ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୃଷ୍ଟିରୁ ଆରମ୍ଭରୁ ପ୍ରକୃତି ପୂଜାକୁ ପ୍ରାଧାନ୍ୟ ଦିଆଯାଇଛି । ଶିକ୍ଷା ଅଧ୍ୟୟନ ସହିତ ପ୍ରକୃତିକୁ ସୁନ୍ଦରଶାଳୀ କରିବା ନିମନ୍ତେ ବୃକ୍ଷରୋପଣର ଆବଶ୍ୟକତା ରହିଛି । ବୃକ୍ଷ ହିଁ ଜୀବନ । ବୃକ୍ଷ ଦ୍ୱାରା ଜୀବଜଗତ ଅନେକ ଉପକୃତ ହୋଇଥାନ୍ତି । ସବୁଜିମା ବୃକ୍ଷାରାଜି ମାଳା ନଥିଲେ ମନୁଷ୍ୟ ଜୀବନ ସଂକଟାପନ୍ନ ହୋଇପଡନ୍ତା । ମନୁଷ୍ୟର ଦୀର୍ଘାୟୁ ତଥା ନିରୋଗ ନିମନ୍ତେ ବୃକ୍ଷରୋପଣ ଏକାନ୍ତ ଅପରିହାର୍ଯ୍ୟ । ଏହାକୁ ପ୍ରାଧାନ୍ୟ ଦେଇଛନ୍ତି ଭଦ୍ରକ ଜିଲାର ଜଣେ ଆଦର୍ଶ ବିଜ୍ଞାନ ଶିକ୍ଷକ ନିରଞ୍ଜନ ବାରିକ । ସେ ଉତ୍ତମ ଶିକ୍ଷାଦାନ ସହିତ ପ୍ରକୃତିକୁ ସୁରକ୍ଷା ନିମନ୍ତେ ପ୍ରତ୍ୟେକ ଦିନ ବୃକ୍ଷରୋପଣ ଓ ବୃକ୍ଷ ସେବା କରିଥାନ୍ତି । ଏବଂ ପଶୁପକ୍ଷୀମାନଙ୍କୁ ଭଲ ପାଇଥାନ୍ତି । ତାଙ୍କର ଏହି ନିରଳସ ସେବା, ତ୍ୟାଗ ତଥା ଉତ୍ତମ ଛାତ୍ରଛାତ୍ରୀ ତିଆରି କରିବାରେ ଯେଉଁ ଭୂମିକା ନିର୍ବାହ କରୁଛନ୍ତି, ତାହାର ପଟ୍ଟାନ୍ତର ନାହିଁ । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତାଙ୍କୁ ଚଳିତବର୍ଷ ‘ପ୍ରକୃତି ବନ୍ଧୁ’ ସମ୍ମାନରେ ସମ୍ମାନିତ କରିଛନ୍ତି । ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା ଶ୍ରୀ ବାରିକଙ୍କୁ ବର୍ଣ୍ଣାଢ୍ୟ ପରିବେଶରେ ସମ୍ମାନିତ କରିଛନ୍ତି ।
ଶ୍ରୀ ବାରିକ ପ୍ରକୃତିବନ୍ଧୁ ସମ୍ମାନ ପାଇଥିବାରୁ ତାଙ୍କର ସାର୍ବଜନୀନ କୃତି ପାଇଁ ଶିକ୍ଷକ-ଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବୀ ମହଲରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ ବାରିକ ବର୍ତ୍ତମାନ ଭଦ୍ରକ ସାବରଙ୍ଗ ସ୍ଥିତ ସାହାଡା ଉପେନ୍ଦ୍ରନାଥ ଉଚ୍ଚ ବିଦ୍ୟାପୀଠର ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ । ତାଙ୍କ ପିତା ଜଗବନ୍ଧୁ ବାରିକ ଆରସିବିଏଲ୍ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଥିବା ସମୟରେ ତାଙ୍କର ଶିକ୍ଷାଦାନ, ସାହିତ୍ୟକୃତୀ, ଛାତ୍ର ବତ୍ସଳତା ତଥା ମାନବୀୟ ମୂଲ୍ୟବୋଧ ନିମନ୍ତେ ତାଙ୍କୁ ରାଜ୍ୟପାଳ ସମ୍ମାନରେ ସମ୍ମାନିତ କରାଯାଇଥିଲା । ବାପାଙ୍କର ଅଧୁରା ସ୍ୱପ୍ନକୁ ପୂରଣ କରିବା, ସାହିତ୍ୟ ସାଧାନାରେ ରୁଚି ରଖି ଛାତ୍ରଛାତ୍ରୀମାନଙ୍କ ପାଇଁ ଉପାଦେୟ ପୁସ୍ତକ ରଚନା କରିବା, ପରିବେଶକୁ ଶସ୍ୟ ଶ୍ୟାମଳା ତଥା ସୁନ୍ଦର ରଖିବା ପାଇଁ ବୃକ୍ଷରୋପଣ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷାଦାନ ଦେଇ ସମାଜ ଗଠନ ଓ ପ୍ରଗତିରେ ନିଜ ଜୀବନକୁ ଉତ୍ସର୍ଗ କରିବେ ବୋଲି ପ୍ରକୃତିବନ୍ଧୁ ସମ୍ମାନ ପାଇବା ପରେ ଶ୍ରୀ ବାରିକ ନିଜର ମତ ରଖିଥିଲେ ।