ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ବହୁ ପୁରାତନ ପ୍ରତିଷ୍ଠିତ ଦୈନିକ ଖବର କାଗଜ ‘ପ୍ରଜାତନ୍ତ୍ର’ ର ପ୍ରତିଷ୍ଠାତା ଡ. ହରେକୃଷ୍ଣ ମହତାବଙ୍କ ସ୍ମୃତିରେ ତଥା ଏହି ଖବର କାଗଜର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ସ୍ଥିତ ସାରଦା ବିଦ୍ୟାମନ୍ଦିର ପରିସରରେ ଆଜି ଏକ ବିଦ୍ୟାଳୟସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ପ୍ରଜାତନ୍ତ୍ରର ଭଣ୍ଡାରିପୋଖରୀ ବ୍ଲକ୍ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ସ୍ଥାନୀୟ ପ୍ରତିନିଧି ମନୋରଂଜନ ବାରିକଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ କୃତୀ ୩୦ ଜଣ ହାଇସ୍କୁଲସ୍ତରୀୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ ଏଥି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ଜିଲା ପ୍ରତିନିଧି ଅପୂର୍ବ ରଂଜନ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଜାତନ୍ତ୍ରର ମୀନାବଜାର ଶିଶୁ ପତ୍ରିକା ପ୍ରଦାନ କରି ଆସନ୍ତା ୪ ତାରିଖ ଦିନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ ବୋଲି ସୂଚାଇଥିଲେ । ଏବଂ ଏହି ପ୍ରତିଯୋଗିତାକୁ ଜିଲାସ୍ତରରେ ବ୍ୟାପକ କରାଯିବା ବିଷୟ କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ସାରଦା ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶରତ ମହାପାତ୍ର ଡ. ହରେକୃଷ୍ଣ ମହତାବଙ୍କ ସ୍ମୃତିରେ ପ୍ରଜାତନ୍ତ୍ର ପକ୍ଷରୁ ଆୟୋଜିତ ଏଭଳି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ଏହି ପ୍ରତିଯୋଗିତାକୁ ଅନ୍ୟମାନଙ୍କ ମଧ୍ୟରେ ପ୍ରଜାତନ୍ତ୍ରର ବିତରକ ମନୋଜ ରାଉତ, ବିଦ୍ୟାଳୟର ସୁଶାନ୍ତ ସେନାପତି, ନିତ୍ୟାନନ୍ଦ ସେନାପତି, କେଶବ ଚନ୍ଦ୍ର ସେଠୀ, ନିମାଇଁ ଚରଣ ବେହେରା ଓ ନିର୍ମଳ ସେନାପତି ପ୍ରମୁଖ ଶିକ୍ଷକ ପରିଚାଳନା କରିଥିଲେ ।