Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଦ୍ୱାରା ଖୋଲାଖୋଲି କଟକଣା ଉଲଙ୍ଘନକୁ ନେଇ ବିଜେପିର ଦାବିପତ୍ର ପ୍ରଦାନ

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଦ୍ୱାରା ଖୋଲାଖୋଲି କଟକଣା ଉଲଙ୍ଘନକୁ ନେଇ ବିଜେପିର ଦାବିପତ୍ର ପ୍ରଦାନ

55

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ବ୍ୟୋମକେଶ ରାୟଙ୍କ ବିବାହ ଭିଡ଼ିଓ ଭାଇରାଲ ପରେ ରାଜ୍ୟ ବିଡେଜି ମୁଖ୍ୟ କୌଣସି ପଦକ୍ଷେପ ନ ନେବାକୁ ନେଇ ବିଜେପି ପ୍ରତିବାଦ କରିବା ସହ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଛି । ଚାନ୍ଦବାଲି ବିଧାୟକ ଜଣେ ସରକାରୀ ଆଇନ ଓ ନିୟମାବଳୀ ଉପରେ ଜ୍ଞାନ ଥିବା ମଣିଷ ଭାବି ବାରମ୍ବାର ସରକାର ଓ ପ୍ରଶାସନକୁ ଖୋଲାଖୋଲି ଚ୍ୟାଲେଞ୍ଜ କରୁଛନ୍ତି । ଚଳିତ ମାସ ୨ ତାରିଖ ଦିନ ଶ୍ରୀଯୁକ୍ତ ରାୟ ବିବାହ କଲେ । ପୁରୀ ଜିଲ୍ଲା ଚିଲିକା ଅଞ୍ଚଳର ଏକ ତାରକା ହୋଟେଲରେ ବିଧାୟକଙ୍କ ଦ୍ୱାରା ବିବାହ ଉତ୍ସବ ମହାଆଡମ୍ବରପୂର୍ଣ୍ଣ ଭାବେ ଆୟୋଜିତ କରାଯାଇଥିଲା । ଉକ୍ତ ବିବାହ ଉତ୍ସବରେ ବିଧାୟକ ନିଜର ଶହ ଶହ ସମର୍ଥକଙ୍କ ସହିତ ମିଶି ମୁହଁରେ ମାସ୍କ ନଦେଇ, ସାମାଜିକ ଦୂରତା ନରଖି ଆଧୁନିକ ସଙ୍ଗୀତ ବଜାଇ ନାଚୁଥିବାର ଭିଡିଓ ଜନସାଧାରଣଙ୍କୁ ଚକିତ କରିଛି । କରୋନାର ଭୟାବହତାକୁ ନେଇ ପ୍ରଶାସନ ଜାରି କରୁଥିବା ବିଭିନ୍ନ କଟକଣାକୁ ସାଧାରଣ ଲୋକେ ପାଳନ କରୁଥିବା ସ୍ଥଳେ ବିଧାୟକ ନିଜ ବିବାହ କାର୍ଯ୍ୟକ୍ରମରେ ଏହାର ଖୋଲାଖୋଲି ଉଲଙ୍ଘନ କରୁଛନ୍ତି । ଜଣେ ଜନ ପ୍ରତିନିଧି ଭାବେ ନିଜର ନୈତିକ ଦାୟିତ୍ୱ ଓ କର୍ତ୍ତବ୍ୟକୁ ଭୁଲି ମଉଜ କରିବାରେ ବ୍ୟସ୍ତ ରହିବା କେତେଦୂର ସମୀଚିନ ବୋଲି ବିଜେପି ପ୍ରଶ୍ନ ଉଠାଇଛି । କରୋନା ନିୟମ ନ ମାନିବା କାରଣରୁ ସରକାର, ପ୍ରଶାସନ, ଅନେକ ପ୍ରଶାସନିକ ଅଧିକାରୀ, ଜନ ପ୍ରତିନିଧିଙ୍କୁ ନିଲମ୍ବନ କରିବା ସହ ଜୋରିମାନା ଆଦାୟ କରିବାର ନଜିର ଅଛି । ଶ୍ରୀଯୁକ୍ତ ରାୟଙ୍କ କ୍ଷେତ୍ରରେ ଏତେ ବିଳମ୍ବ କହିଁକି ବୋଲି ପ୍ରଶ୍ନ କରାଯାଇଛି । କାହା ଚାପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ବିଧାୟକ ସରକାରୀ ଦଳର ବିଭିନ୍ନ ସାଙ୍ଗଠନିକ ଉଚ୍ଚ ଦାୟିତ୍ୱରେ ରହିବା ଯୋଗୁଁ ତାଙ୍କ କ୍ଷେତ୍ରରେ ଆଇନ କାର୍ଯ୍ୟକାରୀ ହେଉନାହିଁ । ଯାହାକୁ ନେଇ ସମଗ୍ର ରାଜ୍ୟରେ ଜନ ଅସନ୍ତୋଷ ସୃଷ୍ଟି ହୋଇଛି । ତୁରନ୍ତ କେନ୍ଦ୍ର ସରାକର ଏହା ଉପରେ ହସ୍ତକ୍ଷେପ କରନ୍ତୁ ଦାବି କରି ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢୀଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ରଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.