Home ଜିଲ୍ଲା ପରିକ୍ରମା ଶିକ୍ଷା ସହାୟକ ନିଯୁକ୍ତିଗତ ବୟସ ବିବାଦ, ଖାଲି ପଡିଥିବା ପଦବୀରେ ନିଯୁକ୍ତି ପାଇଁ ଖଣ୍ଡପୀଠଙ୍କ ନିର୍ଦ୍ଦେଶକୁ...

ଶିକ୍ଷା ସହାୟକ ନିଯୁକ୍ତିଗତ ବୟସ ବିବାଦ, ଖାଲି ପଡିଥିବା ପଦବୀରେ ନିଯୁକ୍ତି ପାଇଁ ଖଣ୍ଡପୀଠଙ୍କ ନିର୍ଦ୍ଦେଶକୁ ୫ ମାସ ବିତିଲା

107

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିକ୍ଷା ସହାୟକ ନିଯୁକ୍ତିର ବୟସସୀମାକୁ ନେଇ ଦୀର୍ଘ ୬ ବର୍ଷ ଧରି ଲାଗିରହିଥିବା ବିବାଦର ଅନ୍ତଃ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦୁଇଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାରଜ କରିବାର ପ୍ରାୟ ୫ ମାସ ବିତିଯାଇଥିବାବେଳେ ରାଜ୍ୟ ସରକାର ତାହା ଏପର୍ଯ୍ୟନ୍ତ ପାଳନ ନକରିବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି । ଏଠାରେ ସୂଚନାଯୋଗ୍ୟ କେବଳ ଭଦ୍ରକ ନୁହେଁ ସମଗ୍ର ରାଜ୍ୟରେ ଯେଉଁ ୭ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷା ସହାୟକ ପଦବୀ ଅଦ୍ୟାବଧି ଖାଲି ପଡିଛି, ସେହି ପଦବୀରେ ଭଦ୍ରକ ସମେତ ୩୪ ଜଣ ଆବେଦନକାରୀଙ୍କୁ ନିଯୁକ୍ତି ଦେବାକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଆଦେଶ ଦେଇଥିଲେ । ତେବେ ଶିକ୍ଷା ସହାୟକ ନିଯୁକ୍ତିର ସର୍ବୋଚ୍ଚ ବୟସସୀମା ୪୨ ବର୍ଷ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଜଣିକିଆ ବିଚାରପତି ଦେଇଥିବା ଆଦେଶକୁ ଏହି ବିଚାରାଳୟର ଦୁଇଜଣିଆ ଖଣ୍ଡପୀଠ ଗତ ୨୦୨୦ ଡିସେମ୍ବର ୨୩ ତାରିଖ ଦିନ ଖାରଜ କରିଦେଇଥିଲେ । ବବିତା ଶତପଥୀ ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ଏହି ମାମଲାର ଶୁଣାଣି କରି ମାନ୍ୟବର ଉଚ୍ଚ ନ୍ୟାୟାଳୟର ବିଚାରପତି କୁମାରୀ ଜଷ୍ଟିସ୍ ସଂଜୁ ପଣ୍ଡା ଏବଂ ବିଚାରପତି ଜଷ୍ଟିସ୍ ଏସ୍‌କେ ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ଏବେ ପାଣିର ଗାର ପାଲଟିଛି । ଯାହା ଜଣାଯାଏ ୨୦୧୪ ମସିହାରେ ଶିକ୍ଷା ସହାୟକ ପଦବୀ ପୂରଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପୂର୍ବରୁ ଏହି ଶିକ୍ଷା ସହାୟକ ପ୍ରାର୍ଥୀଙ୍କ ଲାଗି ବୟସସୀମା ୪୨ ଥିବାବେଳେ ସେହିବର୍ଷ ହଠାତ୍ ବୟସ ସୀମାକୁ ୩୫ ବର୍ଷକୁ କମାଇ ଦିଆଯାଇଥିଲା । ଫଳରେ ଯେଉଁମାନଙ୍କର ବୟସ ୩୫ ବର୍ଷରୁ ଉର୍ଦ୍ଧ୍ୱ ଥିଲା, ସେମାନେ ଏହି ନିଯୁକ୍ତି ପ୍ରକ୍ରିୟାରୁ ବାଦ୍ ପଡିଥିଲେ । ଏମାନଙ୍କ ମଧ୍ୟରୁ ୩୪ ଜଣ ଶିକ୍ଷା ସହାୟକ ପ୍ରାର୍ଥୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଫଳରେ ଉକ୍ତ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାର ଏହି ଆବେଦନକାରୀଙ୍କ ବୟସସୀମା କୋହଳ କରାଯିବ କି ନାହିଁ, ତାହା ଉପରେ ଜବାବ ରଖିବାକୁ ଆଦେଶ ଦେଇଥିଲେ । ଫଳରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଆବେଦନକାରୀଙ୍କ କ୍ଷେତ୍ରରେ ବୟସସୀମା କୋହଳ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଏହି ନିଷ୍ପତ୍ତି କେବଳ ସେହି ଥରୁଟିଏ ପାଇଁ ଲାଗୁ ହେବ ବୋଲି କମିଟି ସ୍ପଷ୍ଟ କରିଥିଲା । ଏହି ଆଦେଶ ମିଳିବା ବେଳକୁ ୪ଟି ‘ପସନ୍ଦ ବା ଚଏସ୍‌’ ପର୍ଯ୍ୟାୟରୁ ୩ଟି ପର୍ଯ୍ୟାୟରେ ଶିକ୍ଷା ସହାୟକମାନଙ୍କୁ ନିଯୁକ୍ତି ମିଳିସାରିଥିଲା । ଏଠାରେ ଉଲ୍ଲେଖଯୋଗ୍ୟ କେଉଁ ଶିକ୍ଷା ସହାୟକ ନିଯୁକ୍ତି ପାଇଁ କେଉଁ ଜିଲାକୁ ପ୍ରଥମ ପସନ୍ଦ କରନ୍ତି, ଦ୍ୱିତୀୟରେ କାହାକୁ ପସନ୍ଦ କରନ୍ତି, ତାହାକୁ ବିଚାରକୁ ନେଇ ୪ଟି ପର୍ଯ୍ୟାୟରେ ଏହି ‘ପସନ୍ଦ ବା ଚଏସ୍‌’ କୁ ତାଲିକାଭୁକ୍ତ କରାଯାଇଥାଏ । ତେଣୁ ୩ଟି ପର୍ଯ୍ୟାୟରେ ନିଯୁକ୍ତି ସରିଥିବାରୁ ଏହି ଆବେଦନକାରୀମାନଙ୍କୁ ନିଯୁକ୍ତି ମିଳିଲା ନାହିଁ । ଫଳରେ ସେମାନେ ପୁନର୍ବାର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେତେବେଳେ ମାନ୍ୟବର ନ୍ୟାୟାଳୟ ଏହି ଆବେଦନକୁ ଖାରଜ କରିଦେବା ସହ ଶିକ୍ଷା ସହାୟକ ବୟସ ସୀମା ୩୫ ବୋଲି ଧାର୍ଯ୍ୟ କରିଥିଲେ । ଜଣିକିଆ ବିଚାରପତିଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଆବେଦନକାରୀମାନେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଦାଲତ ରାଜ୍ୟରେ କେତେ ଶିକ୍ଷକ ପଦବୀ ଫାଙ୍କା ଅଛି, ତାହା ଜଣାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏବଂ ରାଜ୍ୟରେ ୭ ହଜାର ୬୨ ଟି ପଦବୀ ଫାଙ୍କା ଥିବାର ଜଣାପଡିଥିଲା । ତେଣୁ ଏତେ ପଦବୀ ଫାଙ୍କା ଥିବାରୁ ଏହି ଆବେଦନକାରୀଙ୍କୁ ଉକ୍ତ ପଦବୀରେ ନିଯୁକ୍ତି ଦେବାଲାଗି ମାନ୍ୟବର ଅଦାଲତ ତାଙ୍କ ଆଦେଶ ଦେବାର ପ୍ରାୟ ୫ ମାସ ଅତିକ୍ରାନ୍ତ ହୋଇଥିଲେ ବି ଅଦ୍ୟାବଧି ତାହା କାର୍ଯ୍ୟକାରୀ ନହେବା ପ୍ରକାରନ୍ତରେ ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶର ଅବମାନନା ନୁହେଁକି । ଏଣୁ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲାଗି ଭଦ୍ରକର ରମାକାନ୍ତ ନାଥ, ସୂର୍ଯ୍ୟନନ୍ଦ ଦତ୍ତ, ଜୟନ୍ତ ମହାଳିକ, ରୁକ୍ମିଣୀ ସାହୁ ଓ ଉମାକାନ୍ତ ବାରିକ ପ୍ରମୁଖ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.