଲି ଶ୍ରୀଯୁକ୍ତ ଦାଶ ପ୍ରକାଶ କରିଥିଲେ । ତାଙ୍କ ପ୍ରତି ଥିବା ସମସ୍ତଙ୍କର ଭଲ ପାଇବା ଭଦ୍ରକ ମାଟିରେ କଳାର ଝଲକ ତାଙ୍କ ପାଇଁ ସବୁଦିନେ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ । ମଣିଷ ଚରିତ୍ରର ବିଭିନ୍ନ ଦିଗ ଆଧାରରେ ନିଜ ଦ୍ୱାରା ସୃଷ୍ଟି କବିତା “ଚିତ୍ରଅଙ୍କା” ସମସ୍ତଙ୍କୁ ଶୁଣାଇଥିଲେ । ବି.କେ.ଏସ୍‌.ଏସ୍‌.ର ଉପସଭାପତି ଭାବେ ବାସୁଦେବପୁରର ସନାତନ ପୁରୀ, ଭଦ୍ରକର ପ୍ରଶାନ୍ତ କୁମାର ବେହେରା, ଭଣ୍ଡାରିପୋଖରୀର ରବୀନ୍ଦ୍ର କୁମାର ଜେନା, ଚାନ୍ଦବାଲିର ତ୍ରିଲୋଚନ ପଣ୍ଡା, ତିହିଡ଼ିର ସତ୍ୟବ୍ରତ ତ୍ରିପାଠୀ ପ୍ରମୁଖ ଏଥିରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ନିକଟ ଅତୀତରେ ଅନୁଷ୍ଠିତ ହୋଇଯାଇଥିବା ମୁଖ୍ୟମନ୍ତ୍ରୀ ଲୋକକଳା ପ୍ରତିଯୋଗିତାର ବିଜେତା ମାନଙ୍କୁ ମାନପତ୍ର, ଉପସଭାପତିମାନଙ୍କୁ ପରିଚୟ ପତ୍ର ଓ ଅଂଶ ଗ୍ରହଣକାରୀ କଳାକାରମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.