ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଦେଖାଦେଇଥିବା ସାରର କୃତ୍ରିମ ଅଭାବ ଓ ଚଢା ଦରରେ ସାର ବିକ୍ରୟ ହେବା ଅଭିଯୋଗ ସମ୍ପର୍କରେ ଶନିବାର ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ସାତ ଜଣ ବିକ୍ରେତାଙ୍କୁ କାରଣ ଦର୍ଶାଓ ନୋଟିସ ଜାରି କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନେତୃତ୍ୱରେ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ବ୍ଲକ କୃଷି ଅଧିକାରୀ ଶ୍ରୀଧର ଦାସ, ବ୍ଲକ ଅତିରିକ୍ତ କୃଷି ଅଧିକାରୀ ତଥା ସାର ନୀରିକ୍ଷକ ରାଧାରମଣ ମହନ୍ତ ବ୍ଳକ ଅଞ୍ଚଳର ଅଧିକୃତ ସାର ପାଇକାରୀ ଓ ଖୁଚୁରା ସାର ବିକ୍ରେତାଙ୍କ ସହ ସମ୍ପ୍ରତି ସାର ବିକ୍ରୟ କରୁଥିବା ରହଣିଆ ସମେତ ବିଭିନ୍ନ ସମବାୟ ସମିତିର ସାର ମହଜୁଦ ନଥି ଓ ସୂଚକାଙ୍କ ସହ ବାସ୍ତବ ବିକ୍ରୟ ଦର ଆଦି ସମ୍ପର୍କରେ ତନଖି କରିଥିବା ଜଣାଯାଇଛି । ତନଖି କରାଯାଇଥିବା ଦଶଟି ସାର ବିକ୍ରେତାଙ୍କ ମଧ୍ୟରୁ ସାତଟି ପାଇକାରୀ ସାର ବିକ୍ରେତାଙ୍କୁ ଅନୀୟମିତତା ପାଇଁ କାରଣ ଦର୍ଶାଓ ନୋଟିସ ଜାରି କରାଯାଇଛି । ସାର ଅଭାବ ସୃଷ୍ଟି ସହ ଚଢା ଦରରେ ସାର ବିକ୍ରୟ କରାଯାଉଥିବା ଅଭିଯୋଗ ହେଉଥିବାରୁ ତାହାର ମୁକାବିଲା ପାଇଁ ପ୍ରଶାସନିକ ଚଢାଉ କରାଯାଉଛି ଓ ଏହା ନିରବଚ୍ଛିନ୍ନ ଭାବେ ଚାଲିବ ବୋଲି କୃଷି ଅଧିକାରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।