କୋଲାବିରା, ୧୭।୧୦ (ଓଡିଆ ପୁଅ/ ନିଶିତ ବହିଦାର) ଝାରସୁଗୁଡା ଜିଲ୍ଲା କୋଲାବିରା ଅଂଚଳର ଇଷ୍ଟଦେବୀ ଭାବରେ ପୂଜିତ ମା’ଦକ୍ଷିଣକାଳୀଙ୍କ ବଏଲଯାତ୍ରା କଟକଣାମଧ୍ୟରେ ସରିଛି। ଅବାହମାନ କାଳରୁ ଯେଉଁ ପରମ୍ପରା ସହକାରେ ଯାତ୍ରା ହେଉଥିଲା ସେହି ରୀତିନୀତିର ଝଲକ ରହିଥିଲା। ମହାସପ୍ତମୀରୁ ମା’ଙ୍କ ପୀଠରେ ଦଶହରାପୂଜା ଆରମ୍ଭ ହୁଏ। ଏହି ପରିପ୍ରେକ୍ଷୀରେ ଅଷ୍ଟମୀ ମଧ୍ୟରାତ୍ରୀରେ ବଳି ଓ ପୂଜା ପରେ ନବମୀ ପୁଜା, ଦଶମୀ ହୋମଯଜ୍ଞ, ପୂର୍ଣ୍ଣାହୁତୀ ପରେ ଗୁପ୍ତବଳି ତଥା ପୂଜା ହୋଇଥିଲା। ପରେ ମଧ୍ୟରାତ୍ରୀରେ ଦେବୀବାହନ ବରୁଆ ଦେହରେ ଦୈବଶକ୍ତି ସଂଚାରିତ ହେବାପରେ ମା’ଙ୍କ ପ୍ରତ୍ୟକ୍ଷ ଦର୍ଶନ ଲଭିଥିଲେ ସ୍ରଦ୍ଧାଳୁ। କରୋନା କଟକଣା ମଧ୍ୟରେ ଶ୍ରଦ୍ଧାଳୁ ମା”ଙ୍କ ପ୍ରତି ଥିବା ଅହେତୁକ ଭକ୍ତି ଓ ଶ୍ରଦ୍ଧାର ନୈବେଦ୍ୟ ଶୃଙ୍ଖଳାର ସହ ଅର୍ପଣ କରିବାରେ ଲାଗିଥିଲେ। ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଶାକ୍ତ ପରମ୍ପରା ବହୁ ପୁରାତନ। ଶାକ୍ତ ପରମ୍ପରାରେ ଜୟପୁର ଇଷ୍ଟେଟ (କୋଲାବିରା) ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀଙ୍କ ପ୍ରତି ଜନସାଧାରଣଙ୍କ ରହିଛି ଅଗାଧ ବିଶ୍ୱାସ, ଭକ୍ତି ଓ ଭୟ। ଝାରସୁଗୁଡା ଜିଲ୍ଲା କୋଲାବିରା ସ୍ଥିତ ଜମିଦାରି ଅମଳରୁ ବହୁପୁରାତନ ସମଲେଶ୍ୱରୀ ମନ୍ଦିର। କଳା ଓ ସଂସ୍କୃତିର ପରିଚୟ ତଥା ନିଷ୍ଠା ଓ ଭକ୍ତିର ଅନନ୍ୟ ପରମ୍ପରା ଏଠାକାର ବଏଲ ଯାତ୍ରା ହେଲେ ଶହଶହ ବର୍ଷର ଏହି ଅନନ୍ୟ ପରମ୍ପରାକୁ ବାଟ ଓଗାଲିଛି କରୋନା ମହାମାରୀ। କରୋନା ସଂକ୍ରମଣକୁ ଅଖି ଆଗରେ ରଖି ଚଳିତ ବର୍ଷ ମଧ୍ୟ ବଏଲ ଯାତ୍ରା ଉପରେ ଜିଲ୍ଲା ପ୍ରଶାସନ ରୋକ ଲଗାଇଛି। କେବଳ ବିଧି ରକ୍ଷା କରି ମାଙ୍କ ପୂଜାର୍ଚ୍ଚନା ମାତ୍ର ସାତଜଣଙ୍କ ମଧ୍ୟରେ ସଂପନ୍ନ କରିବାକୁ ଅନୁମତି ମିଛି। ଫଳରେ ଶହଶହ ବର୍ଷ ବଂଶାନୁକ୍ରମେ ଗ୍ରାମବାସୀ ତାଙ୍କ ବଏଲ ଯାତ୍ରା ପାଳନ ରୁ ବଂଚିତ ହୋଇଛନ୍ତି। ଏହାକୁ ନେଇ ଅଂଚଳବାସୀ, ଉଦ୍ୟୋକ୍ତା.ଭକ୍ତ, ଶ୍ରଦ୍ଧାଳୁ ସମସ୍ତେ ନିରାଶ ଭାବ ଦେଖାଦେଇଛିି। ଦୈବୀଶକ୍ତି ବା ତନ୍ତ୍ରମନ୍ତ୍ର ଶକ୍ତିର ଆଧାର କରିହେଉ କିମ୍ବା ପ୍ରାଚୀନ ସଂସ୍କୃତିର ପ୍ରଚଳିତ ପରମ୍ପରା ଦୃଷ୍ଟି କୋଣରୁ ହେଉ ଦୈବୀଶକ୍ତି ବା ମାତୃଶକ୍ତିର ମହତ୍ୱକୁ ସାର୍ବଜନୀନ କରିବା ପାଇଁ କୋଲାବିରାରେ ବହୁ ଆବହନ କାଳରୁ ଶକ୍ତିପୂଜାର ସୂତ୍ରପାତ ଘଟାଇ ମାଁ ସମଲେଶ୍ୱରୀଙ୍କ ପାରମ୍ପରିକ ବଏଲଯାତ୍ରା ସମ୍ପନ୍ନ ହେଉଛି। ଭାରତୀୟ ଧର୍ମଧାରାରେ ଶକ୍ତି ଉପାସନାର ଯଥେଷ୍ଟ ଗୁରୁତ୍ୱ ରହିଥିବାରୁ କୋଲାବିରାର ବଏଲଯାତ୍ରା ଏକ ଜ୍ୱଳନ୍ତ ଉଦାହରଣ ଅଟେ। ଏହି ବଏଲଯାତ୍ରା ପଶ୍ଚିମ ଓଡିଶାର ପ୍ରତ୍ୟେକଟି ପାରମ୍ପରିକ ଯାତ୍ରା ମଧ୍ୟରେ ଅନ୍ୟତମ। ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ କୋଲାବିରା ଠାରେ ଅନୁଷ୍ଠିତ ବଏଲଯାତ୍ରାର େଏ÷ତିହାସିକ ମହତ୍ୱ ରହିଛି। ତେବେ ଚଳିତ ବର୍ଷ ଏଥିରେ ସାମନ୍ୟ ବ୍ୟତିକ୍ରମ କରାଯାଇ ସମଲେଶ୍ୱରୀଙ୍କ ମନ୍ଦିର ପରିବର୍ତେ ଦକ୍ଷିଣକାଳୀଙ୍କ ପୀଠରୁ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଛି।
ସପ୍ତମୀଠାରୁ ପୂଜା ଆରମ୍ଭ ହୋଇ ଘିଅ ଓ ଡୁରି ତେଳରେ ଦୁଇଟି ଦମ୍ବୋ(ଦୀପ) ଜଳାଯାଇ ଏହାସହିତ ମାନସିକ କରିଥିବା ଓ ମନୋସ୍କାମନା ପୂର୍ଣ୍ଣପାଇଁ ଅନେକେ ମାଁ ଙ୍କ ଆଗରେ ଦମ୍ବୋ ଜଲେଇଥିଲେ। ଯାହାକି ଦଶମୀ ଦିନ ପୂର୍ଣ୍ଣାହୁତୀ ପର୍ଯ୍ୟନ୍ତ ଅନବରତ ଜଳିଥିଲା। ସେବାୟତମାନେ ଦମ୍ବୋ ଯେପରି ନଲିଭିବ ତାହାର ଯତ୍ନ ନେଇଥାନ୍ତି। ଦଶମୀଦିନ ପୁର୍ଣ୍ଣାହୁତି ବେଲେ ଦମ୍ବୋ ଲିଭାଇବା ସହ ବୋଦାବଳୀ ଦିଆଯାଇଥିଲା। ଅମାବାସ୍ୟା ଦିନଠାରୁ କର୍ତା, ବରୁଆ, ପୁରୋହିତ ଏବଂ ସେବାୟତମାନେ ହବିଷରେ ରହିଥିଲେ। ଦଶମୀ ଦିନ ପୂର୍ଣ୍ଣାହୁତି ପରେ ସନ୍ଧ୍ୟାରେ ପୁଣି ବରୁଆ ବରଣ କରାଯାଇ ଦେବୀଙ୍କୁ ଉଠାଯାଇଥିଲା। ବରୁଆ ଉପରେ ଦେବୀ ସବାର ଥାଇ ପ୍ରତ୍ୟକ୍ଷ ଦର୍ଶନ ଆରମ୍ଭ ହୋଇଥିଲା। ଏଥିରେ ଦେବୀବାହନ ବରୁଆ ଭାବରେ ଯୋଗୀ ଯୋଗେନ୍ଦ୍ର ରାଏଙ୍କୁ କମିଟି ପକ୍ଷରୁ ବିବେଚନା କରାଯାଇଥିବା ବେଳେ କର୍ତା ଭାବରେ ଜମିଦାର ବଂଶଜ ରୁଦ୍ର ପ୍ରତାପ ସିଂ ସପତ୍ନୀକ କାର୍ଯ୍ୟ ତୁଲେଇଥିଲେ। ରାଜ ପୁରୋହିତ ପ୍ରଦ୍ୟୁମ୍ନ ପୁରୋହିତ, ପୂଜକ ବିଜୟ କୁମାର ପୁଝାରୀ ପୂଜାପଚାର କାର୍ଯ୍ୟ ନିର୍ବାହ କରିଥିବା ବେଲେ ପ୍ରଫୁଲ୍ଲ ପାଣିଗ୍ରାହୀ ଚଣ୍ଡିପାଠ କରିଥିଲେ। ସ୍ମୃତିରଂଜନ ରାୟ, ସନ୍ତୋଷ ଦଲାଇ ପୂଜାକାର୍ଯ୍ୟରେ ସହେଯାଗ କରିଥିବା ବେଳେ ସୁଚାରୁରୁପେ କାର୍ଯ୍ୟକ୍ରମ ପରିଚାଳନାରେ ଜମିଦାର ବୀର ଅମରେନ୍ଦ୍ର ପ୍ରତାପ ସିଂହ, ବିନୟ ମହାପାତ୍ର, ଆଲୋକ ମହାପାତ୍ର, ସଚିନ ମହାପାତ୍ର, ଶଚିଦାନନ୍ଦ ଠାକୁର, ଦେବାଶୀଷ ସିଂ ଠାକୁର, ସୁବ୍ରତ ଦାସ, ଦୀପକ ରାୟ, ପ୍ରବୀଣ ସାହୁ, ଚେତାନନ୍ଦ ନଈ, ଭିମ ଭଂଜ, ଅସିତ ବହିଦାର, ଚିନ୍ମୟ ବହିଦାର, କୁନାଲ ବହିଦାର, ଜଜାତିକେଶରୀ ବେହେରା, ବୀରେନ୍ଦ୍ର କୁମାର ମହାପାତ୍ର, ମନ୍ମଥ ନାରାୟଣ ସିଂହ, ରିଂକୁ ସିଂହ ଙ୍କ ସମେତ ପୁଜାକମିଟିର ସମସ୍ତ ସଦସ୍ୟ ସକ୍ରୀୟ ସହଯୋଗ କରିଥିଲେ। ଗ୍ରମାବାସୀଙ୍କ ତଥା ପୂଜାକମିଟିର ସହାୟତାରେ ଜନସାଧାରଣଙ୍କ ଧାମିଙକ ଭାବାବେଗର ନିଦର୍ଶନ ସ୍ୱରୁପ କୋଲାବିରା ବଏଲଯାତ୍ରା ପାଳିତ ହୋଇଯାଇଛି। କୋଲାବିରା ଠାରେ ବଏଳଯାତ୍ରା ଜମିଦାର ସଂସାଧର ସିଂହଙ୍କ ସମୟରୁ ଆରମ୍ଭ ହୋଇଥିବାର ଜନଶୃତି ରହିଛି। ଯାତ୍ରାରମ୍ବର ଅମାବାସ୍ୟାଦିନ ମାଁ ସମଲେଇଶ୍ୱରୀଙ୍କ ପିଠରେ ମନୋନୟନ କମୀଟି ଦ୍ୱାରା ଚୟନ କରଯାଇଥିବା ବରୁଆ ଦେବୀଙ୍କ ପିଠରେ ମୁଣ୍ଡପାତି ଯୋଡ ହସ୍ତରେ ବସନ୍ତି। ଢୋଲ, ନିଶାନ, ତାଶା, ମହୁରୀ, ଟିମଟିମି ଓ ଲୋକଙ୍କ ହୁଲହୁଲି ହରିବୋଲର ତାଳେତାଳେ ଏକାଗ୍ର ଚିତ୍ ରେ ଦେବୀଙ୍କ ପୂଜାର୍ଚନା ପରେ ମାଁ ସମଲେଶ୍ୱରୀ ବିରାଜମାନ କରନ୍ତି ବରୁଆଙ୍କ ଶରୀରରେ। ପୂଜାରୀଙ୍କ ଦ୍ୱାରା ମାଁ ସମଲେଶ୍ୱରୀଙ୍କ ସିନ୍ଦୁର, ଫୁଳ, ଅରୁଆ ଚାଉଳ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ବରୁଆଙ୍କ କପାଳରେ ଟିକି ଦେଇ ମନ୍ତ୍ରତନ୍ତ୍ର ଉଚ୍ଚାରଣ ପରେ ବରୁଆଙ୍କ ଶରୀରରେ ଦେବୀ ସବାର ହେବା ପରଠାରୁ ଆରମ୍ଭ ହୁଏ ବଳଏଲଯାତ୍ରା। ମନସ୍କାମନା ପୂର୍ଣ୍ଣ ପାଇଁ ଦେବୀଙ୍କ ଆଗରେ ପୟରନ ପଡି ଭକ୍ତମାନେ ତାଙ୍କର ଭକ୍ତି ଜଣାଇବା ସହ ବୋଦାବଳି ଦେଇ ରକ୍ତପାନ କରିଥାନ୍ତି।
କୋଲାବିରା ଦୁର୍ଗକୁ ଲାଗି ରହିଥବା ଏହି ଦକ୍ଷିଣକାଳୀ ମନ୍ଦିରରେ ପୂର୍ବଜଙ୍କ ବିଧି ବିଧାନ, ରୀତି ନୀତି ଅନୁଯାୟୀ ପ୍ରତିଦିନ ମା’ଙ୍କ ପୂଜା କରାଯାଇଥାଏ। ଦଶହରା ଦଶମୀ ତିଥିରେ ମା’ଙ୍କ ବାର୍ଷିକ ପର୍ବ ଅନୁଷ୍ଠିତ ହୁଏ। ଦୁରଦୁରାନ୍ତରେ ରହୁଥିବା ପରିବାର ସଦସ୍ୟ ମାନେ ମଧ୍ୟ ଏଇଇ ଅବସରରେ ଘରକୁ ଫେରିଥାନ୍ତି ମା’ଙ୍କ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଥାନ୍ତି। ଦଶହରା ପର୍ବ ପାଇଂ ନୂଆଖାଇ ପରଦିନଠାରୁ ଗ୍ରାମସଭା କରାଯାଇ କମିଟି ଗଠନ କରାଯାଇଥାଏ। ଏଠାରେ ବର୍ଷ ସାରା ମା’ଙ୍କ ଦୁଇଓଲି ପୂଜାର୍ଚ୍ଚନା କରାଯାଉଥିବା ବେଳେ ମହାଳୟା ପୂର୍ବରାତ୍ରୀ ଠିକ୍ ୧୨ଟା ପରେ ପ୍ରଥମ ପଂଚବାଦ୍ୟ ବାଜି ମା’ଙ୍କ ପାର୍ବଣ ଅନୁଷ୍ଠିତ ହୋଇଥାଏ। ସେଦିନ ରାତିରେ ତନ୍ତ୍ରପୂଜନ ସହ ମା’ ଧବଳମୁଖୀ ବେଶରେ ଦର୍ଶନ ଦେବାପରେ ଅନୁଷ୍ଠିତ ହୁଏ ଉଆଁସ ବଏଲ। ସେଦିନ ଠାରୁ କୁମାର ପୂର୍ଣ୍ଣମୀ ପର୍ଯ୍ୟନ୍ତ ମା’ଙ୍କପୂଜା ଅନୁଷ୍ଠିତ ହୋଇଥାଏ। ମହାଷ୍ଟମୀରେ ମାଙ୍କ ଠାରେ କର୍ତା ପୂଜାର୍ଚ୍ଚନା କରି ୧୦୮ ପଦ୍ମଫୁଲ ଚଢେଇବାର ବିଧି ରହିଛି। ଦଶମୀ ତିଥି ସକାଳେ ଅନୁଷ୍ଠିତ ହୁଏ ମା’ଙ୍କ ବାର୍ଷିକ ଚଣ୍ଡୀଯଜ୍ଞ। ଅପରାହ୍ନରେ ଛତ୍ର ଓ ମା’ଙ୍କ ହାତ ହଥିଆର ବାହାର କରାଯାଇ ଦୁଲଦୁଲି ବାଜା(ପଂଚବାଦ୍ୟ) ବଜେଇ ଏକ ଶୋଭାଯାତ୍ରାରେ ମା’ଙ୍କ ମନ୍ଦିର ନେଲାପରେ ସେଠାରେ ଅନୁଷ୍ଠିତ ହୁଏ ତନ୍ତ୍ର ପୂଜା। ଏହା ରାତି ୧୦ଟା ପର୍ଯ୍ୟନ୍ତ ଚାଲେ। ରାତିରେ ମା’ଙ୍କ ଦେବୀ ବାହନ ବରୁଆ ବାହାରି ହୋଇଥାଏ ବଏଲ ଯାତ୍ରା। ମନ୍ଦିରରୁ ଆଜ୍ଞାମାଳ ଅଣାଯାଇ ବରୁଆ ଉଠାଯାଇ ମନ୍ଦିରକୁ ନିଆହୁଏ। ସେଠାରେ ଚୂଳ, କାଚ ପରିଧାନ କରାଇ ମା’ଙ୍କ କାତ୍ୟାୟନୀ ବେଶ କରିବା ପରେ କାଲିସୀ ମନ୍ଦିରରୁ ବାହାରି ପାରମ୍ପରିକ ଚାଚେରି ଖେଳି ଗ୍ରାମ ପରିକ୍ରମା କରିଥାନ୍ତି। ଗାଁରେ ଘରେ ଘରେ ଭକ୍ତି ସହକାରେ ପୂଜାର୍ଚ୍ଚନା କରାଯାଇ। ପରଦିନ ସକାଲେ ମା’ ମନ୍ଦିର ପ୍ରତ୍ୟାବର୍ତ୍ତନ କରି ବରୁଆଦେହରୁ ଦୈବୀଶକ୍ତ ଅପସାରିତ ହେବା ପରେ ଯାତ୍ରା ସଂପନ୍ନ ହୋଇଥାଏ।ରାତି ତମାମ ଶ୍ରଦ୍ଧାଳୁଙ୍କ ମନୋରଂଜନ ସକାଶେ ବିଭିନ୍ନ ସଂସସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ହେଲେ ଚଳିତ ବର୍ଷ କରୋନା ଏସବୁଥିରେ ସାଜିଛି ବାଧକ। ପ୍ରଶାସନର ନିଦର୍ଦେଶମତେ ୭ଜଣଙ୍କ ମଧ୍ୟରେ ବିଧିରକ୍ଷା ପାଇଁ କରାଯାଇଛି ନିୟମ। ଭକ୍ତଙ୍କୁ ଦର୍ଶନ ମନା, ଯାତ୍ରା, ଶୋଭାଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ବଏଲ ପରମ୍ପରା ଉପରେ ମଧ୍ୟ କଟକଣା।