ହାଟଡିହି, ୫ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଡ ରମ୍ପାସ ପଞ୍ଚାୟତରେ ଚାଉଳ ବଣ୍ଟନକୁ ନେଇ ଗତ କିଛିଦିନ ହେଲା ଉତ୍ତେଜନା ଲାଗିରହିଥିବାବେଳେ ଆଜି ପୁଲିସ ଉପସ୍ଥିତିରେ ଚାଉଳ ବଣ୍ଟନ କରାଯାଇଛି । ଖବରରୁ ଜଣାଯାଇଛି ଯେ କେନ୍ଦ୍ର ସରକାର ସେପ୍ଟମ୍ବର ରୁ ନଭେମ୍ବର ପର୍ଯ୍ୟନ୍ତ ତିନିମାସର ଫ୍ରି ଚାଉଳ ହିତାଧିକାରୀଙ୍କୁ ଯୋଗାଇ ଦେଇଥିବାବେଳେ ବଣ୍ଟନ ଦାୟିତ୍ୱରେ ଥିବା ଏସଏସଜି ଗ୍ରୁପ ଠିକ ଭାବେର ତାହାକୁ ବାଣ୍ଟୁ ନାହିଁ । ଅନ୍ୟ ପଞ୍ଚାୟତ ମାନଙ୍କରେ ମାସ ଆରମ୍ଭରୁ ଚାଉଳ ବଣ୍ଟନ ହୋଇଥିଲେ ମଧ୍ୟ ଏହି ପଞ୍ଚାୟତରେ ହିତାଧିକାରୀମାନେ ଚାଉଳ ପାଇପାରୁ ନାହାନ୍ତି । ହିତାଧିକାରୀମାନେ ଚାଉଳ ପାଇଁ ବିକ୍ରୟକେନ୍ଦ୍ରକୁ ଆସିବା ବେଳକୁ ଚାଉଳ ନଥିବାରୁ ଫେରିଯିବାକୁ ବାଧ୍ୟ ହେଉଥିଲେ । ଏପରିକି କିଛି ହିତାଧିକାରୀ ୫/୬ମାସର ଚାଉଳ ପାଇନଥିବା ବେଳେ କିଛି ହିତାଧିକାରୀଙ୍କ ରାସନକାର୍ଡକୁ ଡିଲର ରଖିଦେଇ ବାରମ୍ବାର ସମୟ ଗଡାଇ ଚାଲିଥିଲା । ସେହିପରି ବର୍ଦ୍ଧନପୁର ଗ୍ରାମବାସୀଙ୍କୁ ଚାଉଳ ଦେବାପାଇଁ ଅନଲାଇନ ମାଧ୍ୟମରେ ଚାଉଳ ବଣ୍ଟନର ଟିପ ଓ ଆଖିଛାପ ଆଣି ସାରିଥିଲେ ମଧ୍ୟ ଚାଉଳ ଦେଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାକୁନେଇ ଗତ ଚାରିଦିନ ହେଲା ରେସନ ବଣ୍ଟନ କେନ୍ଦ୍ର ନିକଟରେ ଶହଶହ ଲୋକ ଜମାହୋଇ ଚାଉଳ ପାଇଁ ଚାହିଁ ବସିଥିବାବେଳେ ସଂପୃକ୍ତ ଏସଏସଜି ଗ୍ରୁପର କର୍ମକର୍ତ୍ତା ମାନେ ଆସୁନଥିଲେ । ଆଜି ବ୍ଲକ ଯୋଗାଣ ଅଧିକାରୀ ଶ୍ୟାମ ମାଝୀ ଓ ନନ୍ଦିପଦା ପୁଲିସର ଉପସ୍ଥିତିରେ ଖାଉଟି ମାନଙ୍କୁ ରେସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଆଜି ରାତି ହୋଇଯିବାରୁ ଆସନ୍ତାକାଲି ମଧ୍ୟ ବଣ୍ଟନ ବ୍ୟବସ୍ଥା ଜାରି ରହିବ ବୋଲି ଯୋଗାଣ ଅଧିକାରୀ ସୁଚନା ଦେଇଛନ୍ତି ।