Home ଜିଲ୍ଲା ପରିକ୍ରମା ଆଜି ବିଶ୍ୱ ପର୍ଯ୍ୟଟନ ଦିବସ, ପର୍ଯ୍ୟଟନ ବିଭାଗ ଦୃଷ୍ଟି ଆଢ଼ୁଆଳରେ ଅବହେଳିତ ଶହୀଦସ୍ମୃତି ସ୍ତମ୍ଭ ଓ...

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ, ପର୍ଯ୍ୟଟନ ବିଭାଗ ଦୃଷ୍ଟି ଆଢ଼ୁଆଳରେ ଅବହେଳିତ ଶହୀଦସ୍ମୃତି ସ୍ତମ୍ଭ ଓ ଗୋହିରା ଟିକିରି

25

ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶେଷ ସ୍ୱାଧିନ ଓଡ଼ିଆ ସମ୍ରାଟ ମୁକୁନ୍ଦ ଦେବଙ୍କ ବ୍ୱୀରତ୍ୱ କାହାଣୀର ଗାଥା ବହନ କରୁଥିବା ଧାମନଗର ବ୍ଲକର ଗୋହିରାଟିକିରି ଆଜି ମଧ୍ୟ ଅବହେଳିତ ଓ ଏକ ଅନାଲୋଚିତ ଅଧ୍ୟାୟ ହୋଇ ରହିଯାଇଛି । ଧାମନଗର ବ୍ଲକ ସଦର ମହକୁମା ଠାରୁ ମାତ୍ର ଅଳ୍ପ କେଇ କିଲୋମିଟର ଦୂରରେ ଧାମନଗର-ଭଣ୍ଡାରିପୋଖରୀ ବ୍ଳକର ସୀମାରେ ଅବସ୍ଥିତ ଗୋହିରାଟିକିରି । ଏହି ସ୍ଥାନ ଥିଲା ଓଡିଶାର ଶେଷ ସ୍ୱାଧିନ ରାଜା ମୁକୁନ୍ଦଦେବଙ୍କ ଥିଲା ଏକ ଗୁପ୍ତ ଦୁର୍ଗ । ଯେଉଁଠାରେ କି ସେ କଳାପାହାଡ଼ ସହିତ ଯୁଦ୍ଧ କରି ନିହତ ହୋଇଥିଲେ । ତେବେ ଏପରି ଏକ ଐତିହାସିକ ସ୍ଥଳୀକୁ ୨୦୧୮ ମସିହାରେ ତତ୍କାଳିନ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଉକ୍ତ ସ୍ଥାନକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେଇଥିଲେ । କିନ୍ତୁ ଉକ୍ତ ପର୍ଯ୍ୟଟନସ୍ଥଳୀର ଉନ୍ନତି ବା ବିକାଶ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଉଦ୍ୟମ ହୋଇ ନାହିଁ । ଉକ୍ତ ଐତିହାସିକ ପୀଠକୁ ନେଇ ବହୁ କିମ୍ବଦନ୍ତୀ ରହିଛି । ଏହା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ଏହି ସ୍ଥାନକୁ ଯିବାକୁ ଭଲ ରାସ୍ତା ଖଣ୍ଡେ ନାହିଁ । ଏହାର ସନ୍ନିକଟ ଅଞ୍ଚଳ ଏବେ ଜବରଦଲକାରୀଙ୍କ କବଜାକୁ ଚାଲିଗଲାଣି । ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ୩୦ଲକ୍ଷ ଟଙ୍କା ବ୍ୟୟରେ ଏକ ଯାତ୍ରୀ ବିଶ୍ରମାଗାର ନିର୍ମିତ ହୋଇଥିଲେ ମଧ୍ୟ ଅଦ୍ୟାବଧି ତାହା ଜନସାଧାରଣଙ୍କ କାର୍ଯ୍ୟରେ ଲାଗିନାହିଁ । ଶେଷ ସ୍ୱାଧିନ ରାଜା ମୁକୁନ୍ଦ ଦେବ ନୁହନ୍ତି, ଏହି ସ୍ଥାନକୁ ନେଇ ଅନ୍ୟ କିଛି କିମ୍ବଦନ୍ତୀ ମଧ୍ୟ ରହିଛି । ଧାମନଗର ପ୍ରାଚୀନ ବୌଦ୍ଧଧର୍ମର ଏକ ପ୍ରସିଦ୍ଧ ପୀଠ ଥିଲା ବୋଲି ଅନେକ ଐତିହାସିକ ଓ ପତ୍ନତତ୍ୱବିତ୍‌ଙ୍କ ଗବେଷଣାରୁ ସ୍ପଷ୍ଟ ।

ତା’ ଠାରୁ କିଛି ଦୂରରେ ରହିଛି ସାରଳା ମହାଭାରତ ବର୍ଣ୍ଣିତ ଭାରଦା କଟକ । ଏହି ଠାରୁ ଏକ ପ୍ରାଚୀନ ବୌଦ୍ଧ ପ୍ରତିମୂର୍ତ୍ତୀ ଉଦ୍ଦାର କରାଯାଇଥିଲା, ଯାହାକି ଏବେ ରାଜ୍ୟ ସଂଗ୍ରହାଳୟରେ ଶୋଭା ପାଉଛି । ଭାରଦା କଟକକୁ ଲାଗି ରହିଛି ପ୍ରସିଦ୍ଧ ବିରଜା କ୍ଷେତ୍ରର ସୀମା ନିର୍ଦ୍ଧାରଣ କରୁଥିବା ଚାରି ଜ୍ୟୋର୍ତିଲିଙ୍ଗ ଭିତରୁ ଅନ୍ୟତମ ଖିଲାଟେଶ୍ୱର । ଏହି ମନ୍ଦିରର ଆଖପାଖରେ ଅନେକ ପ୍ରସ୍ତରର ଦେବମୂର୍ତ୍ତୀମାନଙ୍କ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ି ରହିଥିବାର ଦେଖିବାକୁ ମିଳିଥାଏ । ଏସବୁକୁ କଳାପାହାଡ଼ ଧ୍ୱସ୍ତ ବିଧ୍ୱସ୍ତ କରିଛି ବୋଲି ଏବେ ମଧ୍ୟ ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି । ଅନୁରୂପ ମହାଭାରତକୁ ନେଇ ମଧ୍ୟ ଗୋହିରାଟିକିରିକୁ ଯୋଡ଼ା ଯାଇଥାଏ । ତେବେ ଏସବୁର ସତ୍ୟତା ଥାଉ କି ନଥାଉ, ଏହା ଭିନ୍ନ କଥା । କିନ୍ତୁ ମୁକୁନ୍ଦଦେବଙ୍କୁ ନେଇ ଏହି ସ୍ଥାନର ଏକ ବଳିଷ୍ଠ ଐତିହାସିକ ପୃଷ୍ଠଭୂମୀ ରହିଛି ଏହା ନିଶ୍ଚିତ । ଏପରିସ୍ଥଳେ ଉକ୍ତ ପୀଠର ବିକାଶ ପାଇଁ ସରକାରଙ୍କ ଉଦାସୀନତାକୁ ସ୍ଥାନୀୟ ଅଞ୍ଚଳବାସୀ ନାପଦନ୍ଦ କରୁଛନ୍ତି । ତେବେ ଏହାଏକ ଐତିହାସିକ ପୀଠ ହୋଇଥିବାବେଳେ ଏବଂ ରାଜ୍ୟ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇସାରିଥିଲେ ମଧ୍ୟ ଏହିସ୍ଥାନଟି ଏବେ ଅବହେଳିତ ଅବସ୍ଥାରେ ରହିଛି । ସେହିପରି ଧାମନଗର ବ୍ଳକର କଟ୍ଟସାହି ପଂଚାୟତ ନିକଟସ୍ଥ ଶହୀଦନଗର ଠାରେ ଥିବା ଶହୀଦ ସ୍ମାରକି ସ୍ମୃତି ମଣ୍ଡପ ଟି ଏବେ ଜରାଜିର୍ଣ୍ଣ ଅବସ୍ଥାରେ ରହିଲାଣି । ଏହି ସ୍ଥାନକୁ ମଧ୍ୟ ରାଜ୍ୟ ସରକାର ୨୦୧୮ ମସିହାରେ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଦିଆଯାଇଥିଲା । ସେଠାରେ ବି କେବଳ ୩୦ଲକ୍ଷ ଟଙ୍କା ବ୍ୟୟରେ ଏକ ଯାତ୍ରୀ ନିବାସ ତିଆରି କରାଯାଇ କାର୍ଯ୍ୟକୁ ସେଇଠି ରଖାଯାଇଛି । ସୂଚନା ଥାଉକି ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ସେଠାରେ ୯ଜଣ ବୀର ଯୋଦ୍ଧା ଇଂରେଜ ମାନଙ୍କ ଗୁଳିରେ ପ୍ରାଣ ତ୍ୟାଗ କରିଥିଲେ । ତାଙ୍କ ସ୍ମୃତିରେ ସେଠାରେ ଏକ ଶହୀଦ ସ୍ମୃତି ମଧ୍ୟ ନିର୍ମାଣ କରାଯାଇଥିଲା । ତତ୍କାଳିନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଉଦ୍ୟମରେ ସେଠାରେ ଏକ ବିରାଟ ସ୍ମୃତି ସ୍ତମ୍ଭ ମଧ୍ୟ ନିର୍ମାଣ କରିଥିଲେ । ହେଲେ ସ୍ଥାନୀୟ କମିଟିର ରକ୍ଷଣାବେକ୍ଷଣା ଅଭାବରୁ ଉକ୍ତ ସ୍ମୃତି ସ୍ତମ୍ଭରେ ବିଭିନ୍ନ ସ୍ଥାନରେ ଫାଟ ହେବା ସହିତ ମାର୍ବଲ ବାହାରିଗଲାଣି । କେବଳ ସେପ୍ଟେମ୍ବର ୨୨ଆସିଲେ ସ୍ମୃତି ସ୍ତମ୍ଭରେ କେବଳ ଫୁଲମାଳ ଦେଇ କାର୍ଯ୍ୟକୁ ସାରିଦିଅନ୍ତି । ତେବେ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକରେ ଦୁଇଟି ସ୍ଥାନକୁ ରାଜ୍ୟ ସରକାଙ୍କ ପକ୍ଷରୁ ପର୍ଯ୍ୟଟନି ସ୍ଥଳିର ମାନ୍ୟତା ଦିଆଯାଇଥିଲେ ମଧ୍ୟ କେବଳ ଯାତ୍ରୀ ନିବାସରେ ପର୍ଯ୍ୟଟନ ସ୍ଥଳି ରହିଯାଇଛି । ତୁରନ୍ତ ରାଜ୍ୟସରକାର ଉକ୍ତ ଦୁଇଟି ସ୍ଥାନକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଆଜି ପର୍ଯ୍ୟଟନ ଦିବସରେ ଅଂଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.